ନୂଆଦିଲ୍ଲୀ,୨୦/୭ : ବଳଙ୍ଗା ନାବାଳିକାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ପଠାଯାଇଛି । ଭୁବନେଶ୍ବର ଏମ୍ସରୁ ଗ୍ରୀନ କରିଡର ମାଧ୍ୟମରେ ତାଙ୍କୁ ବିମାନ ବନ୍ଦର ନିଆଯାଇଥିଲା। ସେଠାରୁ ଏକ ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଇଛି । ତେବେ ପୀଡ଼ିତାଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ ସଦ୍ୟତମ ସୂଚନା ଜାରି କରିଛି ଦିଲ୍ଲୀ ଏମ୍ସ। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଛି। ଭୁବନେଶ୍ଵର ଏମ୍ସରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେବା ପୂର୍ବରୁ ପୀଡ଼ିତାଙ୍କ ଅବସ୍ଥାରେ ଉନ୍ନତି ଆସିଥିବା କୁହାଯାଇଥିଲା।
ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ଅନୁସାରେ, ଆଜି ଅପରାହ୍ନ ୪ଟା ୨୦ରେ ପୀଡ଼ିତାଙ୍କୁ ଭର୍ତ୍ତି କରାଯାଇଥିଲା। ଝିଅର ୭୫% ଶରୀର ପୋଡ଼ି ଯାଇଛି। ଅବସ୍ଥା ଗୁରୁତର ରହିଛି ଏବଂ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି। ଏମ୍ସ ICU ବର୍ଣ୍ଣ ୟୁନିଟ୍ ଓ ପ୍ଲାଷ୍ଟିକ ସର୍ଜରୀ ବ୍ଲକ୍ରେ ଚିକିତ୍ସା କରାଯାଉଛି। ଗୋଟିଏ ଡାକ୍ତରୀ ଟିମ୍ ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି।
ସୂଚନାଯୋଗ୍ୟ ଯେ, ପୀଡ଼ିତାଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ ଭୁବନେଶ୍ବର ଏମ୍ସରେ ପୀଡ଼ିତାଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିବା ସହିତ ତାଙ୍କୁ ଦିଲ୍ଲୀ ଏୟାର ଲିଫ୍ଟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ରାଜ୍ୟ ସରକାର ପିଡ଼ିତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଛନ୍ତି। ସେପଟେ ଏହି ଘଟଣାର କାର୍ପଟଦାର କିଏ ତାହାର ତନାଘନା ଚାଲିଛି।