କଟକ, ୩୦/୧୦: ବୋଇତରେ ବାଣିଜ୍ୟ  ପାଇଁ ବିଦେଶ ଯାତ୍ରା କରୁଥିଲେ ସାଧବ ପୁଅ ।  ଗଡ଼ଗଡ଼ିଆ ଘାଟରୁ ବାଲି, ଜାଭା ଓ ସୁମାତ୍ରା ଭଳି କାହିଁ  ଯେ କେତେ ଦେଶକୁ ଯାତ୍ରା କରୁଥିଲେ । ଏମିତିକି  ଇଣ୍ଡୋନେସିଆ ସହ ନୌବାଣିଜ୍ୟର ଏକପ୍ରକାରର  ମୂଳଦୁଆ ପକାଇଥିଲେ ସାଧବ ପୁଅ । ମହାନଦୀ  କୂଳରୁ ଇଣ୍ଡୋନେସିଆ ସହ ନୌବାଣିଜ୍ୟର ଏହି  ଇତିହାସ ଏବେ ପୁଣି ଉଦ୍‌ଜୀବିତ ହେବ । ସମ୍ପର୍କ  ହେବ ଅଧିକ ନିବିଡ଼ । କାରଣ ଏଥର ବାଣିଜ୍ୟ ସାଙ୍ଗକୁ  ମହାନଦୀ କୂଳରେ ଭାରତ-ଇଣ୍ଡୋନେସିଆ ମଧ୍ୟରେ  ସଂସ୍କୃତି ଓ ପରମ୍ପରା ଆଦାନପ୍ରଦାନର ଦୃଶ୍ୟ ଦେଖିବ  ପୂରା ବିଶ୍ୱ । ବାଲିଯାତ୍ରାର ଇତିହାସକୁ ମନେ ପକାଇ  ପ୍ରଥମ ଥର ଚଳିତ ବର୍ଷ ବାଲିଯାତ୍ରାର ଭାଗିଦାରି ଦେଶ  ଭାବେ ଯୋଡ଼ି ହେବ  ଇଣ୍ଡୋନେସିଆ । ଯାହାକୁ  ନେଇ ଇଣ୍ଡୋନେସିଆ  ପକ୍ଷରୁ ସହମତି ପ୍ରଦାନ  କରାଯାଇଥିଲାବେଳେ  ଉଦ୍‌ଘାଟନୀ ଉତ୍ସବରେ  ସାମିଲ୍‌ ହେବେ ଅନେକ କଳାକାରବୃନ୍ଦ । ଏଭଳି ଅନେକ କାର୍ଯ୍ୟରେ ସହଭାଗିତା ଜଣାଇଛି ଇଣ୍ଡୋନେସିଆ ।

ଐତିହାସିକ କଟକ ସହରରେ ପ୍ରତିବର୍ଷ  ଆୟୋଜିତ ହେଉଥିବା ବାଲିଯାତ୍ରାର ନିଜସ୍ୱ ଇତିହାସ  ରହିଛି । କେବଳ ଇତିହାସ ନୁହେଁ, ଏହି ମେଳା ସହିତ  ଜଡ଼ିତ ରହିଛି ସଂସ୍କୃତି ଆଉ ପରମ୍ପରା । ଦେଶର ସର୍ବ  ବୃହତ ବାଣିଜ୍ୟ ଭାବେ ଏହାର ପରିଚୟ ରହିଛି ।  ଏଥିରେ କଟକ ସମେତ  ଦେଶ ବିଦେଶରୁ କଳାସଂସ୍କୃତି ଓ କାରିଗରି  ଆଦି ଗୋଟିଏ ସ୍ଥାନରେ  ପ୍ରଦର୍ଶିତ ହୋଇଆସୁଛି ।  ବିଶେଷକରି ବୋଇତ  ବନ୍ଦାଣ ଉତ୍ସବରେ ପରମ୍ପରା ରକ୍ଷା କରିବାକୁ  ଯାଇ ଲୋକେ କାଗଜ, ସୋଲ ଓ କଦଳୀ ବାହୁଙ୍ଗାରେ  ନିର୍ମିତ ଡଙ୍ଗା ଭସାଇଥାନ୍ତି । କାରଣ ଏହି ମହାନଦୀ  କୂଳ ଗଡ଼ଗଡିଆ ଘାଟରୁ ହିଁ ସାଧବ ପୁଅମାନେ  ବୋଇତରେ ନୌବାଣିଜ୍ୟ କରିବାକୁ ଯାଉଥିଲେ ।  ସେହି ସ୍ମୃତିକୁ ଉଦ୍‌ଜୀବିତ କରିବା ଲାଗି ଡଙ୍ଗାଭସା  ହୋଇଆସୁଛି । ସେହିପରି ବାଲିଯାତ୍ରାର ଆୟୋଜନ  କରାଯାଉଛି ।

ଗତ ବର୍ଷ ବାଲିଯାତ୍ରାରେ ୧୪ଟି ଦେଶର  ଆମ୍ବାସଡର୍‌ମାନେ ଯୋଗଦେଇଥିଲେ । ଏହାସହ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ଗସ୍ତରେ  ଯାଇ ସେଠାରେ କଟକ ବାଲିଯାତ୍ରା କଥା କହିଥିଲେ ।  ତେଣୁ ଏହି ସମ୍ପର୍କକୁ ଅଧିକ ଦୃଢ଼ିଭୂତ  କରିବା ପାଇଁ ବାଲିଯାତ୍ରାରେ ସାମିଲ୍‌ ହେବାକୁ  ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ  ଓ ସଂସ୍କୃତି ବିଭାଗ ଦ୍ୱାରା  ଚିଠି ଲେଖାଯାଇଥିଲା ।  କେବଳ ସାମିଲ୍‌ ହେବାକୁ  ନୁହଁ ଏଥିରେ ସହଭାଗୀ  ଦେଶ ଭାବେ ଯୋଡ଼ି  ହୋଇ ବାଲିଯାତ୍ରାରେ  ଇଣ୍ଡୋନେସିଆର  କଳା, ସଂସ୍କୃତି  ଓ ପରମ୍ପରା ମଧ୍ୟ  ପ୍ରଦର୍ଶିତ ହେବ।  ଏହାକୁ ନେଇ ଏବେ ସହମତି  ମିଳିଛି । ଏହାସହ ଉଦ୍‌ଘାଟନୀ ଉତ୍ସବରେ  ବଲୱାନ୍‌ ଆଣ୍ଡ୍‌ ବଟୁଆନ ଏଥିନିକ୍‌ ଫ୍ୟୁଜନ୍‌  ବ୍ୟାଣ୍ଡ୍‌ର ୧୧ ଜଣ ସଦସ୍ୟ ସାମିଲ୍‌ ହୋଇ  କଳା ପ୍ରଦର୍ଶନ କରିବେ । ଏହାସହିତ  ଇଣ୍ଡୋନେସିଆ ପାଭିଲିଅନ୍‌ରେ ବିଭିନ୍ନ ଷ୍ଟଲ୍‌  କରାଯାଇ ସେଠାକାରା ହସ୍ତଶିଳ୍ପ ଓ ପରମ୍ପରାକୁ  ପ୍ରଦର୍ଶିତ କରାଯିବ । ଏହା ଆଗାମୀ ଦିନରେ  ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ  କରିବାରେ ସହାୟକ ହେବ ବୋଲି କୁହାଯାଉଛି ।