କଟକ,୧୬/୧୩୧: ସନ୍ଧ୍ୟାରୁ ଆସି ଲୋକମାନେ ଅପେକ୍ଷା କଲେ । ଘଣ୍ଟା ପରେ ଘଣ୍ଟା ବିତିବାରେ ଲାଗିଲା ।  ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଥିଲା କେତେବେଳେ ଆସିବେ ଭଜନ ବାଦ୍‌ଶାହା ପଦ୍ମଶ୍ରୀ ଅନୁପ ଜଲୋଟା? ଏହା ଭିତରେ  ସବୁ ଷ୍ଟଲ୍‌ ବନ୍ଦ ହେବାରେ ଲାଗିଲା । ସବୁ ଦର୍ଶକ ଘରକୁ  ଯିବାରେ ଲାଗିଲେ । ପଡ଼ିଆ ପୂରା ଫାଙ୍କା ହୋଇଗଲା । ତଥାପି  କିଛି ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅପେକ୍ଷା କରି ରହିଲେ। ଅନେକ ସମୟର ଅପେକ୍ଷା ପରେ ରାତି ପ୍ରାୟ ସାଢ଼େ ୧୧ଟା  ସମୟରେ ମଞ୍ଚକୁ ଆସିଲେ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ  ତଥା ପଦ୍ମଶ୍ରୀ ଅନୁପ ଜଲୋଟା । ସେଥିରେ ୫ଟି ଭଜନ ଗାଇ ପୁଲିସ୍‌ କଟକଣା ପାଇଁ ଫେରିଯାଇଥିଲେ । ଯଦିଓ ସେହି  କିଛି ମୁହୂର୍ତ୍ତର କିଛି ଦର୍ଶକ ଭାବବିହ୍ୱଳ ହୋଇଯାଇଥିଲେ କିନ୍ତୁ ଅନେକ ଲୋକ ନିରାଶ ହୋଇଫେରିଥିଲେ । 

ଏଭଳି କିଛି ବ୍ୟବସ୍ଥାଗତ ତ୍ରୁଟି ଦେଖିବାକୁ ମିଳିଥିଲା  ବାଲିଯାତ୍ରା ବୈଷ୍ଣବ ପାଣି ମଞ୍ଚର ପ୍ରଥମ ସାଂସ୍କୃତିକ ସଂଧ୍ୟାରେ ।  ଲୋକମାନେ ନିରାଶ ହେବା ସହିତ ପଦ୍ମଶ୍ରୀଙ୍କ ପ୍ରତି ଜିଲ୍ଲା  ପ୍ରଶାସନର ଏଭଳି ସମ୍ମାନକୁ ନେଇ ମଧ୍ୟ କ୍ଷୋଭ ପ୍ରକାଶ  ପାଇଥିଲା । ଆଜିର ସନ୍ଧ୍ୟାରେ ପ୍ରଥମେ ବାଲିଯାତ୍ରାର ଇତିହାସ  ଓ ପରମ୍ପରାକୁ ନେଇ ଏକ ଗ୍ରୁପ୍‌ ସୁନ୍ଦର ନୃତ୍ୟ ପରିବେଷଣ  କରିଥିଲେ । ତାହାପରେ ସୁର ମନ୍ଦିର ନୃତ୍ୟାନଷ୍ଠାନର କଳାକାର  ନୃତ୍ୟ ମଞ୍ଚସ୍ଥ କରିଥିଲେ । ଏହାସହ ମଞ୍ଚରେ ଏକାଧିକ  କଣ୍ଠଶିଳ୍ପୀଙ୍କ ଦ୍ୱାରା ଓଡିଆ ଭଜନ ପରିବେଷଣ କରଯାଇଥିଲା । ବିଳମ୍ବିତ ରାତିରେ ମଞ୍ଚରେ ପଦ୍ମଶ୍ରୀ ଅନୁପ ଜଲୋଟାଙ୍କ କଣ୍ଠର  ହିନ୍ଦୀ ଭଜନ ‘ଐସି ଲାଗି ଲଗନ୍‌, ମୀରା ହୋ ଗୟୀ ମଗନ୍‌’,  ‘ଅଚ୍ୟୁତମ୍‌ କେସବମ୍‌’, ‘ମେରି ଝୋପଡିକେ ଦ୍ୱାର ଆଜ  ଖୁଲଯାଏଙ୍ଗେ..ରାମ ଆଏଙ୍ଗେ’, ‘ବୋଲୋ ରାମ ରାମ’  ଭଳି ମାତ୍ର ୫ଟି ଭଜନକୁ ମାତ୍ର ୨୫ମିନିଟ୍‌ ଗାଇବା ପରେ  ଫେରିଯାଇଥିଲେ । ଏହାକୁ ଦେଖି ଲୋକମାନେ ଅସନ୍ତୋଷ  ଜାହିର୍‌ କରିଥିଲେ । ଅନ୍ୟପକ୍ଷରେ ଅକ୍ଷୟ ମହାନ୍ତି ମଞ୍ଚରେ  ଲୋକପ୍ରିୟ କଣ୍ଠଶିଳ୍ପୀ ପଙ୍କଜ ଜାଲ୍‌ ଏକାଧିକ ଭଜନ  ପରିବେଷଣ କରି ଦର୍ଶକଙ୍କୁ ମନୋରଞ୍ଜନ କରାଇଥିଲେ ।