କଟକ,୧୩/୧୧: ବୁଧବାର ରାତିରେ ବାଲିଯାତ୍ରା ପଡ଼ିଆରେ ଅଘଟଣ ଘଟିଛି । ହାମର୍ ଦୋଳିରେ ବସିଥିବା ଦର୍ଶକ ତଳ-ଉପର ହୋଇ ଝୁଲୁଥିବା ବେଳେ ଦୋଳିର ମୋଟର୍ ଅଚାନକ ପୋଡ଼ି ଯାଇଥିଲା । ବିୟରିଂ ବି ଭାଙ୍ଗି ଯାଇଥିଲା । ଫଳରେ ଦୋଳି ଅଚଳ ହୋଇପଡ଼ି ଶୂନ୍ୟରେ ଅଟକି ରହିଥିଲା । ତେଣୁ ୭୦ ଫୁଟ୍ ଉଚ୍ଚରେ ପ୍ରାୟ ୧୫ ଜଣ ଝୁଲି କରି ରହିଥିଲେ । ଦୋଳିର ଦୁଇ ପାଶ୍ୱର୍ରେ ଥିବା ଆସନ ଶୂନ୍ୟରେ ଝୁଲୁଥିବା ବେଳେ ତଳକୁ ନ ଖସିବାରୁ ସେମାନେ ଉପରେ ଫସି ରହିଥିଲେ । ଫସି ରହିଥିବା ଦର୍ଶକଙ୍କ ଚିତ୍କାର, ସେମାନଙ୍କ ସଂପର୍କୀୟଙ୍କ କାନ୍ଦ, ବାଲିଯାତ୍ରା ପଡ଼ିଆରେ ଆଲୋଡ଼ନ ଖେଳାଇଥିଲା । ଦୋଳିରେ ବସିଥିବା ଲୋକଙ୍କ ସମେତ ସେମାନଙ୍କୁ ତଳେ ଅପେକ୍ଷାରେ ଥିବା ପରିବାର ଲୋକ ଓ ସମ୍ପର୍କୀୟମାନେ ଭୟଭୀତ ହୋଇ ଚିତ୍କାର କରିଥିଲେ । ନିଶ୍ଚିତ ବିପଦ ଆଶଙ୍କାରେ କାନ୍ଦ ବୋବାଳି ପଡ଼ିଯାଇଥିଲା ।
ଅନେକ ବିଳମ୍ବରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ଝୁଲି ରହିଥିବା ଦୁଇ ପାଶ୍ୱର୍ରୁ ଗୋଟିଏ ପାଶ୍ୱର୍କୁ ଦଉଡ଼ିରେ ଅଗ୍ନିଶମ କର୍ମଚାରୀମାନେ ଟାଣିବାରୁ ପ୍ରାୟ ୭ ଜଣ ତଳକୁ ଖସିଥିବା ବେଳେ ଅପର ପାଶ୍ୱର୍ରେ ୮ ଜଣ ଝୁଲି କରି ରହିଯାଇଥିଲେ । ରାତି ପ୍ରାୟ ୧୦ଟା ୪୫ ମିନିଟ୍ରୁ ୧୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଦୁଇ ଜଣ ପିଲାଙ୍କ ସମେତ ଜଣେ ମହିଳାଙ୍କୁ ମିଶାଇ ମୋଟ ୮ ଜଣ ୭୦ ଫୁଟ୍ ଉପରେ ଅତି ବିପଦସଙ୍କୁଳ ସ୍ଥିତିରେ ଝୁଲି ରହିଥିଲେ । ସେମାନଙ୍କୁ ତଳକୁ ଖସାଇବା ଅସମ୍ଭବ ହୋଇପଡ଼ିଥିଲା । ଉଦ୍ଧାର କରିବାକୁ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ନାକେଦମ୍ ହୋଇଯାଇଥିଲେ । ଏକ ବଡ଼ ହାଇଡ୍ରୋଲିକ୍ ମେସିନ୍ (ବ୍ରୋଙ୍କା ସ୍କାଏ) ମେସିନ୍ ୧୧ଟା ୧୫ ମିନିଟ୍ ସମୟରେ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଅନ୍ୟପକ୍ଷରେ ପଡ଼ିଆରେ ଉକ୍ତ ମେସିନ୍ ପହଞ୍ଚିବା ପାଇଁ ବିଦ୍ୟୁତ୍ ତା’ର ସମସ୍ୟା ହେବାରୁ ବାଲିଯାତ୍ରା ପଡ଼ିଆର କିଛି ଅଂଶରେ ବିଦ୍ୟୁତ୍ କାଟି ଦିଆଯାଇଥିଲା । ଫଳରେ ପଡ଼ିଆର କିଛି ସ୍ଥାନରେ ଅନ୍ଧାର ହୋଇଯାଇଥିଲା । ଏହାକୁ ନେଇ ଅଭାବନୀୟ ସ୍ଥିତି ଉପୁଜିଥିଲା । ଏହି ସମ୍ବେଦନଶୀନ ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ବେଫିକର ହୋଇପଡ଼ିଥିଲା । ଘଟଣା ଘଟିବାର ପ୍ରାୟ ୨ ଘଣ୍ଟା ପରେ ବି ଘଟଣାସ୍ଥଳରେ ନା ଜିଲ୍ଲାପାଳ କିମ୍ବା ଅନ୍ୟ ଉପରିସ୍ଥ ଅଧିକାରୀ ପହଞ୍ଚି ପାରି ନ ଥିଲେ । ହାଇଡ୍ରୋଲିକ୍ ପ୍ଲାଟଫର୍ମ୍ରେ ଅଗ୍ନିଶମ କର୍ମଚାରୀ ମାନେ ଉପରକୁ ଯାଇ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଦୁଇ ଘଣ୍ଟା କାଳ ଉପରେ ଝୁଲି ରହିଥିବା ଯାତ୍ରୀମାନଙ୍କୁ ସତର୍କତାର ସହ ଉଦ୍ଧାର କରିଥିଲେ । ତେବେ ମୃତ୍ୟୁମୁଖରୁ ଉଦ୍ଧାର ହେଉଥିବା ଯାତ୍ରୀମାନେ କାଳେ କିଛି ଅଘଟଣ ସମ୍ପର୍କରେ ମୁହଁ ଖୋଲିବେ ସେଥିଲାଗି ପୁଲିସ ପ୍ରଶାସନ ସେମାନଙ୍କୁ ପଡ଼ିଆରୁ ପିସିଆର୍ରେ ଉଠାଇ ନେଇ ଅନ୍ୟତ୍ର ପଳାଇଥିଲା ।
ଦୋଳିର ମେସିନ୍ ପୋଡ଼ିବା ଓ ବିୟରିଂ ଭାଙ୍ଗିବାକୁ ନେଇ ଏହା ସୁରକ୍ଷା ଓ ଫିଟ୍ନେସ୍କୁ ଏବେ ପ୍ରଶ୍ନ ଉଠିଛି । କ୍ଷମତାଠାରୁ ଅଧିକ ଦୋଳିରେ ବସିଥିବା ନେଇ ଚର୍ଚ୍ଚା ହେଉଛି । ସେହିପରି ଦୋଳିର ମେସିନ୍ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀ ମଧ୍ୟ ଘଟଣାସ୍ଥଳରୁ ଉଭାନ୍ ହୋଇଯାଇଥିବା ଖବର ମିଳିଛି । କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ସେ ସମ୍ପର୍କରେ ପୁଲିସ କିମ୍ବା ଜିଲ୍ଲା ପ୍ରଶାସନ ଅଧିକାରୀ ମୁହଁ ଖୋଲିନାହାନ୍ତି । ରାତି ସାଢ଼େ ୧୦ଟା ବେଳକୁ ଦୋଳି ଝୁଲିବା ବନ୍ଦ କରିବା ପାଇଁ ପ୍ରଶାସନ ସମୟ ଧାର୍ଯ୍ୟ କରିଛି । ତେବେ ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ସୁଦ୍ଧା କିପରି ଏହି ଦୋଳି ଚାଲିଥିଲା ତାକୁ ନେଇ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଉକ୍ତ ଦୋଳିରେ ଗୋଟିଏ ପାଶ୍ୱର୍ରେ ୧୬ ଓ ଅନ୍ୟ ପାଶ୍ୱର୍ରେ ୧୬ ଜଣ ବସିଥିଲେ । ଏନେଇ ଦୋଳି ବ୍ୟବସାୟୀ ସଂଘର ସମ୍ପାଦକ ଅଭିଷେକ ଜେନା କହିଛନ୍ତି ଯେ ଦୋଳିର ସୁରକ୍ଷା ବ୍ୟବସ୍ଥା ଠିକ୍ ଥିଲା । କିନ୍ତୁ ହଠାତ୍ ମୋଟର୍ ପୋଡ଼ିଯିବାରୁ ଦୋଳି ଅଟକି ଯାଇଥିଲା । ତୁରନ୍ତ ଅଗ୍ନିଶମ ବାହିନୀର ସହଯୋଗରେ ଦୋଳିରେ ଫସିଥିବା ଯାତ୍ରୀଙ୍କୁ ନିରାପଦରେ ଉଦ୍ଧାର କରାଯାଇଥିଲା ।