ନୂଆଦିଲ୍ଲୀ: ଆଇପିଏଲର ୫୨ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷରେ ୨ ରନର ରୋମାଞ୍ଚକର ବିଜୟ ହାସଲ କରିଛି। ଦଳଟି ୧୬ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଏହା ବେଙ୍ଗାଲୁରୁର ଲଗାତାର ଚତୁର୍ଥ ବିଜୟ। ଅନ୍ୟପଟେ ପ୍ଲେଅଫ୍ ଦୌଡ଼ରୁ ପୂର୍ବରୁ ବାହାର ହୋଇସାରିଥିବା ଚେନ୍ନାଇ ପୁଣି ଲଗାତାର ଚତୁର୍ଥ ମ୍ୟାଚ୍ ହାରିଛି। ଏହି ସିଜିନରେ ବେଙ୍ଗାଲୁରୁ ଉଭୟ ମ୍ୟାଚ୍ରେ ଚେନ୍ନାଇକୁ ପରାସ୍ତ କରିଛି।
ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହେଉଥିବା ଆଜିର ମ୍ୟାଚ୍ ରେ ୨୧୪ ରନର ଟାର୍ଗେଟକୁ ପିଛା କରି ଚେନ୍ନାଇ ୨୦ ଓଭରରେ ୫ ୱିକେଟ ହରାଇ କେବଳ ୨୧୧ ରନ କରିପାରିଥିଲା। ରବିନ୍ଦ୍ର ଜାଡେଜା ୪୫ ବଲ୍ ରୁ ୭୭ ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ। ସେହିଭଳି ଆୟୁଷ ମହାତ୍ରେ ୪୮ ବଲ୍ ରେ ୯୪ ରନ୍ ର ଇନିଂସ ଖେଳିଥିଲେ। ଲୁଙ୍ଗି ଏନଗିଡି ଏହି ମ୍ୟାଚ୍ ରେ ମୋଟ୍ 3ଟି ୱିକେଟ ନେଇଛନ୍ତି।
ପୂର୍ବରୁ, ବେଙ୍ଗାଲୁରୁ ପାଇଁ ରୋମାରିଓ ସେଫର୍ଡ ୧୪ ବଲ୍ ରେ ସିଜିନର ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୬ଟି ଛକା ଏବଂ ୪ଟି ଚୌକା ମାରିଥିଲେ। ବିରାଟ କୋହଲି ୬୨ ରନ ଏବଂ ଜାକବ ବେଥେଲ ୫୫ ରନ ସଂଗ୍ରହ କରିଥିଲେ। ମାଥିଶା ପାଥିରାନା 3ଟି ୱିକେଟ୍ ନେଇଥିଲେ।