ବାଂଲାଦେଶର ଭବିଷ୍ୟତକୁ ନେଇ ଏବେ ସମସ୍ତଙ୍କ ମନରେ ନାନା ପ୍ରଶ୍ନ । ଏହା କେବଳ ରାଜନୈତିକ ଦଳ ଓ ନେତୃବର୍ଗଙ୍କ ମନରେ ନୁହେଁ, ସାଧାରଣ ଜନତାଙ୍କୁ ମଧ୍ୟ ଘାରି ଚାଲିଛି । ଏହି ଅନିଶ୍ଚିତତା ଦେଶବାସୀଙ୍କୁ ଏକ ଦୋ’ଛକିରେ ଠିଆ କରାଇ ଦେଇଛି । ଗତ ଏକବର୍ଷ ମଧ୍ୟରେ ଦେଶ ହିଂସାକାଣ୍ଡ, ସାମାଜିକ ବିଭେଦ, ପୋଡ଼ାଜଳା, ଆର୍ଥିକ ଦୁର୍ଗତି, ରାଜନୈତିକ ଘୃଣା ମଧ୍ୟକୁ ଠେଲି ହୋଇଯାଇଛି ।

ସମଗ୍ର ବାଂଲାଦେଶ ପୁଣି ଥରେ ଅଶାନ୍ତ ହୋଇପଡ଼ିଛି ଏବଂ ରାଜଧାନୀ ଢାକା ସମେତ ଦେଶର ୧୭ଟି ସ୍ଥାନରେ ବୋମା ବିସ୍ଫୋରଣ ଓ ପୋଡ଼ାଜଳା ଭଳି କାଣ୍ଡ ଘଟିଛି । ଏଭଳି ଘଟଣାକୁ ଦେଖି ସେ ଦେଶର କାମଚଳା ସରକାର ଅଧିକାଂଶ ସ୍ଥାନରେ ନିଷେଧାଜ୍ଞା ଜାରି କରିବା ସହିତ ସେନା, ଅର୍ଦ୍ଧସାମରିକ ବାହିନୀ ଏବଂ ସଶସ୍ତ୍ର ପୁଲିସବଳ ମୁତୟନ କରିଛନ୍ତି । ଆସନ୍ତା ୧୭ ତାରିଖ ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ନେତ୍ରୀ ଶେଖ୍ ହସିନାଙ୍କ ବିରୁଦ୍ଧରେ ଚାଲିଥିବା ଅପରାଧିକ ମାମଲାର ଶୁଣାଣି ପୂର୍ବରୁ ଏଭଳି ଅଶାନ୍ତ ପରିସ୍ଥିତି ବାଂଲାଦେଶର କାମଚଳା ସରକାରଙ୍କୁ ଅଡୁଆ ସ୍ଥିତି ମଧ୍ୟକୁ ଠେଲି ଦେଇଛି ।

ବିଚାରାଳୟର ଶୁଣାଣି ଓ ରାୟ ପ୍ରକାଶ ପୂର୍ବରୁ ଆୱାମୀ ଲିଗ୍ କର୍ମୀ ଓ ନେତୃବର୍ଗଙ୍କ ପକ୍ଷରୁ ଦିଆଯାଇଥିବା ଲକ୍ଡାଉନ୍ ଡାକରା ଏକଥା ସ୍ପଷ୍ଟ କରିଛି ଯେ, ମଧ୍ୟବର୍ତ୍ତୀ ସରକାରଙ୍କ ଦ୍ୱାରା ଅସିଦ୍ଧ ବୋଲି ଘୋଷଣା କରାଯାଇଥିଲେ ସୁଦ୍ଧା, ଆୱାମୀ ଲିଗ୍ର ବିପୁଳ ସଂଖ୍ୟକ ଅନୁଗାମୀ ଏବେ ସେମାନଙ୍କର ସମୂହ ସ୍ୱର ଉତ୍ତୋଳନ କରିଛନ୍ତି । ଆୱାମୀ ଲିଗ୍ ଦଳକୁ ବର୍ତ୍ତମାନର କାମଚଳା ସରକାର ଅସିଦ୍ଧ ଘୋଷଣା କରିଛନ୍ତି ଏବଂ ଦେଶର ନିର୍ବାଚନ ଆୟୋଗ ମଧ୍ୟ ଏହି ଦଳର ପଞ୍ଜୀକରଣକୁ ରଦ୍ଦ କରିଛି । ଆୱାମୀ ଲିଗ୍ର ସମର୍ଥକମାନଙ୍କ ପ୍ରତିବାଦର କାରଣ ଯେ, ଶେଖ୍ ହସିନାଙ୍କ ବିରୁଦ୍ଧରେ ଅଦାଲତରେ ଅଣାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ରାଜନୈତିକ ଉଦ୍ଦେଶ୍ୟ ରଖି ଅନ୍ତଃରାଷ୍ଟ୍ରୀୟ ଅପରାଧିକ ଟ୍ରିବୁନାଲରେ ତାଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଛନ୍ତି । ଏହା ଏହି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଯେ, ଆସନ୍ତା ବର୍ଷ ଫେବ୍ରୁଆରୀ ମାସରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବା କଥା । ଶେଖ୍ ହସିନାଙ୍କୁ ଯଦି ଦୋଷୀ ସାବ୍ୟସ୍ତ କରାଯାଏ ଏବଂ ଯଦି ଆୱାମୀ ଲିଗ୍ ଅସିଦ୍ଧ ହୁଏ, ତେବେ ରାଜନୈତିକ ଦୃଶ୍ୟପଟ୍ଟରୁ ଏହି ଦଳକୁ ଏକପ୍ରକାର ଦୂରେଇ ଯିବା ସଙ୍ଗେ ସମାନ ହେବ । ପୁନଶ୍ଚ, ଦଳୀୟ ନେତୃବର୍ଗ ଏବଂ କର୍ମୀଙ୍କ ଉପରେ ଦମନଲୀଳା ଓ ଗିରଫଦାରୀ ବୃଦ୍ଧି ପାଇବ । ଏହା ବାଂଲାଦେଶର ରାଜନୈତିକ ଇତିହାସରେ କିଛି ନୂଆ କଥା ନୁହେଁ । ଆୱାମୀ ଲିଗ୍ ନେତ୍ରୀ ଶେଖ୍ ହସିନା ବର୍ତ୍ତମାନ ଭାରତରେ ଆତ୍ମନିର୍ବାସନରେ ଅଛନ୍ତି ।

ଗତବର୍ଷ ଅଗଷ୍ଟ ୫ ତାରିଖ ଦିନ ତାଙ୍କ ସରକାରର ଯେଉଁଭଳି ହିଂସାତ୍ମକ ଆନ୍ଦୋଳନ ମାଧ୍ୟମରେ ପତନ ଘଟିଥିଲା, ସେଥିରେ ସେ ଦେଶ କେବଳ ଅରାଜକତା ମଧ୍ୟକୁ ଠେଲି ହୋଇଯାଇନଥିଲା, ଏପର୍ଯ୍ୟନ୍ତ ତାହା ଜାରି ରହିଛି । ପ୍ରଫେସର ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ପରିଚାଳିତ କାମଚଳା ସରକାର ଇତିମଧ୍ୟରେ କେବଳ ରାଜନୈତିକ ଅରାଜକତା ସୃଷ୍ଟି ହୋଇନାହିଁ, ଆର୍ଥିକ, ସାମାଜିକ ଦୃଷ୍ଟିକୋଣରୁ ମଧ୍ୟ ତଳିତଳାନ୍ତ ଅବସ୍ଥାକୁ ଆସି ସାରିଛି । ଦେଶରେ ସାଧାରଣ ନିର୍ବାଚନକୁ ନେଇ ମଧ୍ୟ ଅନିଶ୍ଚିତତା ସୃଷ୍ଟି ହୋଇଛି । ଏଭଳି ପୃଷ୍ଠଭୂମିରେ ବାଂଲାଦେଶର ଭବିଷ୍ୟତକୁ ନେଇ ଏବେ ସମସ୍ତଙ୍କ ମନରେ ନାନା ପ୍ରଶ୍ନ । ଏହା କେବଳ ରାଜନୈତିକ ଦଳ ଓ ନେତୃବର୍ଗଙ୍କ ମନରେ ନୁହେଁ, ସାଧାରଣ ଜନତାଙ୍କୁ ମଧ୍ୟ ଘାରି ଚାଲିଛି । ଏହି ଅନିଶ୍ଚିତତା ଦେଶବାସୀଙ୍କୁ ଏକ ଦୋ’ଛକିରେ ଠିଆ କରାଇ ଦେଇଛି । ଗତ ଏକବର୍ଷ ମଧ୍ୟରେ ଦେଶ ହିଂସାକାଣ୍ଡ, ସାମାଜିକ ବିଭେଦ, ପୋଡ଼ାଜଳା, ଆର୍ଥିକ ଦୁର୍ଗତି, ରାଜନୈତିକ ଘୃଣା ମଧ୍ୟକୁ ଠେଲି ହୋଇଯାଇଛି । ଯଦି ଶେଖ୍ ହସିନାଙ୍କ ପାଇଁ ଏଭଳି ଘଟୁଥିଲା ବୋଲି ଅଭିଯୋଗ କରି ତାଙ୍କୁ କ୍ଷମତାରୁ ହଟା ଯାଇଥିଲା, ତାଙ୍କ ଅବର୍ତ୍ତମାନରେ ଏହାର ସମାଧାନ ନହୋଇ ପୁନରାବୃତ୍ତି ଘଟିବାର କାରଣ କ’ଣ? ବାଂଲାଦେଶର ଇତିହାସ ଦର୍ଶାଏ ଯେ, ସେ ଦେଶରେ ରାଜନୈତିକ ଦଳମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଘୃଣା, ଆକ୍ଷେପ, ଆକ୍ରୋଶ ଲାଗି ରହିଆସିଛି । ଏହା ଥରେ ନୁହେଁ, ବାରମ୍ବାର ଘଟିଆସିଛି ।

ଦେଶକୁ ସ୍ୱାଧୀନତା ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରହମନ୍ଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ରାଜନୈତିକ ଦଳମାନେ ମୁଖ୍ୟତଃ ଉଦାରପନ୍ଥୀ ଓ କଠୋରପନ୍ଥୀ ଭାବରେ ବିଭାଜିତ ହୋଇ ରହିଆସିଛନ୍ତି । ଏହି ଧାରା ବର୍ତ୍ତମାନ ସୁଦ୍ଧା ଜାରି ରହିଆସିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା, ଦେଶର ସାଧାରଣ ଜନତାଙ୍କୁ ଏଥିରେ ମୋହରା କରାଯାଉଛି । ସେଥିରୁ ମୁକ୍ତି ପାଇବାର ଦ୍ୱାର ସବୁଦିନ ପାଇଁ ରୁଦ୍ଧ । ବର୍ତ୍ତମାନ ତାହା ଉତ୍କଟ ସ୍ଥିତି ଧାରଣ କରିଛି । ଶେଖ୍ ହସିନା କେବେ ସ୍ୱଦେଶକୁ ବାହୁଡ଼ିବେ ଅବା ଆୱାମୀ ଲିଗ୍ ଉପରୁ କେବେ ନିଷେଧାଦେଶ ଉଠିବ ତାହା ଭିନ୍ନ ପ୍ରସଙ୍ଗ । କିନ୍ତୁ ଦେଶର ଯେଉଁ ଯୁବଗୋଷ୍ଠୀ ଦେଶବାସୀଙ୍କୁ ଶାନ୍ତି, ସ୍ଥିରତା ଏବଂ ସୁଶାସନ ଦେବାର ପ୍ରତିଶ୍ରୁତି ଦେଇ ଏକ ନିର୍ବାଚିତ ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ କ୍ଷମତାଚ୍ୟୁତ କରାଇଥିଲେ, ଏବେ ତାହା ପୂରଣ କରିବା ସେମାନଙ୍କର ପ୍ରଥମ କର୍ତ୍ତବ୍ୟ ହେବା ଉଚିତ । ସରକାର ବଦଳିବ, ଶାସକ ବଦଳିବେ, କିନ୍ତୁ ବ୍ୟବସ୍ଥା ସୁସଙ୍ଗତ ରହିବା ଉଚିତ । ତାହା ପ୍ରତି ସମସ୍ତଙ୍କର ପ୍ରତିବଦ୍ଧତା ରହିବା କାମ୍ୟ । ଯେହେତୁ ବ୍ୟକ୍ତିଗତ ସ୍ୱାର୍ଥ, ଘୃଣା, ଈର୍ଷା ମଧ୍ୟରେ ଏବେ ସେ ଦେଶ ଗତି କରୁଛି । ତାହାର କୁପରିଣାମ ବାଂଲାଦେଶବାସୀଙ୍କୁ ଭୋଗ କରିବାକୁ ପଡ଼ୁଛି । ଏହାର ଅନ୍ତ କେଉଁଠି, ତାହାରି ପ୍ରତୀକ୍ଷାରେ ଦେଶବାସୀ ।