ନୂଆଦିଲ୍ଲୀ: ବାଂଲାଦେଶ ସରକାର ଦେଶର ସର୍ବବୃହତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ ବନ୍ଦର ଚିଟାଗଙ୍ଗ ବନ୍ଦରର ତିନୋଟି ପ୍ରମୁଖ ଟର୍ମିନାଲକୁ ବିଦେଶୀ କମ୍ପାନୀଙ୍କୁ ପରିଚାଳନା ପାଇଁ ହସ୍ତାନ୍ତର କରିବାକୁ ଯୋଜନା କରୁଛନ୍ତି । ନିର୍ବାଚନ ପୂର୍ବରୁ ବାଂଲାଦେଶର ପ୍ରମୁଖ ବନ୍ଦରକୁ ଚୀନକୁ ହସ୍ତାନ୍ତର କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏହି ବନ୍ଦର ଦେଶର ଆମଦାନୀ ଏବଂ ରପ୍ତାନୀ ବାଣିଜ୍ୟର ୯୨% ପରିଚାଳନା କରେ। ରାଜନୈତିକ ଦଳ ଏବଂ ସ୍ଥାନୀୟ ବ୍ୟବସାୟ ସଂଗଠନଗୁଡ଼ିକ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି।
ବାଂଲାଦେଶ ଏବଂ ଚୀନ୍ ମଧ୍ୟରେ ବନ୍ଦର ଓ ନୌସେନା ଘାଟି ସମେତ ରଣନୈତିକ ସହଭାଗୀତାର ସୁଦୃଢ଼ କରିବା ଉପରେ ଆଳୋଚନା ଜାରି ରହିଛି । ଚୀନ୍ ବାଂଲାଦେଶରେ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ନିବେଶ କରୁଛି। ଏହା ବାଂଲାଦେଶର ସବୁଠାରୁ ବଡ଼ ଏବଂ ବ୍ୟସ୍ତବହୁଳ ବନ୍ଦର। ଚୀନ୍ ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭ୍ (BRI) ଅଧୀନରେ ଏହି ବନ୍ଦରରେ ବହୁ ପରିମାଣରେ ନିବେଶ କରୁଛି। ଏହା ବ୍ୟତୀତ, ଚୀନ୍ ଏକ ସ୍ୱତନ୍ତ୍ର ଶିଳ୍ପ ଅର୍ଥନୈତିକ କ୍ଷେତ୍ର ପ୍ରତିଷ୍ଠା ପାଇଁ ଏହି ଅଞ୍ଚଳରେ ୩୫୦ ମିଲିୟନ ଡଲାର ନିବେଶ କରିବାକୁ ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏହି ନିବେଶ ଚୀନ୍କୁ ବଙ୍ଗୋପସାଗରରେ ତାର ରଣନୈତିକ ଉପସ୍ଥିତିକୁ ସୁଦୃଢ଼ କରିବାକୁ ସକ୍ଷମ କରିବ ।
ଅକ୍ଟୋବର ୧୨ ତାରିଖରେ ରାଜଧାନୀ ଢାକାରେ ଏକ ସେମିନାରରେ ଭାଷଣ ଦେଇ ଜାହାଜ ଚଳାଚଳ ମନ୍ତ୍ରଣାଳୟର ବରିଷ୍ଠ ସଚିବ ମହମ୍ମଦ ୟୁସୁଫ୍ କହିଛନ୍ତି ଯେ, ଲାଲଡିଆ ଏବଂ ନ୍ୟୁ ମୁରିଂ କଣ୍ଟେନର ଟର୍ମିନାଲ (ଚିଟାଗଙ୍ଗ) ଏବଂ ପାଙ୍ଗାଓଆନ୍ ଟର୍ମିନାଲ (କେରାନିଗଞ୍ଜ, ଢାକା) ପରିଚାଳନା ପାଇଁ ବିଦେଶୀ କମ୍ପାନୀଗୁଡ଼ିକ ସହିତ ଚୁକ୍ତିନାମା ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସ୍ୱାକ୍ଷରିତ ହେବ । ସେ କହିଛନ୍ତି, ଏଥିମଧ୍ୟରୁ ଲାଲଡିଆ ଟର୍ମିନାଲକୁ ୩୦ ବର୍ଷ ପାଇଁ ଏକ ବିଦେଶୀ କମ୍ପାନୀକୁ ଲିଜ୍ ଦିଆଯିବ । ବାକି ଦୁଇଟି କଣ୍ଟେନର ଟର୍ମିନାଲକୁ ୨୫ ବର୍ଷ ପାଇଁ ଲିଜ୍ ଦିଆଯିବ।
ସେପଟେ ଏହି ପଦକ୍ଷେପକୁ ରାଜନୈତିକ ଦଳ ବିଏନପି , ଜମାତ-ଏ-ଇସଲାମୀ ଏବଂ ବାଂଲାଦେଶ ପୋଷାକ ନିର୍ମାତା ଓ ରପ୍ତାନିକାରୀ ସଂଘ (ବିଜିଏମଇଏ), ବାଂଲାଦେଶ ନିଟୱୟାର ନିର୍ମାତା ଓ ରପ୍ତାନିକାରୀ ସଂଘ ଭଳି ବାଣିଜ୍ୟ ସଂଗଠନଗୁଡ଼ିକ କଡ଼ା ସମାଲୋଚନା କରିଛନ୍ତି । ଏହି ସମାଲୋଚନାର ଜବାବ ଦେଇ ଜାହାଜ ଚଳାଚଳ ସଚିବ ୟୁସୁଫ୍ କହିଛନ୍ତି ଯେ, ଏହା ରଣନୈତିକ ଏବଂ ଭୌଗୋଳିକ ଦୃଷ୍ଟିକୋଣରୁ କୌଣସି ବିପଦ ସୃଷ୍ଟି କରିବ ନାହିଁ । ବିଦେଶୀ ଅପରେଟରମାନେ ପୂର୍ବରୁ ଶ୍ରୀଲଙ୍କା ଏବଂ ଭାରତରେ ବନ୍ଦର ପରିଚାଳନା କରୁଛନ୍ତି । ସେଠାରେ କୌଣସି ସମସ୍ୟା ହୋଇନାହିଁ ବୋଲି ସେ ସଫେଇ ଦେଇଛନ୍ତି ।