ନୂଆଦିଲ୍ଲୀ,୩।୧୨: ବାଂଲାଦେଶର କିଛି ରିଟାୟର୍ଡ ଜେନେରାଲ ମଧ୍ୟ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନୀରଙ୍କ ଭଳି ଭାରତକୁ ନେଇ ବିପଦଜନକ ସ୍ବପ୍ନ ଦେଖୁଛନ୍ତି। ବାଂଲାଦେଶ ସେନାରୁ ଅବସରପ୍ରାପ୍ତ ବ୍ରିଗେଡିୟର ଜେନେରାଲ ଅବଦୁଲ୍ଲାହିଲ୍ ଅମାନ୍ ଆଗମୀ ଭାରତ ବିରୋଧରେ ବିଷ ଓଗାଳିଛନ୍ତି। ସେ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ଭାରତ ଖଣ୍ଡ ଖଣ୍ଡ ନହୋଇଛି, ବାଂଲାଦେଶରେ ସମ୍ପୂର୍ଣ୍ଣ ଶାନ୍ତି ସ୍ଥାପିତ ହୋଇପାରିବନି।’

ଅବଦୁଲ୍ଲାହିଲ୍ ଅମାନ୍ ଆଜମୀଙ୍କ ଭାରତ ବିରୋଧି ପୁରୁଣା ଇତିହାସ ରହିଛି। ବାଂଲାଦେଶ ସେନାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ କାମ କରିସାରିଛନ୍ତି। ୧୯୭୧ ରେ ଯୁଦ୍ଧ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ସାରିଛନ୍ତି। ସେ ଜମାତ-ଇ-ଇସଲାମି ନେତା ଗୁଲାମ ଆଜମଙ୍କ ପୁଅ, ଯିଏ ୧୯୭୧ ମସିହାରେ ହିନ୍ଦୁ ଏବଂ ସ୍ୱାଧୀନତା ସମର୍ଥକ ବଙ୍ଗାଳୀଙ୍କ ନରସଂହାର ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ଏକ ଭିଡିଓରେ ଅବଦୁଲ୍ଲାହୀ ଅମାନ ଆଜମୀ କହିଛନ୍ତି, ‘ଯେ ପର୍ଯ୍ୟନ୍ତ ଭାରତ ଖଣ୍ଡ ଖଣ୍ଡ ନହୁଏ, ସେ ପର୍ଯ୍ୟନ୍ତ ଏହା ବାଂଲାଦେଶକୁ ଶାନ୍ତିରେ ରହିବାକୁ ଦେବ ନାହିଁ। ଭାରତ ସବୁଠି ହସ୍ତକ୍ଷେପ କରେ - ଆମ ଗଣମାଧ୍ୟମରେ, ଆମର ସାଂସ୍କୃତିକ ଦୁନିଆରେ, ଆମର ବୁଦ୍ଧିଜୀବିଙ୍କ ଜଗତରେ ପ୍ରତି ସ୍ଥାନରେ ଭାରତ ହସ୍ତକ୍ଷେପ କରିଥାଏ। ଯେଉଁମାନେ ଜଳ ପ୍ରସଙ୍ଗରେ ଆମ ପାଇଁ ବାଧା ସୃଷ୍ଟି କରୁଛନ୍ତି, ଆମର ଲୋକଙ୍କୁ ଯେଉଁଭଳି ହତ୍ୟା କରୁଛନ୍ତି ଏହା ଆମ ପାଇଁ ବଡ଼ ସମସ୍ୟା।

ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଭାରତକୁ ପାକିସ୍ତାନର ପୁରୁଣା ରଣନୀତି ‘ବ୍ଲିଡ୍ ଇଣ୍ଡିଆ ଓ୍ବିଥ୍ ଏ ଥାଉଜେଣ୍ଡ କଟସ୍’ ବା ‘ହଜାର ଥର କାଟି ଭାରତକୁ ରକ୍ତାକ୍ତ କରିବା’ । ପାକିସ୍ତାନର ଦୀର୍ଘକାଳୀନ ରଣନୀତି ସିଧାସଳଖ ଯୁଦ୍ଧ ବଦଳରେ ପ୍ରକ୍ସି ଓ୍ବାର, ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଆଭ୍ୟନ୍ତରୀଣ ଅସ୍ଥିରତା ଦ୍ବାରା ଭାରତକୁ ଧୀରେ ଧୀରେ ଦୁର୍ବଳ କରିବାକୁ ଚାହୁଁଛି। ଏହାର ଲକ୍ଷ୍ୟ ହେଉଛି ଭାରତକୁ ଆର୍ଥିକ, ସାମାଜିକ ଏବଂ ରାଜନୈତିକ ଭାବରେ ଭାଙ୍ଗିବା, ଯାହା ଦ୍ଵାରା ଏହା ‘ଖଣ୍ଡଖଣ୍ଡ’ ହୋଇଯିବ। ଅବସରପ୍ରାପ୍ତ ବାଂଲାଦେଶୀ ଜେନେରାଲ ଅବଦୁଲ୍ଲାହୀ ଅମାନ ଆଜମୀ ପୂର୍ବରୁ ଭାରତ ବିରୁଦ୍ଧରେ ବିଷ ଓଗାଳି ସାରିଛନ୍ତି। ଶେଖ ହସିନାଙ୍କ ସରକାରର ପତନ ପରେ, ସେ ବାଂଲାଦେଶର ଜାତୀୟ ସଙ୍ଗୀତ ଏବଂ ସମ୍ବିଧାନରେ ପରିବର୍ତ୍ତନ ଦାବି କରିଥିଲେ।