ଢାକା, ୩୧/୦୧ : ବାଂଲାଦେଶର ଚାଲବାଜି। ପାକିସ୍ତାନ ଓ ଚୀନ ସହ ମିଶି ଖେଳୁଛି ଖେଳ। ଭାରତକୁ ଝଟକା ପରେ ଝଟକା। ପାକିସ୍ତାନ ସହ ବିମାନ ଚଳାଚଳ ଆରମ୍ଭ କରିବା ପରେ ଏବେ ଭାରତ ଠାରୁ ସ୍ପେଶାଲ ଇକୋନୋମିକ୍ ଜୋନ୍ ଛଡ଼ାଇ ନେଲା ବାଂଲାଦେଶ। ଚଟଗାଓଁରେ ଭାରତକୁ ଦେଇଥିବା ଏସ୍ଇଜେଡ୍ ଜମିର ଆବଣ୍ଟନ ରଦ୍ଦ କରିଛନ୍ତି ୟୁନୁସ ସରକାର। ଡ୍ରୋନ୍ ଫ୍ୟାକ୍ଟ୍ରି ବନାଇବା ଲାଗି ଚୀନ୍କୁ ଦେଲେ ଜମି। ପ୍ରାୟ ୮୫୦ ଏକର ଜମିରେ ଚଳିତ ବର୍ଷ ଶେଷ ସୁଦ୍ଧା ସେଠାରେ ଚୀନ୍ ଡ୍ରୋନ୍ ବନାଇବା ଆରମ୍ଭ କରିଦେବ। ଏଥିସହ ବାଂଲାଦେଶକୁ ଚୀନ୍ ଡ୍ରୋନ୍ ଟେକ୍ନୋଲୋଜି ଦେବା ଲାଗି ମଧ୍ୟ ରାଜି ହୋଇଥିବା ଜଣାପଡ଼ିଛି। ସେଠାରେ ମିଡିୟମ ରେଞ୍ଜ୍ ଏବଂ ଭର୍ଟିକାଲ ଲିଫ୍ଟ ବିଶିଷ୍ଟ ଡ୍ରୋନ ନିର୍ମାଣ କରାଯିବ ।
ଚଟଗାଓଁ ପ୍ଲାଣ୍ଟ ଭାରତୀୟ ସୀମା ଠାରୁ ମାତ୍ର ୧୦୦ କିମି ଦୂର । ବାଂଲାଦେଶ ଦକ୍ଷିଣ ଏସିଆରେ ଭାରତ, ପାକିସ୍ତାନ ପରେ ତୃତୀୟ ଡ୍ରୋନ୍ ନିର୍ମାଣକାରୀ ଦେଶ ପାଲଟିବ । ଅନ୍ୟପକ୍ଷରେ ଚୀନ୍ ବାଂଲାଦେଶକୁ ୨୦ଟି ଜେ-୧୦ସିଇ ଯୁଦ୍ଧବିମାନ ଦେବା ଲାଗି ମଧ୍ୟ ଗତବର୍ଷ ଚୁକ୍ତି କରିଥିଲା । ଏହି ଯୋଗାଣ ଚଳିତ ବର୍ଷ ଶେଷ ଆଡ଼କୁ ଆରମ୍ଭ ହୋଇଯିବ। ଏ ବାବଦ ପେମେଣ୍ଟ ଲାଗି ମଧ୍ୟ ଚୀନ୍ ବାଂଲାଦେଶକୁ ମହଲତ ଦେଇଛି। ବାଂଲାଦେଶର ଏଭଳି ନିଷ୍ପତ୍ତି ପରେ ଭାରତକୁ ଶକ୍ତ ଝଟକା ଲାଗିଛି। ସୀମାରେ ଶତ୍ରୁମାନେ ବଳ ଗୋଟାଉଥିବା ଆଶଙ୍କା ବଢିଛି।
ପ୍ରକାଶଥାଉ କି, ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨୦୧୫ରେ ଏକ ବୁଝାମଣା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଢାକା ଗସ୍ତ କରିବା ବେଳେ ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହ ମିଳିତ ଘୋଷଣାନାମାରେ ଭାରତର ନିବେଶକଙ୍କ ପାଇଁ ଏକ ଇଣ୍ଡିଆନ ଇକୋନୋମିକ୍ ଜୋନ୍ (ଆଇଇଜେଡ୍) ସ୍ଥାପନ କରିବା ଲାଗି ନିଷ୍ପତ୍ତି ହୋଇଥିଲା । ଗଭର୍ନମେଣ୍ଟ-ଟୁ-ଗଭର୍ନମେଣ୍ଟ (ଜି୨ଜି) ଫ୍ରେମୱାର୍କ ଆଧାରିତ ଥିଲା, ଯେଉଁଥିରେ ଭାରତୀୟ ନିବେଶକଙ୍କୁ ପ୍ରାଥମିକତା ମିଳୁଥିଲା ଏବଂ ଭାରତର ଲାଇନ୍ ଅଫ୍ କ୍ରେଡିଟ୍ରୁ ଫଣ୍ଡିଂ ହେଉଥିଲା । ଆଇଇଜେଡ୍ ପାଇଁ ବାଂଲାଦେଶ ୮୫୦ ଏକର ଜମି ଆବଣ୍ଟନ କରିଥିଲା । ପ୍ରସ୍ତାବରେ ଆଉ ଏକ ଛୋଟ ଇକୋନୋମିକ ଜୋନ୍ ମୋଙ୍ଗଲାରେ ବି ପ୍ରସ୍ତାବିତ ଥିଲା । ଏହାର ଉଦ୍ଦେଶ୍ୟ ଥିଲା ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି, ଭାରତୀୟ ନିବେଶକଙ୍କୁ ଆକୃଷ୍ଟ କରିବା, ରୋଜଗାର ସୃଷ୍ଟି ଏବଂ ବାଂଲାଦେଶରେ ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ବିଶେଷ ସୁବିଧା ପ୍ରଦାନ । ଏହା ଦ୍ୱାରା ବାଂଲାଦେଶରେ ଭାରତୀୟ ଉପସ୍ଥିତି ବଢ଼ିବା ଯୋଗୁ ଆଞ୍ଚଳିକ ପ୍ରଭାବ ମଧ୍ୟ ମଜଭୁତ ହୋଇଥାଏ। ବିଶେଷ କରି ଚୀନ୍ ଏବଂ ଅନ୍ୟ ଦେଶଗୁଡ଼ିକର ଏସ୍ଇଜେଡ୍ ତୁଳନାରେ ସନ୍ତୁଳନ ରକ୍ଷାରେ ଏହା ବେଶ୍ ସହାୟକ ହୋଇଥାଏ । ଉତ୍ତର-ପୂର୍ବ ଭାରତ ପାଇଁ ସଂଯୋଗୀକରଣର ଉନ୍ନତ ମାର୍ଗ ଖୋଲିଥାଏ।
ଏହି ଖବରଟିକୁ ପଢନ୍ତୁ- ସୁଧୁରୁଛି ସମ୍ପର୍କ... ୧୪ ବର୍ଷ ପରେ କରାଚୀରେ ଅବତରଣ କଲା ବାଂଲାଦେଶ ବିମାନ, ୱାଟର ସାଲ୍ୟୁଟ୍ରେ ୱେଲକମ୍