ନୂଆଦିଲ୍ଲୀ, ୩୦/୦୧ : ପାକିସ୍ତାନର ବାଂଲାଦେଶ ପ୍ରେମ। ୧୪ ବର୍ଷ ପରେ କରାଚୀରେ ଓହ୍ଲାଇଲା ବାଂଲାଦେଶ ବିମାନ। ଏୟାରପୋର୍ଟରେ ୱାଟର ସାଲ୍ୟୁଟ୍ କରି କରାଗଲା ସ୍ଵାଗତ। ବଦଳୁଛି କି ଅହିନକୁଳ ସମ୍ପର୍କ? ମନେ ପଡ଼ିଗଲା କି ୟାରି ? ଧୀରେ ଧୀରେ ପାକ୍-ବାଂଲାଦେଶ ସମ୍ପର୍କ ସୁଧୁରୁଛି। ଗୁରୁବାର ସନ୍ଧ୍ୟାରେ ଢାକାରୁ ଏକ ବିମାନ ଆସି କରାଚୀର ଜିନ୍ନା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅବତରଣ କରିଛି। ଦୀର୍ଘ ଦଶନ୍ଧି ପରେ ଦୁଇ ଦେଶ ମଧ୍ୟରେ ବିମାନ ସେବା ପୁଣି ଥରେ ଆରମ୍ଭ ହୋଇଯାଇଛି। ଭାରତ ଏହା ଉପରେ ନଜର ରଖିଛି। 

ପାକିସ୍ତାନୀ ଏୟାରପୋର୍ଟର କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଦୀର୍ଘ ୧୪ ବର୍ଷ ପରେ ଢାକାରୁ ଜିନ୍ନା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅବତରଣ କରିଥିବା ଏହା ପ୍ରଥମ ବିମାନ। ବିମାନଟି ପହଞ୍ଚିବା ପରେ ଏୟାରପୋର୍ଟରେ ପାରମ୍ପରିକ ୱାଟର ସାଲ୍ୟୁଟ୍ ମାଧ୍ୟମରେ ଏହାକୁ ସ୍ଵାଗତ କରାଯାଇଥିଲା। ଏହା ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ବନ୍ଧୁତାର ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଦୁଇ ଦେଶ ମଧ୍ୟରେ ବଦଳୁଥିବା ସମ୍ପର୍କକୁ ନେଇ ଏବେ ଭାରତ ଟେନସନ୍‌ ରେ ଅଛି। ଏହି ଘଟଣା ପରେ ଭାରତ ଦୁଇ ପଡୋଶୀଙ୍କ ଗତିବିଧି ଉପରେ ନଜର ରଖୁଛି। 

ବାଂଲାଦେଶ ଗଣମାଧ୍ୟମ ଅନୁସାରେ, ବାଂଲାଦେଶ ଏୟାରଲାଇନ୍ସ ଏବେ ଢାକା ଏବଂ କରାଚୀ ମଧ୍ୟରେ ସପ୍ତାହରେ ଦୁଇଟି ବିମାନ ଚଳାଚଳ କରିବ। ଗୁରୁବାର ଏବଂ ଶନିବାର ଦିନ ଏହି ବିମାନ ଚଳାଚଳ କରିବ। ବିମାନଟି ରାତି ୮ଟାରେ ଢାକାରୁ ଉଡ଼ାଣ ଭରିବ ଏବଂ ରାତି ୧୧ଟାରେ କରାଚୀରେ ପହଞ୍ଚିବ। ବିମାନଟି ରାତି ୧୨ ଟାରେ କରାଚୀରୁ ପ୍ରତ୍ୟାବର୍ତ୍ତନ କରିବ ଏବଂ ସକାଳ ୪ଟା ୨୦ରେ ଢାକାରେ ଅବତରଣ କରିବ। ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଏହି ସେବା ପାଇଁ ବିମାନ କମ୍ପାନୀକୁ ଅସ୍ଥାୟୀ ଅନୁମତି ପ୍ରଦାନ କରାଯାଇଛି। ସ୍ଥିତି ଆକଳନ ପରେ ଦୀର୍ଘକାଳୀନ ଅନୁମତି ଦିଆଯିବ। 

୧୯୭୧ରେ ବାଂଲାଦେଶ ପାକିସ୍ତାନ ଠାରୁ ଅଲଗା ହୋଇ ସ୍ଵତନ୍ତ୍ର ହୋଇଥିଲା। ଶେଖ ହସିନାଙ୍କ ସରକାର ସମୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ବିଗିଡ଼ିଥିଲା। ହେଲେ ହସିନା ସରକାରଙ୍କ ପତନ ପରେ ବାଂଲାଦେଶ ପାକିସ୍ତାନ ସହ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରୁଛି। ଗତ ବର୍ଷଠାରୁ ଉଭୟ ଦେଶର ସରକାର ସିଧାସଳଖ ବିମାନ ଚଳାଚଳ ପୁନଃ ଆରମ୍ଭ କରିବା ପାଇଁ ଆଲୋଚନା କରୁଛନ୍ତି। ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାର ଢାକା ଗସ୍ତ କରିବା ସମୟରେ ଏନେଇ ଆଲୋଚନା କରିଥିଲେ।
 

ଏହି ଖବରଟିକୁ ପଢନ୍ତୁ- ଚୀନ୍‌ରେ ଗୋଟିଏ ପରିବାରର ୧୧ ଜଣଙ୍କୁ ଫାଶୀ, ଗମ୍ଭୀର ଦୁର୍ନୀତିରେ ଜଡ଼ିତ ଥିଲା କୁଖ୍ୟାତ ମିଙ୍ଗ୍ ପରିବାର