ନୂଆଦିଲ୍ଲୀ,୧୯।୧୨: ବାଂଲାଦେଶରୁ ବଡ ଧରଣର ଷଡଯନ୍ତ୍ର। ବିଫଳ କଲା ଆସାମ ଏସ୍‌ଟିଏଫ୍। ଆରଏସ୍ଏସ୍‌ ଓ ବହୁ ହିନ୍ଦୁ ସଂଗଠନ ସହ ଜଡିତ ଲୋକଙ୍କୁ ଟାର୍ଗେଟ କରିବାକୁ ଥିବା ସ୍ଲିପର ସେଲ୍‌ର କଲା ପର୍ଦାଫାଶ। କେରଳରୁ ଗିରଫ ହୋଇଥିବା ୮ ଆତଙ୍କବାଦୀଙ୍କ ଭିତରେ ଜଣେ ବାଂଲାଦେଶୀ ନାଗରିକ ମଧ୍ୟ ରହିଛନ୍ତି। ଧରାପଡିଥିଲା ବାଂଲାଦେଶୀର ଅଲକାଏଦା ସହ ସମ୍ପର୍କ ରହିଛି। ଏସ୍‌ଟିଏଫ୍‌ କହିଛି, ଆସାମ ଓ ପଶ୍ଚିମବଙ୍ଗରେ ସ୍ଲିପରସେଲ୍‌ ନେଟଓ୍ବର୍କକୁ ଆକ୍ଟିଭ କରିବା ପାଇଁ ଆତଙ୍କୀ ବାଂଲାଦେଶୀରୁ ଭାରତ ପହଁଞ୍ଚିଥିଲା, କିନ୍ତୁ ଷଡଯନ୍ତ୍ରକାରୀ ବିଫଳ ହୋଇଥିଲା। ଏହି ସ୍ପେଶାଲ ଅପରେସନ୍ ‘ପ୍ରଘାତ’ରେ ଆସାମ ଏସ୍‌ଟିଏଫ୍‌ ସହ କେରଳ ଓ ପଶ୍ଚିମବଙ୍ଗ ପୋଲିସ ମଧ୍ୟ ରହିଥିଲା। 

ଏସଟିଏଫ୍ କହିଛି, ସେ କେରଳ ଓ ପଶ୍ଚିମବଙ୍ଗ ପୋଲିସ ସହ ମିଶି ଏହି ଖାସ୍ ମିଶନ୍‌ ଉପରେ କାମ କରିଛି। ଗୁଇନ୍ଦା ରିପୋର୍ଟ ଅନୁସାରେ, ପୁରା ଭାରତରେ ‘ଅପରେସନ୍ ପ୍ରଘାତ’ ଆରମ୍ଭ ହୋଇଛି। ବାଂଲାଦେଶରେ ଅଲକାଏଦା ସହ ଜଡିତ ଜଣେ ନେତାର ସହଯୋଗୀ ମହମ୍ମଦ ଫରହାନ ଇସରାକ୍‌ର ଅଧିନରେ କାମ କରୁଥିବା ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ଆରଏସ୍ଏସ୍ ଓ ଅନ୍ୟ ହିନ୍ଦୁ ସଂଗଠନର ସଦସ୍ୟକୁ ଟାର୍ଗେଟ କରିବା ପାଇଁ ଭାରତରେ ସ୍ଲିପର ସେଲ୍‌ ଆକ୍ଟିଭ କରିବାକୁ ଚେଷ୍ଟା କରୁଥିଲା। ଗିରଫ ୮ ଆତଙ୍କୀଙ୍କ ଭିତରେ ଜଣେ ବାଂଲାଦେଶୀକୁ ଚିହ୍ନଟ କରାଯାଇଛି। ଯାହାର ନାଁ ମହମ୍ମଦ ସାଦ୍ ଓରଫ୍ ମହମ୍ମଦ ଶବ୍ ଶେଖ୍(୩୨)।

ମହମ୍ମଦ ଫରହାନ୍ ଇସରାକ୍ ଜସିମୁଦ୍ଧିନ୍‌ ରହମାନୀର ଘନିଷ୍ଠ, ଯିଏକି ଆତଙ୍କୀ ସଂଗଠନ ଅନସାରୁଲ୍ଲାହ ବାଂଲା ଟିମ୍‌ର ମୁଖ୍ୟ। ଏହି ଆତଙ୍କୀ ଗୋଷ୍ଠୀର ଅଲକାଏଦା ସହ ସମ୍ପର୍କ ରହିଛି।  ଗିରଫ ହୋଇଥିବା ଅନ୍ୟ ୭ ଆତଙ୍କବାଦୀ ହେଲେ ମିନାରୁଲ୍ଲ ଶେଖ(୪୦), ମହମ୍ମଦ ଅବାସ୍ ଅଲ୍ଲୀ(୩୩), ନୂର ଇସ୍ଲାମ ମଣ୍ଡଳ(୪୦), ଅବଦୁଲ କରିମ ମଣ୍ଡଳ(୩୦), ମୋଜିବର ରହମାନ (୪୬), ହମିଦୁଲ ଇସ୍ଲାମ(୩୪), ଓ ଇନାମୁଲ ହକ୍(୨୯) ରୂପରେ ଚିହ୍ନଟ ହୋଇଛନ୍ତି।