ବଲାଙ୍ଗୀର,୧୦।୧୧: ସରକାରୀ ପାଣ୍ଠି ହେରଫେର କରି ଭିଜିଲାନ୍ସ ଜାଲରେ ପଡିଛନ୍ତି ବଙ୍ଗୋମୁଣ୍ଡା ବ୍ଲକର କନିଷ୍ଠ ଯନ୍ତ୍ରୀ । ୨୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ଜୟନାରାୟଣ ବାଗ୍ଙ୍କୁ ଭିଜିଲାନ୍ସ ଗିରଫ କରିଛି।ସେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାୟ ୨୨ ଲକ୍ଷ ୧୬ ହଜାର ୭୨ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।
ବଙ୍ଗୋମୁଣ୍ଡା ବ୍ଲକ୍ ଅନ୍ତର୍ଗତ ବେଲପଡା ଜି.ପି. ଅଞ୍ଚଳରେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ମିଥ୍ୟା ମଷ୍ଟର ରୋଲ୍ ପ୍ରସ୍ତୁତ, ଅତିରିକ୍ତ ମାପ ରେକର୍ଡ ଏବଂ କାର୍ଯ୍ୟ ନକରି ସରକାରୀ ଅର୍ଥର ଜୟନାରାୟଣ ହେରଫେର କରିଥିଲେ। ଏପରିକି ୫ଟି ପୋଖରୀ ମଧ୍ୟରୁ ଗୋଟିଏ ପୋଖରୀ ୨୦୨୩-୨୪ରେ ପୁନରୁଦ୍ଧାର ହୋଇଥିବା ଦର୍ଶାଯାଇଥିଲେ ମଧ୍ୟ ସେହି ପୋଖରୀଟି ବାସ୍ତବରେ ନ ଥିବା ତଦନ୍ତ ବେଳେ ଭିଜିଲାନ୍ସ ଜାଣିବାକୁ ପାଇଥିଲା। ଜୟନାରାୟଣଙ୍କୁ ଗିରଫ ପରେ ବଲାଙ୍ଗୀର ଭିଜିଲାନ୍ସ ସ୍ପେଶାଲ୍ ଜଜ୍ କୋର୍ଟ ପଠାଯାଇଛି।