ଭୁବନେଶ୍ବର,୧୮।୩ : ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧରେ ଯାଇ କ୍ରସ୍ ଭୋଟିଂ ଓ ଆସିଥିବା ସୋ କଜ ନୋଟିସକୁ ନେଇ ବାଙ୍କୀ ବିଧାୟକ ଦେବୀ ତ୍ରିପାଠୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବିଜେଡିର ପ୍ରାଥମିକ ସଦସ୍ୟତା ପଦ ଛାଡିବା ପ୍ରଶ୍ନ ଉଠୁ ନାହିଁ। ମୁଁ ବିଜେଡି ନେତା, ସାଧାରଣ ସମ୍ପାଦକ ରହିଛି । ମୁଁ ବିଶ୍ୱାସଘାତ କରି ନାହିଁ। ଯାହା ମତେ ଠିକ ଲାଗିଛି ମୁଁ ତାହା କରିଛି।

ମୁଁ ବିଜୁ ବାବୁଙ୍କ ଆଦର୍ଶରେ ଏବେ ବି ବିଜେଡିରେ ଜଡିତ ଅଛି। ମାର୍ଚ୍ଚ ୨୦ ସୁଦ୍ଧା କାରଣ ଦର୍ଶାସ ନୋଟିସ ପାଇଁ ଜବାବ ରଖିବି। ଅପେକ୍ଷା କର, କଣ ହେଉଛି ଦେଖିବ । ଆଇନ ଅନୁଯାୟୀ ଜବାବ ରଖିବି ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ , ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ରାଜ୍ୟସଭାରେ କ୍ରସ୍ଭୋଟିଂ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚକ୍ମା ଦେଇଛନ୍ତି । ଦେବୀଙ୍କ ଏଭଳି ଆକ୍ସନ୍ ରାଜନୈତିକ ବିଶେଷଜ୍ଞଙ୍କ ଆକଳନକୁ ଭୁଲ୍ ପ୍ରମାଣିତ କରିଛି । ଦଳ ହ୍ୱିପ୍ ବିରୋଧରେ ଯାଇଥିବାରୁ ବିଜେଡି ଶିବିରରେ ଏହାକୁ ନେଇ ଅସନ୍ତୋଷ ଦେଖାଯାଇଛି । ବିଜେଡି ପକ୍ଷରୁ ତାଙ୍କୁ ସୋ’ କଜ ନୋଟିସ ଜାରି କରାଯାଇଛି।