କଟକ,୦୭/୦୬: ନୂଆ ରୂପ ନେବ ବାରବାଟୀ  ଦୁର୍ଗ । ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ପାଇଁ ରହିବ ଅନେକ ସୁବିଧା । ଐତିହ୍ୟକୁ ସୁରକ୍ଷା ଦେଇ କରାଯିବ  ସମସ୍ତ ଉନ୍ନତିକରଣ । ଯାହାଦ୍ୱାରା ପର୍ଯ୍ୟଟନ ସ୍ଥଳ କ୍ଷେତ୍ର  ମଧ୍ୟରେ ମୁଖ୍ୟ କେନ୍ଦ୍ର ବିନ୍ଦୁ ପାଲଟିବ ବାରବାଟୀ ଦୁର୍ଗ ।  ଏଭଳି କିଛି ଯୋଜନା ସହ ୫୦ କୋଟି ବ୍ୟୟବରାଦ  କରିବାକୁ ଯୋଜନା କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ ।  ଉନ୍ନତିକରଣ ତଥା ନୂଆ ରୂପରେଖ ପାଇଁ ଖୁବ୍‌ ଶୀଘ୍ର  ଡିପିଆର୍‌ ପ୍ରସ୍ତୁତ କରାଯିବ । ଏନେଇ ବିଭାଗ ପକ୍ଷରୁ  ସ୍ୱତନ୍ତ୍ର ଆର୍କିଟେକ୍‌ଙ୍କ ଦ୍ୱାରା ଡିପିଆର୍‌ ପ୍ରସ୍ତୁତ କରିବା  ପାଇଁ ଆଜି ଟେଣ୍ଡର୍‌ ଡକାଯାଇଛି । ତେବେ ଗୋଟିଏ ପଟେ  ଏହାକୁ ନେଇ ଚାରିଆଡ଼େ ପ୍ରଶଂସା କରାଯାଉଥିଲାବେଳେ ଅନ୍ୟପଟେ ଏଥିରେ ଏଏସ୍‌ଆଇର ଅନୁମତି କେଁ  ଏଯାବତ୍‌ ଦୂର ହୋଇପାରିନାହିଁ । 

କଟକ ପରିଚୟ ହେଉଛି ବାରବାଟୀ ଦୁର୍ଗ । ରୌପ୍ୟନଗରୀର  ଇତିହାସକୁ ଆଜି ବି ବଖାଣୁଛି ଏହି  ଦୁର୍ଗ । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ଏହି  ଦୁର୍ଗ ଦିନକୁ ଦିନ ଅବହେଳିତ  ଅବସ୍ଥାରେ ରହିଛି । ଯଦିଓ  ଏହାକୁ ଦେଖିବାକୁ ବିଭିନ୍ନ ସ୍ଥାନରୁ  ପର୍ଯ୍ୟଟନ ଆସୁଛନ୍ତି କିନ୍ତୁ ବିପର୍ଯ୍ୟସ୍ତ କାରଣରୁ ଏଥିରୁ  ଧୀରେ ଧୀରେ ମୁହଁ ମୋଡୁଛନ୍ତି । ଗୋଟିଏ ପଟେ  ଗଡ଼ଖାଇ ପଙ୍କରେ ପୋତି ହେଉଥିଲାବେଳେ ଅନ୍ୟ  ପଟେ ବାରବାଟୀ ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ଖୋଲିପାରୁନି ।  ଏଭଳି ସ୍ଥିତିରେ ସିଏମ୍‌ସିରୁ ନେଇ ଜିଲ୍ଲା ପ୍ରଶାସନ  ସମସ୍ତେ ଅନେକ ଥର ଏହାର ଉନ୍ନତିକରଣ ପାଇଁ  ଘୋଷଣା କରୁଥିଲେ ମଧ୍ୟ ତାହା ଏଏସ୍‌ଆଇ ଅନୁମତି  କେଁ ପାଇଁ କେବଳ କାଗଜକଲମରେ ସୀମିତ ରହିଛି । ଏହା ମଧ୍ୟରେ ପୁଣି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ  ବାରବାଟୀ ଦୁର୍ଗର ଉନ୍ନତିକରଣ ପାଇଁ ନୂଆ ଯୋଜନା  କରାଯାଇଛି । ଏହାକୁ ନୂଆ ରୂପ ଦେବାକୁ ପର୍ଯ୍ୟଟନ  ବିଭାଗ ୫୦କୋଟି ଖର୍ଚ୍ଚ କରିବାକୁ ପ୍ରସ୍ତାବ ଦେଇଛି ।  ଏଥିପାଇଁ ସ୍ୱତନ୍ତ୍ର ଡିପିଆର୍‌ ପ୍ରସ୍ତୁତ କରାଯିବ । ଏନେଇ ଡକାଯାଇଥିବା ଟେଣ୍ଡର୍‌ ଆସନ୍ତା ୧୭ ତାରିଖରେ  ଖୋଲାଯିବ । ପରେ ଏ ଦିଗରେ କାର୍ଯ୍ୟ ଆରମ୍ଭ ହେବ ।  

ଏହାମଧ୍ୟରେ ପୂର୍ବରୁ ଅନେକ ଥର ଏଭଳି କାର୍ଯ୍ୟ  ହୋଇଥିଲାବେଳେ ଶେଷ ସମୟରେ ଏଏସ୍‌ଆଇ ବିଭିନ୍ନ  ଆଳରେ କାର୍ଯ୍ୟ କରିବାକୁ ମନା କରିଦେଇଛି । ବର୍ତ୍ତମାନ ୫୦କୋଟିର ରୂପରେଖ ପ୍ରସ୍ତୁତ ପାଇଁ ପ୍ରସ୍ତାବ ହୋଇଛି,  ତାହାପରେ ଏଏସ୍‌ଆଇରୁ ଅନୁମତି ଅଣାଯିବ । ଯଦି  ଅନୁମତି ମିଳେ ତେବେ ସୁନିଶ୍ଚିତ କଟକର ପର୍ଯ୍ୟଟନ  ସ୍ଥଳ କ୍ଷେତ୍ରର ବାରବାଟୀ ଦୁର୍ଗ ମୁଖ୍ୟ କେନ୍ଦ୍ର ବିନ୍ଦୁ ପାଲଟିବ  ବୋଲି ଜଣେ ବରିଷ୍ଠ ଅଧିକାରୀ ମତ ଦେଇଛନ୍ତି ।