ହରଭଙ୍ଗା,୨୫।୮ : ବୌଦ୍ଧ ବନଖଣ୍ଡ ମାଧପୁର ବନାଞ୍ଚଳ ତଳଗାଁ ଫରେଷ୍ଟ ସେକସନ ପ୍ରାଟୋଲିଂ ବେଳେ ଏକ ବାଇକରୁ ବାରହା ମାଂସ ଜବତ କରିଛି। ତେବେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି।
ତଳଗାଁ ପଟୁ ଗଣ୍ଡିସର ପଟକୁ ଏକ ବାଇକରେ ବାରହା ମାଂସ ଧରି ଜଣେ ଦ୍ରୁତ ଗତିରେ ଯାଉଥିବା ବନବିଭାଗ ଖବର ପାଇଥିଲା। ମାଧପୁର ବନାଞ୍ଚଳ ଅଧିକାରୀ ଆଶିଷ କୁମାର ଦିଗାଲଙ୍କ ନିଦ୍ଦେର୍ଶକ୍ରମେ ଫରେଷ୍ଟର ସୁମନ୍ତ ମଲିକ, ବନରଖି ଶରତ ଚନ୍ଦ୍ର ନାୟକ, ସୀତାରାମ ବେହେରା ଏବଂ ସମସ୍ତ ସ୍କାର୍ଡ ଉପସ୍ଥିତ ରହି ଗୁଣ୍ଡ୍ରିସାହି ଶାଳ ବଣି ନିକଟରେ ଛକି ବସିଥିଲେ। ବନ କର୍ମଚାରୀଙ୍କୁ ଦେଖି ବ୍ୟବସାୟୀ ଜଣକ ବାଇକ ଛାଡି ଦୌଡି ଫେରାର ହୋଇଯାଇଥିଲା। ବନ କର୍ମଚାରୀ ବାଇକ ସହ ମାଂସ ଜବତ କରିଥିଲେ। ପରେ ଏହି ମାଂସକୁ ପୋତି ଦେଇଥିଲେ। ଗାଡି ନମ୍ବରକୁ ନେଇ ତଦନ୍ତ କରାଯିବ ବୋଲି ରେଞ୍ଜ ଅଫିସର ଆସିକ କୁମାର ଦିଗାଲ କହିଛନ୍ତି ।