ବାରଙ୍ଗ,୨୧/୦୫: ବାରଙ୍ଗରେ ପୁଣି ଚାଞ୍ଚଲ୍ୟ । କାଠଯୋଡ଼ି ନଦୀ ପଠାରୁ ମିଳିଲା ଅଧା ପୋତା ହୋଇଥିବା ମୃତଦେହ । ମହିଳାଙ୍କୁ ମାରି ପୋତିଦେଇଥିବା ସନ୍ଦେହ ।କଟକ ବ୍ରାହ୍ମଣି ଗାଁ ନିକଟ କାଠଯୋଡ଼ି ନଦୀପଠାରୁ ଏହି ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ଜଣକ ଗୋଲାପି ରଙ୍ଗର ବସ୍ତ୍ର ପିନ୍ଧିଥିବା ଜଣାପଡିଛି।
ଖବର ଅନୁଯାୟୀ, ସକାଳୁ ନିତ୍ୟକର୍ମ ପାଇଁ ନଦୀକୁ ଯାଇଥିବା ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ବାରଙ୍ଗ ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ସ୍ପଟରେ ବାରଙ୍ଗ ଥାନା ଅଧିକାରୀ ଓ ଜୋନ ୪ ଏସିପି ପହଞ୍ଚିଛନ୍ତି। ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମର ମଧ୍ୟ ସହାୟତା ନିଆଯାଇଛି। ତେବେ ମୃତ ମହିଳା କିଏ, ଏଠାକୁ କେମିତି ଆସିଲେ ? ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ଆହୁରି ପଢନ୍ତୁ-ଭୁଜାଲି ମାଡ଼ରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା
ସେପଟେ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ତଦନ୍ତ କରୁଛି ପୁଲିସ। ମୃତଦେହ ଅଧା ପୋତା ହୋଇଥିବା ନଦୀର ଆଖପାଖ ଅଞ୍ଚଳରେ ବହୁ ଇଟାଭାଟି ରହିଛି। ଇଟାଭାଟିରେ ବାହାର ଜିଲ୍ଲା ଓ ରାଜ୍ୟର ଶ୍ରମିକ କାମକରନ୍ତି। କୌଣସି ଦୂରାରୋଗ୍ୟରେ ମହିଳା ଜଣକ ମୃତ୍ୟବରଣ କରିବାପରେ ପରିବାର ନଦୀ ବାଲିରେ ପୋତି ଦେଇଥିବା ପୁଲିସ ଅନୁମାନ କରୁଛି। ହେଲେ ନଦୀ କୂଳରେ ରାତିହେଲେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମିଥାଏ। କେହି ତାଙ୍କୁ ମାରି ଫିଙ୍ଗି ଦେଇଛି କି ସେ ଦିଗକୁ ନେଇ ମଧ୍ୟ ପୋଲିସ ତଦନ୍ତ ଆଗକୁ ବଢ଼ାଉଛି। ତେଣୁ ତଦନ୍ତ ପରେ ଘଟଣାର ସତ୍ୟତା କଣ ଜଣାପଡ଼ିବ ବୋଲି ପୁଲିସ କହିଛି।