ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଏକ ନିର୍ମାଣାଧୀନ ବ୍ରିଜରୁ ରାମଗଙ୍ଗା ନଦୀକୁ ଏକ କାର ହଠାତ୍ ଖସିପଡିଛି । ଏହି କାରରେ ବସିଥିବା ତିନି ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବରେଲିର ଫରିଦପୁର ପୋଲିସ ଷ୍ଟେସନ ଏବଂ ବନ୍ଦାୟୁର ଦାତ୍ତାଗଞ୍ଜ ପୋଲିସ ଷ୍ଟେସନ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜେସିବି ସହାୟତାରେ କାରକୁ ନଦୀ ଭିତରୁ ଉଠାଇଛି।
କାରରେ ଥିବା ତିନି ଜଣଙ୍କ ମୃତ୍ୟୁ ପରେ ଘଟଣାସ୍ତଳରେ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ଏହି ତିନିଜଣଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ମାମଲାର ତଦନ୍ତ ଆରମ୍ଭ କରିଛି। ପ୍ରକୃତରେ ଜିପିଏସ୍ ନେଭିଗେସନ୍ ହେତୁ ଏହି ଦୁର୍ଘଟଣା ଘଟିଛି ବୋଲି ପୋଲିସ ସୂଚନା ଦେଇଛି । ବ୍ରିଜ୍ଟି ଅସମ୍ପୂର୍ଣ୍ଣ ଥିବାରୁ ଏହି ଦୁର୍ଘଟଣା ଘଟିଛି। ବନ୍ୟା ଯୋଗୁଁ ବ୍ରିଜର ଆଗ ଭାଗ ନଦୀରେ ଧୋଇ ହୋଇଯାଇଥିଲା, ଯେଉଁ କାରଣରୁ ଦ୍ରୁତ ଗତିରେ ଆସୁଥିବା କାରଟି ବ୍ରିଜରୁ ସିଧା ତଳକୁ ଖସି ପଡିଥିଲା।
ବର୍ତ୍ତମାନ ଘଟଣାସ୍ଥଳରେ ଭାରୀ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହି ଦୁର୍ଘଟଣା ଏତେ ବିପଜ୍ଜନକ ଥିଲା ଯେ କାରରେ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଏବଂ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଜେସିବି ସହାୟତାରେ ମୃତଦେହକୁ କାରରୁ ବାହାର କରାଯାଇଥିଲା । ଦୁର୍ଘଟଣାର ଖବର ଶୁଣି ନିକଟସ୍ଥ ଗ୍ରାମବାସୀ ମଧ୍ୟ ଏକାଠି ହୋଇଥିଲେ ଏବଂ ଏକ ବିରାଟ ଜନସମାଗମ ହୋଇଥିଲା । ଦୁର୍ଘଟଣା ପରେ ଏଠାରେ ଲମ୍ବା ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା ।
ଗୁଗୁଲ୍ ମ୍ୟାପ୍ ସାହାଯ୍ୟରେ ଆମେ ପ୍ରାୟତ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି । ଏହି ଦୁର୍ଘଟଣାରେ ମଧ୍ୟ କାରରେ ଥିବା ଯୁବକ ଗୁଗୁଲ୍ ମ୍ୟାପ୍ ବ୍ୟବହାର କରି ସମ୍ପର୍କୀୟଙ୍କ ବିବାହକୁ କାର୍ଯ୍ୟକ୍ରମକୁ ଯାଉଥିଲେ । ଗୁଗୁଲ ମ୍ୟାପ୍ରେ ଭୁଲ ମାର୍ଗ ଦେଖାଯାଉଥିବାରୁ ସେମାନଙ୍କ କାର ବ୍ରିଜରୁ ଖସିପଡି ତିନିଜଣଙ୍କର ମୃତ୍ୟୁ ଘଟିଥିଲା। ତିନିଜଣ ମୃତକଙ୍କ ପରିଚୟ ମିଳିଛି।