ନୂଆଦିଲ୍ଲୀ: ଛାବା ଫିଲ୍ମକୁ ନେଇ ବରେଲିର ଅଖିଳ ଭାରତୀୟ ଜମାତର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୌଲାନା ଶାହାବୁଦ୍ଦିନ ରଜଭି ବରେଲଭି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଚିଠି ଲେଖିଛନ୍ତି। ସେ ଫିଲ୍ମ ଛାବାକୁ ନାଗପୁର ଦଙ୍ଗାର କାରଣ ବୋଲି କହି ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ମୌଲାନା କହିଛନ୍ତି ଯେ, ଛାବା ଫିଲ୍ମ ରିଲିଜ୍ ହେବା ପରଠାରୁ ଦେଶର ପରିବେଶ ଖରାପ ହୋଇଯାଇଛି। ଫିଲ୍ମରେ ଔରଙ୍ଗଜେବଙ୍କୁ ହିନ୍ଦୁ ବିରୋଧୀ ଭାବରେ ଦର୍ଶାଯାଇଛି। ଏହା ଦ୍ୱାରା ହିନ୍ଦୁ ଯୁବକ ମାନେ ଉତ୍ତେଜିତ ହେଉଛନ୍ତି।

ସେ କହିଛନ୍ତି ଯେ, ଏହି କାରଣରୁ ହିନ୍ଦୁ ସଂଗଠନର ନେତା ମାନେ ଔରଙ୍ଗଜେବଙ୍କୁ ନେଇ ଘୃଣାପୂର୍ଣ୍ଣ ଭାଷଣ ଦେଉଛନ୍ତି । ୧୭ ମାର୍ଚ୍ଚ ୨୦୨୫ରେ ନାଗପୁରରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗାର ମଧ୍ୟ ଏହା କାରଣ। ମୌଲାନା ଗଣମାଧ୍ୟମ ମାଧ୍ୟମରେ ଶାନ୍ତି ପାଇଁ ନିବେଦନ କରିଛନ୍ତି ଏବଂ କହିଛନ୍ତି ଯେ ସେ ନାଗପୁରର ମସଜିଦର ଉଲେମା ଏବଂ ଇମାମ ମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହିବା ଉଚିତ। ପରିବେଶକୁ ଶାନ୍ତ କରିବା ପାଇଁ ଚେଷ୍ଟା କରାଯାଉ। 

ସେ ଗୃହମନ୍ତ୍ରୀଙ୍କ ଠାରୁ ଫିଲ୍ମର ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଲେଖକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମୌଲାନା ସ୍ପଷ୍ଟ କରିଛନ୍ତି ଯେ, ଭାରତର ମୁସଲମାନ ମାନେ ଔରଙ୍ଗଜେବଙ୍କୁ ଆଦର୍ଶ ବୋଲି ମାନି ନାହାଁନ୍ତି । ତାଙ୍କୁ କେବଳ ଜଣେ ଶାସକ ଭାବରେ ଦେଖାଯାଏ । ସେମାନେ ଛାବା ଚଳଚ୍ଚିତ୍ରକୁ ବ୍ୟାନ୍ କରାଯାଉ ବୋଲି ଦାବି କରିଛନ୍ତି । ଏହି ଫିଲ୍ମରେ ଔରଙ୍ଗଜେବଙ୍କ ପ୍ରତିଛବିକୁ ଖରାପ ଭାବରେ ପ୍ରଦର୍ଶିତ କରାଯାଇଛି।