ବରଗଡ଼, ୧୯/୦୬: ପୁରୀ ଶ୍ରୀମନ୍ଦିରରେ ଏଣିକି ଜୈବିକ ଚାଷରୁ ପ୍ରସ୍ତୁତ ଚାଉଳରୁ ଶ୍ରୀ ଅନ୍ନ ପ୍ରସ୍ତୁତ କରାଯିବ । ଏଥିପାଇଁ ସରକାର ଅମୃତ ଅନ୍ନ ଯୋଜନା ପ୍ରଣୟନ କରିଛନ୍ତି । ସେହିକ୍ରମରେ ଓଡ଼ିଶାର ଭାତହାଣ୍ଡି ବରଗଡ଼କୁ ମନ୍ଦିର ପ୍ରଶାସନ ତରଫରୁ ଚୟନ କରାଯାଇଛି । ଏଣିକି ଭୋଗ ପାଇଁ ବରଗଡ଼ରୁ ଚାଉଳ ପୁରୀ ଯିବ । ତେବେ ରାଜ୍ୟ କୃଷି  ବିଭାଗ ସହାୟତାରେ ଏବଂ ଅମୃତ ଅନ୍ନ ଯୋଜନାରେ  ଆବଶ୍ୟକ ଚାଉଳକୁ ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଲକର  ଲୋହାରପାଲି ଗାଁରେ ଚାଷବାସ କରି ପ୍ରସ୍ତୁତ କରିବା ପାଇଁ  ଚିହ୍ନଟ କରାଯିବା ପରେ ଜଗନ୍ନାଥ ପ୍ରେମୀମାନଙ୍କ ମଧ୍ୟରେ ଖୁସି  ପ୍ରକାଶ ପାଇଛି । ଆସନ୍ତା ବର୍ଷରୁ ଯିବାକୁ ଥିବା ଚାଉଳ ପାଇଁ  ଚଳିତ ଖରିଫରେ ଚାଷ ମୂଳ ହେବ ।  ଏଥିପାଇଁ ଚୟନ କରାଯାଇଥିବା  ଚାଷୀ ମଣ୍ଡଳୀର ଚୂଡ଼ାନ୍ତ ପ୍ରସ୍ତୁତି  ଜିଲ୍ଲାର ଚାଷୀଙ୍କ ଭିତରେ ଏକ ନୂଆ  ଆଶା ଓ ବିଶ୍ୱାସର ବାତବରଣ ସୃଷ୍ଟି କରିପାରିଛି ବୋଲି  ଅମୃତ ଅନ୍ନ ଯୋଜନାର ଟ୍ରେନର ସୁଦାମ ସାହୁ ଦମ୍ଭୋକ୍ତି  ବ୍ୟକ୍ତ କରିଛନ୍ତି । 

ଟ୍ରେନର ଶ୍ରୀ ସାହୁଙ୍କ ସୂତ୍ରରୁ ପ୍ରାପ୍ତ ସୂଚନାମତେ, ଏହି  ଯୋଜନା ପାଇଁ ବରଗଡ଼ ଜିଲ୍ଲାରୁ ଝୁଲୀ, ପିମ୍ପୁଡ଼ିବାସ, କଳାଜୀରା  ଓ ଗୋବିନ୍ଦଭୋଗ କିସମର ଚାଉଳକୁ ଚୟନ କରାଯାଇଛି ।  ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ପଦ୍ମପୁର ବ୍ଲକର ଲୋହାରପାଲି  ଗାଁରେ ଚାଷ କରାଯିବାକୁ ପଦକ୍ଷେପ ନିଆଯାଇଛି । ଚଳିତ  ଖରିଫରେ ପରୀକ୍ଷାମୂଳକ ଭାବେ ଲୋହାରପାଲିର ୫୦ ଏକର  ଜମିରେ ଝୁଲୀ ଧାନ ଓ ୧୨୫ ଏକର ଜମିରେ ପ୍ରାକୃତିକ  ଉପାୟରେ ମୁଗଚାଷ କରିବାକୁ ପଦକ୍ଷେପ ନିଆଯାଇଛି ।  ତେବେ ୫୦ ଏକର ଧାନ ପାଇଁ ୨୮ ଜଣ ଚାଷୀଙ୍କୁ ଚୟନ  କରାଯାଇ ଯୋଜନାର ସଫଳତା ପାଇଁ ପଲ୍ଲୀ ବିକାଶ ସଂଘକୁ  ଦାୟିତ୍ୱ ଦିଆଯାଇଛି । ରାଜ୍ୟ କୃଷି ମନ୍ତ୍ରାଳୟ ତରଫରୁ ମାଷ୍ଟର  ଟ୍ରେନର ଭାବେ ମନୋନୀତ ହୋଇଥିବା ବରଗଡ଼ କଟାପାଲିର  ଜୈବିକ ଚାଷୀ, ବିହନ ସଂରକ୍ଷକ,  ଜୈବିକ ଚାଷ ତାଲିମଦାତା ସୁଦାମ  ସାହୁ ଏହି ଯୋଜନାକୁ ସଫଳ  ଓ କାର୍ଯ୍ୟକାରୀ କରିବା ପାଇଁ  ଚାଷୀମାନଙ୍କୁ ତାଲିମ ଦେଇ ସାରିଛନ୍ତି । 

ଚାଷୀମାନେ ଶ୍ରୀ  ଅନ୍ନ ଚାଷ ପାଇଁ ମାନସିକ ଭାବେ ପ୍ରସ୍ତୁତ ହୋଇସାରିଛନ୍ତି ।  ତେବେ ଚାଷୀଙ୍କୁ ଏଥିପାଇଁ ୫୦୦ କିଲୋ ଲେଖାଏଁ ଧନିଚା  ବଣ୍ଟନ କରାଯାଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ  ଏହାର ଉତ୍ପାଦନ ଓ ରପ୍ତାନି ପାଇଁ ପଦକ୍ଷେପ ନିଆଯାଇଥିବା  ଶ୍ରୀ ସାହୁଙ୍କ ସୂତ୍ରରୁ ଜଣାପଡ଼ିଛି । ତେବେ ଚଳିତ ବର୍ଷ କେବଳ  କୋଠଭୋଗ ପାଇଁ ହିଁ ବରଗଡ଼ରୁ ଚାଉଳ ଯିବାକୁ ଥିବା  ବେଳେ ପରବର୍ତ୍ତୀ ସମୟରେ ଷାଠିଏ ପଉଟି ପାଇଁ ମଧ୍ୟ  ଚାଉଳ ବରଗଡ଼ରୁ ଯିବ ବୋଲି କୃଷି ସଚିବ ଅରବିନ୍ଦ ପାଢ଼ୀ  ସ୍ପଷ୍ଟ କରିଥିବା ଶ୍ରୀ ସାହୁଙ୍କ ସୂତ୍ରରୁ ଜଣାପଡ଼ିଛି । ତେବେ  ୩୬୫ ଦିନରେ ୩୬୫ ପ୍ରକାର ଚାଉଳରୁ ପ୍ରସ୍ତୁତ ଅନ୍ନ  ଭୋଗଲାଗି ହେବ ବୋଲି ଶ୍ରୀ ସାହୁ ଦମ୍ଭୋକ୍ତି ବ୍ୟକ୍ତ କରିଛନ୍ତି ।