()ରାଜ୍ୟରେ ଏବେ ହାଡ ଭଙ୍ଗା ଶୀତର ଲହରୀ। ଦେହ ଆଉ ମନକୁ କାଲୁଆ କରିଦେଉଛି ଅବୋଲକରା ଶୀତ। ଦାରିଙ୍ଗବାଡିରେ ବରଫପାତ ହେଲାଣି, ରାଜଧାନୀରେ ଚା ଖଟିରେ ଭିଡ ବି ଜମିଲାଣି । ପାରଦ ଧୀରେ ଧୀରେ ତଳ ମୁହାଁ ହେବାରେ ଲାଗିଲାଣି। ଆଉ ଏହାରି ଭିତରେ ଏବେ ତୁହାକୁ ତୁହା ପ୍ରବଳ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି। ବର୍ଷାରେ ଭିଜୁଛନ୍ତି ପିଲାଠୁ ବୁଢା…। ଶୀତ ଦେହକୁ ଯେତିକି ଥରାଉଛି, ବର୍ଷା ମନକୁ ସେତିକି ପିଡା ଦେଉଛି । ପୁରପଲ୍ଲୀରୁ ରାଜଧାନୀ ସବୁଆଡେ ଏବେ ବର୍ଷା… ବର୍ଷା… ବର୍ଷା… ଟିଭି ସୁଇଚ ଅନ କଲେ ବର୍ଷା… ଖବରକାଗଜ ଓଲଟାଇଲେ ବର୍ଷା…ମୋବାଇଲ ଖୋଲିଲେ ବି ବର୍ଷା...ଆପଣ ଆଶ୍ଚର୍ଯ୍ୟ ହେଉଥିବେ ଯେ, ବର୍ଷା କାଇଁ ? କେଉଁଠି ହେଉଛି ବର୍ଷା ? କାଇଁ ଦେଖାଯାଉନି ତ ? ଆପଣ ଦେଖି ପାରୁଛନ୍ତି କି ? ଆପଣ ଏୟା ଭାବୁଥିବେ...ଚାରି ଆଡେତ ଶୁଖିଲା... ତାହାଲେ ବର୍ଷା କେଉଁଠି ?...
() ଏ ବର୍ଷା ସତସତିକା ବର୍ଷା ନୁହେଁ ମ’… ବରଂ ଏ ହେଉଛି ପ୍ରେମ ଆଉ ପ୍ରତାରଣାର ବର୍ଷା…ବିରହ ଆଉ ବେଦନାର ବର୍ଷା। ସୋସିଆଲ ମିଡିଆ ତିନ୍ତୁଛି…ଗଣମାଧ୍ୟମ ବି ଭିଜୁଛି। ବର୍ଷା ଏଠି ନିର୍ଯାତନା ପାଉଛି, ଅତ୍ୟାଚାରର ଶିକାର ହୋଇଛି। ବର୍ଷାର ବର୍ଷ ବର୍ଷର ପ୍ରେମର ଫସଲ ଉଜୁଡି ବି ଯାଇଛି। ବର୍ଷ ଶେଷରେ ବର୍ଷା ଆଖିରୁ ଢୁ ଡୁ ହୋଇ ପାଣି ଗଡୁଛି। ବ୍ରହ୍ମଗିରି ଆକାଶର କଳାହାଣ୍ଡିଆ ବାଦଲ ଆଜି ବାଲିଅନ୍ତା ଥାନାରେ ପ୍ରତାରଣା ହୋଇ ଛିଡା ହୋଇଛି । ବର୍ଷା ଆଉ ବାଦଲ ଏବେ ଏପାଖ ସେପାଖ ହୋଇଯାଇଛନ୍ତି ।
() ମନୋରଂଜନ ଦୁନିଆରେ ବି ସମାନ ଅବସ୍ଥା। ସେମାନେ ଥିଲେ ଚିହ୍ନା ଚେହେରା ।ଦିନେ ଦୁଇ ଜଣ ପରସ୍ପରକୁ କହୁଥିଲେ ‘ଆମ ଭିତରେ କିଛି ଅଛି’…ସମଥିଙ୍ଗ୍ ସମଥିଙ୍ଗ୍… କେହି ଜଣେ ଭଲ ଲାଗେରେ…। ଜଣେ ଅନ୍ୟ ଜଣଙ୍କ ପାଇଁ ସାଜିଥିଲେ ‘ଦିଓ୍ବାନା’। ପରସ୍ପର ନିଷ୍ପତ୍ତି ନେଲେ ‘ହାତ ଧରି ଚାଲିବାକୁ’। ଆଉ ଶେଷରେ ଏମାନଙ୍କ କାହାଣୀ ହୋଇଗଲା ‘ଗପ ହେଲେ ବି ସତ’ । ଏକାଠି ତ ହୋଇଗଲେ, ହେଲେ ବେଶି ଦିନ ଯାଏଁ ଜଳିଲାନି ଏହି ସମ୍ପର୍କର ସଳିତା। ପୁଣି ସେଇ ସୋସିଆଲ ମିଡିଆକୁ ଆସି ବୁହାଇଲେ ବିରହ ବେଦନାର ବନ୍ୟା। ଜଣେ ଅନ୍ୟ ଜଣଙ୍କ ପାଇଁ ଖୋଲି ଚାଲିଲେ ଧୋକ୍କା ଆଉ ପ୍ରତାରଣାର ପେଡି।
()ଖାଲି ମନୋରଞ୍ଜନ ନୁହେଁ, ଏମିତି ଦିନେ ରାଜନୀତିରେ ବି ଆସିଥିଲା ଅଦିନିଆ ବର୍ଷାର କରାଳ ରୂପୀ ବନ୍ୟା । ଭିଜିଥିଲା ବାଲେଶ୍ବରରୁ ଭୁବନେଶ୍ବର। ଡୁବିଥିଲା ରାଜ୍ୟ ରାଜନୀତି । ବନ୍ଧ ବାନ୍ଧିବାକୁ ଉଦ୍ୟମ କରୁଥିଲେ ଶାସକ, ବନ୍ଧ ଭାଙ୍ଗିବାକୁ ପାଣିରେ ପରମାଣୁ ପକାଉଥିଲେ ବିରୋଧୀ। ଯେଉଁଥିପାଇଁ ଥାର୍ଡ ଫ୍ଲୋରରୁ ଯାଇଥିଲା ନିର୍ଦ୍ଧେଶ, ହରାଇବାକୁ ପଡିଥିଲା ମନ୍ତ୍ରୀପଦ। କାରଣ ଥିଲା, ମନ୍ତ୍ରୀଙ୍କ ଘରେ ହୋଇଥିଲା ବାଦଲ ଫଟା ବର୍ଷା । ଆଉ ଏହି ଘରୋଇ ବର୍ଷାର ପାଣିକୁ ନିଜ ଘରର ଚାରିକାନ୍ଥ ଭିତରେ ବ୍ରେକ ଦେବାରେ ବିଫଳ ହୋଇଥିଲେ ମନ୍ତ୍ରୀ ।
() ଆଉ ଶେଷ ବର୍ଷା କଥା’ତ ନକହିଲେ ଭଲ । ପ୍ରେମର ବର୍ଷାରେ ବୁଡିଥିଲା ରାଜଧାନୀ ରାଜରାସ୍ତା, ଗଳିକନ୍ଦି, ସାଇ ବସ୍ତି…। ବର୍ଷାର ଭୀଷଣ ସ୍ରୋତରେ ଭାସିଥିଲେ ଜଣେ ଅଟୋ ଚାଳକ। ଅଟୋ ଚାଳକଙ୍କୁ ବି ପ୍ରେମରେ ଭସାଇ ବର୍ଷା ବି ଭାରି ଖୁସ୍ । କିନ୍ତୁ ଏ ପ୍ରେମ ବି ତିଷ୍ଠିଲାନି ବେଶି ଦିନ । ପୁଣି ସେଇ ସୋସିଆଲ ମିଡିଆ…ଟିଭି ଆଉ ଖବର କାଗଜରେ ହୋଇଥିଲା ବର୍ଷା ବନ୍ଦନା। ବର୍ଷା ପାଇଁ ଭିଜିଥିଲା ସାରା ଓଡିଶା ।