ନୂଆଦିଲ୍ଲୀ,୦୬/୦୧: ଆଇପିଏଲରେ ବାଂଲାଦେଶ କ୍ରିକେଟର ମୁସ୍ତାଫିଜୁର ରେହମାନ ବିଦା ହେବା ପରେ ରାଗି ଫଁ ଫଁ ହେଉଛି ବାଂଲା କ୍ରିକେଟ ବୋର୍ଡ । ଏହା ପରେ ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳିବାକୁ ଭାରତ ଆସିବ ନାହିଁ ବୋଲି ମନା କରିଛି ବିସିବି । ଏହା ସହ ବାଂଲାଦେଶରେ ଆଇପିଏଲ ପ୍ରସାରଣ ମଧ୍ୟ ନିଷିଦ୍ଧ ହୋଇଛି । ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଭାରତ ଗସ୍ତ ନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ସଭାପତି ଅମିନୁଲ ଇସଲାମ କହିଛନ୍ତି ଯେ, ବର୍ତ୍ତମାନର ପରିସ୍ଥିତିରେ ଟି-୨୦ ବିଶ୍ୱକପ୍ ପାଇଁ ଜାତୀୟ ଦଳକୁ ଭାରତ ପଠାଇବାକୁ ବୋର୍ଡ ଆଗ୍ରହୀ ନୁହେଁ । ବିସିବି ଆନୁଷ୍ଠାନିକ ଭାବରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)କୁ ଟୁର୍ଣ୍ଣାମେଣ୍ଟର କିଛି ମ୍ୟାଚ୍ ଭାରତ ବାହାରେ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛି । ଏବେ ବିସିସିଆଇ ନୁହେଁ ଆଇସିସି ସହ କଥା ହେବୁ ବୋଲି କହିଛି ବିସିବି ।
ବିସିବି ସଭାପତି ଅମିନୁଲ ଇସଲାମ କହିଛନ୍ତି କି, ସମସ୍ତ ବୋର୍ଡ ନିର୍ଦ୍ଦେଶକଙ୍କ ସହ ଦୁଇଟି ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଖେଳାଳିଙ୍କ ସୁରକ୍ଷା ସେମାନଙ୍କର ସର୍ବୋଚ୍ଚ ପ୍ରାଥମିକତା ଏବଂ ଏହି ଉଲ୍ଲେଖ କରାଯାଇ ଆଇସିସିକୁ ଏକ ଚିଠି ପଠାଯାଇଛି । ଏବେ ଆଇସିସିର ଉତ୍ତରକୁ ଅପେକ୍ଷା ରହିଛି । ପରବର୍ତ୍ତୀ ଆକ୍ସନ ଜବାବ୍ ଆସିବା ଉପରେ ନିର୍ଭର କରୁଛି । ଆମେ ବିସିସିଆଇ ସହିତ ସିଧାସଳଖ କଥା ହେଉନାହୁଁ କାରଣ ଟି-୨୦ ବିଶ୍ୱକପ୍ ଏକ ଆଇସିସି ଇଭେଣ୍ଟ । ଆମେ ଆଇସିସି ସହିତ ଯୋଗାଯୋଗରେ ଅଛୁ ଏବଂ ଆମର ପକ୍ଷ ରଖିବାକୁ ସେମାନଙ୍କ ସହିତ ଏକ ବୈଠକ ପାଇଁ ଆଶା କରୁଛୁ । "
ବାଂଲା କ୍ରିକେଟର ମୁସ୍ତାଫିଜୁରଙ୍କୁ ବିଦା କରାଯିବା ପରେ ଭାରତଠାରୁ ପ୍ରତିଶୋଧ ନେଇଛି ବାଂଲାଦେଶ । ବାଂଲାଦେଶୀରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି । ଏହାପରେ ବାଂଲା କ୍ରିକେଟରଙ୍କୁ ଆଇପିଏଲ ଖେଳାଯିବାକୁ ନେଇ ବିରୋଧ ହୋଇଥିଲା । ବିସିସିଆଇ ନିର୍ଦ୍ଦେଶ ପରେ ମୁସ୍ତାଫିଜୁରଙ୍କୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ରିଲିଜ କରିଥିଲା । ଏହାପରେ ବାଂଲାଦେଶ ସରକାର ବଡ଼ ନିଷ୍ପତ୍ତି ନେଇ ଆଇପିଏଲର ସବୁ ମ୍ୟାଚର ପ୍ରସାରଣ ଉପରେ ରୋକ୍ ଲଗାଇଛନ୍ତି । ବାଂଲାର ଏହି ନିଷ୍ପତ୍ତି ଭାରତ-ବାଂଲାଦେଶ କ୍ରିକେଟ୍ ସମ୍ପର୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି ।