ମୁମ୍ବାଇ,୧୭/୦୧: ଗତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ପରାଜୟ ପରେ ବିସିସିଆଇ କୋଚିଂ  ଟିମ୍‌ରେ ଆଉ ଜଣେ ସଦସ୍ୟଙ୍କୁ ସାମିଲ କରିଛି । ପୂର୍ବତନ ଘରୋଇ  କ୍ରିକେଟ୍‌ ଖେଳାଳି ସିତାଂଶୁ କୋଟକଙ୍କୁ ବ୍ୟାଟିଂ କୋଚ ଭାବେ ନିଯୁକ୍ତି ମିଳିଛି । ପୂର୍ବରୁ ଗୌତମ ଗମ୍ଭୀର ମୁଖ୍ୟ କୋଚ୍‌ ରହିଥିବାବେଳେ ଅଭିଷେକ ନାୟାର  ସହକାରୀ କୋଚ, ମର୍ଣ୍ଣ ମୋର୍କେଲ  ବୋଲିଂ କୋଚ୍‌ ଓ ର‌୍ୟାନ୍‌ ଟେନ୍‌ ଡିଓଷ୍ଟ  ସହକାରୀ କୋଚ ଓ ଟି ଦିଲ୍ଲୀପ୍‌  ଫିଲ୍ଡିଂ କୋଚ ରହିଛନ୍ତି । ଇଂଲଣ୍ଡ  ବିପକ୍ଷ ଘରୋଇ ସିରିଜ ପୂର୍ବରୁ ସେ  ଭାରତୀୟ ଦଳ ସହ ଯୋଗ ଦେବେ ।  ବର୍ତ୍ତମାନ ସେ ଭାରତ ଏ’ ଦଳର  ମୁଖ୍ୟ କୋଚ ରହିଛନ୍ତି । 

କୋଟକ  ଘରୋଇ କ୍ରିକେଟ୍‌ରେ ଜଣେ ସଫଳ ବ୍ୟାଟର ରହିଥିଲେ । ୧୯୯୨/୯୨ରୁ  ୨୦୧୩ ମଧ୍ୟରେ ସେ ସୌରାଷ୍ଟ୍ର ପକ୍ଷରୁ ୧୩୦ଟି ରଣଜୀ ଟ୍ରଫି ମ୍ୟାଚ୍‌ ଖେଳି  ୪୧.୭୬ ହାରରେ ୮୦୬୧ ରନ୍‌  ସଂଗ୍ରହ କରିଥିଲେ । ଏଥିରେ ୧୫ଟି  ଶତକ ଓ ୫୫ଟି ଅର୍ଦ୍ଧଶତକ ରହିଛି । ଅବସର ପରେ ସେ ସୌରାଷ୍ଟ୍ର ଦଳର  କୋଚ୍‌ ଭାବେ କାର୍ଯ୍ୟ କରିଥିଲେ । ଗତ  ୪ବର୍ଷ ହେଲା ସେ ଏନ୍‌ସିଏର ବ୍ୟାଟିଂ  କୋଚ୍‌ ଭାବେ କାର୍ଯ୍ୟ କରୁଛନ୍ତି ।