ନୂଆଦିଲ୍ଲୀ, ୨୨/୦୩: ବିସିସିଆଇ ଆଇପିଏଲ୍‌-୧୮ର ଅମ୍ପାୟାର ତାଲିକାରେ ଆଉ  ୭ଜଣ ନୂଆ ଭାରତୀୟ ଅମ୍ପାୟାରଙ୍କୁ ସାମିଲ କରିଛି । ସେମାନେ ହେଲେ ସ୍ୱରୂପାନନ୍ଦ କନ୍ନୁର, ଅଭିଜିତ  ଭଟ୍ଟାଚାର୍ଯ୍ୟ, ପରାଶର ଯୋଶୀ, ଅନିଶ ସହସ୍ତ୍ରବୁଦେ୍ଧ, କିୟୁର କେଲକର, କୌଶିକ ଗାନ୍ଧୀ ଏବଂ ଅଭିଜିତ୍‌ ବେଙ୍ଗେରୀ । ଯୁବ ଅମ୍ପାୟାର ମାନଙ୍କୁ ବଡ଼ ମ୍ୟାଚ୍‌ ଏବଂ ଉଚ୍ଚ ଚାପ ଥିବା ମ୍ୟାଚ୍‌ର ଅନୁଭବ କରାଇବା  ପାଇଁ ବିସିସିଆଇ ଏହି ପଦକ୍ଷେପ ନେଇଛି ।  ଭେଟେରାନ ଅମ୍ପାୟାର ଏସ୍‌ ରବି ଓ ସିକେ ନନ୍ଦନ  ଉପରୋକ୍ତ ୭ଜଣ ଅମ୍ପାୟାରଙ୍କ ମେଣ୍ଟର ଦାୟିତ୍ୱ  ତୁଲାଇବେ। 

ଆଇପିଏଲ୍‌ ଅମ୍ପାୟାର ତାଲିକାରେ  ୩ଜଣ ଅନ୍ତର୍ଜାତୀୟ ଅମ୍ପାୟାର ମାଇକେଲ ଗଫ୍‌, କ୍ରିସ୍‌  ଗାଫାନି ଏବଂ ଆଡ୍ରିଆନ୍‌ ହୋଲ୍ଡଷ୍ଟକ୍‌ ମଧ୍ୟ ସାମିଲ  ରହିଛନ୍ତି । ଗତ ସିଜନରେ ଅମ୍ପାୟାର ତାଲିକାରେ  ଥିବା ପ୍ରସିଦ୍ଧ ଅମ୍ପାୟାର କୁମାର ଧର୍ମସେନା ଓ  ଅନିଲ ଚୌଧୁରୀ ଏଥର ତାଲିକାରେ ନାହାନ୍ତି । 

ଆଇପିଏଲ୍‌ ଅମ୍ପାୟାର ତାଲିକାରେ ସାମିଲ  ହୋଇଥିବା କୌଶିକ ଗାନ୍ଧୀ ଜଣେ ପୂର୍ବତନ  କ୍ରିକେଟର । ସେ ତାମିଲନାଡ଼ୁ ପକ୍ଷରୁ ୩୪ଟି  ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲେ । ଅମ୍ପାୟାର  ଭାବେ ଏହା ତାଙ୍କର ଦ୍ୱିତୀୟ ସିଜନ । ପୂର୍ବରୁ  ସେ ମହିଳା ଅନ୍ତର୍ଜାତୀୟ ମ୍ୟାଚ୍‌, ମହିଳା  ପ୍ରିମିୟର ଲିଗ୍‌ରେ ଅମ୍ପାୟାରିଂ କରି ସାରିଛନ୍ତି ।