ନୂଆଦିଲ୍ଲୀ, ୧୭/୦୮: ବିସିସିଆଇ ଘରୋଇ କ୍ରିକେଟ୍‌ରେ ଖୁବ୍‌ ଶୀଘ୍ର ଏକ ନୂଆ ନିୟମ ଲାଗୁ  କରିବାକୁ ଯାଉଛି । କନ୍‌କୁସନ ବଦଳ ଭଳି ଆହତ ବଦଳକୁ ବିସିସିଆଇ ସ୍ୱୀକୃତି ଦେଇଛି । ଏଣିକି  ମ୍ୟାଚ୍‌ ସମୟରେ କୌଣସି ଖେଳାଳି ଗୁରୁତର ଭାବେ ଆହତ ହେଲେ ଉକ୍ତ ଦଳ ମ୍ୟାଚ୍ ମଧ୍ୟରେ ଆହତଙ୍କ ସ୍ଥାନରେ ଆଉ ଜଣେ ଖେଳାଳିଙ୍କୁ ଖେଳାଇ ପାରିବେ  । ଏହା କେବଳ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ପାଇଁ ବଳବତ୍ତର ରହିବ । ସୀମିତ ଓଭର କ୍ରିକେଟ୍‌ରେ ଏହି ନିୟମ ଲାଗୁ କରାଯିବ ନାହିଁ । ଆଗାମୀ ଦୁଲୀପ୍‌  ଟ୍ରଫିରୁ ନୂଆ ନିୟମ କାର୍ଯ୍ୟକାରୀ ହେବ । ଆସନ୍ତା ୨୮ ତାରିଖରୁ ଦୁଲୀପ୍‌ ଟ୍ରଫି ଆରମ୍ଭ ହେବ । 

ଗତ ଇଂଲଣ୍ଡ ଗସ୍ତ ସମୟରେ ରିଷଭ ପନ୍ତ  ଗୁରୁତର ଆହତ ହେବା ପରେ ବିସିସିଆଇ ଏଭଳି ନୂଆ ନିୟମକୁ ଘରୋଇ କ୍ରିକେଟ୍‌ରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ମ୍ୟାଚ୍‌ ସମୟରେ କୌଣସି ଖେଳାଳି  ଆହତ ହେଲେ ଉକ୍ତ ଦଳ ତାଙ୍କ ବଦଳ ଖେଳାଳିଙ୍କୁ ସାମିଲ କରିପାରିବ । ମାତ୍ର ଏଥିପାଇଁ ମ୍ୟାଚ୍‌ ରେଫରୀଙ୍କ  ଅନୁମତି ନେବାକୁ ପଡ଼ିବ । ଆହତ ଖେଳାଳିଙ୍କ ସମସ୍ୟା ଉପରେ ଡାକ୍ତରଙ୍କ ରିପୋର୍ଟକୁ ଆଧାର କରି ମ୍ୟାଚ୍‌ ରେଫରୀ ଅନୁମତି ଦେବେ । ଉଦାହରଣ ସ୍ୱରୂପ କୌଣସି ଖେଳାଳି ଆହତ ହେଲେ ତାଙ୍କ ଦଳ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବାକୁ ବାଧ୍ୟ । ଉକ୍ତ ଖେଳାଳିଙ୍କ ଆଘାତ କେତେ ଗୁରୁତର ରହିଛି, ତାହା ଉପରେ ଡାକ୍ତର  ରିପୋର୍ଟ ପ୍ରଦାନ କରିବେ । ମ୍ୟାଚ୍‌ ରେଫରୀ ଉକ୍ତ  ରିପୋର୍ଟ ଦେଖିବା ପରେ ଆହତ ଖେଳାଳିଙ୍କ ବଦଳ ଆବଶ୍ୟକ କି ନାହିଁ, ତାହାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଆହତ ଖେଳାଳିଙ୍କ ସମକକ୍ଷ ଖେଳାଳି  ହିଁ ବଦଳ ଭାବେ ସାମିଲ ହେବେ । 

ଉଦାହରଣ ସ୍ୱରୂପ, କୌଣସି ଆହତ  ଖେଳାଳି ବ୍ୟାଟର ହୋଇଥିଲେ,  ତାଙ୍କ ସ୍ଥାନରେ ଉକ୍ତ ଦଳ ଅତିରିକ୍ତ  ଖେଳାଳିଙ୍କ ମଧ୍ୟରୁ ଜଣେ ବ୍ୟାଟରଙ୍କୁ ଦଳରେ ସାମିଲ କରିପାରିବ । ବୋଲରଙ୍କ  ସ୍ଥାନରେ କେବଳ ବୋଲର ଓ ୱିକେଟ୍‌ କିପରଙ୍କ ସ୍ଥାନରେ ୱିକେଟ୍‌ କିପର ହିଁ ବଦଳ ହୋଇ ପାରିବେ । ଖେଳାଳିଙ୍କ ବାହ୍ୟ ଆଘାତକୁ ଭିତ୍ତି କରି ଖେଳାଳି ବଦଳ କରାଯିବ । ଅର୍ଥାତ ବ୍ୟାଟିଂ, ଫିଲ୍ଡିଂ  କିମ୍ବା ବୋଲିଂ କରୁଥିବା ସମୟରେ କେହି ଗୁରୁତର ଆଘାତ ପାଇଲେ (ଯଥା: ଗୋଡ଼, ହାତ ଭାଙ୍ଗିଯିବା,  କିମ୍ବା ମୁଣ୍ଡ ଫାଟିଯିବା, ଶରୀରର କୌଣସି ସ୍ଥାନ କଟି  ରକ୍ତସ୍ରାବ ହେବା) ସେହି ସ୍ଥାନରେ ବଦଳ ଖେଳାଳି  ବ୍ୟବହୃତ ହୋଇ ପାରିବେ । କିନ୍ତୁ ମାଂସପେଶୀରେ  ଯନ୍ତ୍ରଣା ଭଳି ଆହତ ସମସ୍ୟା ଥିଲେ ଏହି  ସ୍ଥାନରେ ଖେଳାଳି ବଦଳ ହୋଇପାରିବେ ନାହିଁ । ମ୍ୟାଚ୍‌ ପୂର୍ବରୁ ଟସ ସମୟରେ ଉଭୟ ଦଳ ଚୂଡ଼ାନ୍ତ ଏକାଦଶ ତାଲିକା ସହ ଆହତ ବଦଳ ଭବେ କିଛି  ଖେଳାଳିଙ୍କ ତାଲିକା ପ୍ରଦାନ କରିବେ । ଉକ୍ତ ତାଲିକାରେ  ବ୍ୟାଟର, ବୋଲର ଓ ୱିକେଟ୍‌ କିପର ରହିବେ । 

ଗତ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଟେଷ୍ଟ  ସିରିଜ ସମୟରେ ଗୁରୁତର ଆହତ ହେଉଥିବା ଖେଳାଳିଙ୍କ ବଦଳ ସାମିଲକୁ ନେଇ ଜୋରଦାର ଆଲୋଚନା ହୋଇଥିଲା । ଚତୁର୍ଥ ଟେଷ୍ଟରେ ରିଷଭ ପନ୍ତ ଓ ପଞ୍ଚମ ଟେଷ୍ଟରେ କ୍ରିସ୍‌ ୱକ୍ସ ଗୁରୁତର ଆହତ ହୋଇଥିଲେ । ମାତ୍ର ଉଭୟ ଯନ୍ତ୍ରଣା ସତ୍ତେ୍ୱ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ । ଏହି ଘଟଣା ପରେ ବିସିସିଆଇ ଆହତ ବଦଳ ନିୟମ ଲାଗୁ କରିଛି । ବର୍ତ୍ତମାନସୁଦ୍ଧା କ୍ରିକେଟ୍‌ରେ କେବଳ କନ୍‌କୁସନ ବଦଳ ଓ କୋଭିଡ ବଦଳ ନିୟମ ଲାଗୁ ହୋଇଛି ।