ମୁମ୍ୱାଇ, ୩।୧୧: ଇତିହାସ ରଚିଲା ଟିମ୍ ଇଣ୍ଡିଆ । ବିଶ୍ୱକପ୍ ବିଜେତା ତାଲିକାରେ ସ୍ଥାନିତ ମହିଳା କ୍ରିକେଟ୍ ଟିମ୍ ନାଁ । ୱାନଡେ’ରେ ୱାର୍ଲ୍ଡ ଚାମ୍ପିଅନ୍ ହୋଇଛି ହର୍ମନପ୍ରୀତ୍ ସେନା । ନଭେମ୍ୱରରେ ୨ ତାରିଖ, ରାତି ପ୍ରାୟ ଗୋଟାଏ, ଆତସବାଜିର ଆଲୋକରେ ଚମକି ଉଠିଥିଲା ନଭି ମୁମ୍ୱାଇର ଡିୱାଇ ପାଟିଲ ଷ୍ଟାଡିୟମ । ରାତିର ଅନ୍ଧାରରେ ସ୍ୱପ୍ନର ସୂର୍ଯ୍ୟ ଉଇଁଥିଲା । ଦେଶର ସୁନା ଝିଅ କ୍ରିକେଟ୍ ଇତିହାସରେ ଲେଖିଥିଲେ ନୂଆ କାହାଣୀ । ୱାନ୍ଡେ’ରେ ୱାର୍ଲ୍ଡର ଫାଇନାଲ୍ ଫାଇଟରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ୱାର୍ଲ୍ଡ ଚାମ୍ପିଅନ୍ ହୋଇଛି ଟିମ୍ ଇଣ୍ଡିଆ । ୨୫ ବର୍ଷ ଅପେକ୍ଷାର ସବୁ ବାଡ଼ବତା ଭାଙ୍ଗି ଭାରତୀୟ ମହିଳା ଦଳ ବିଶ୍ୱ ବିଜେତା ହୋଇଛି । ଆଉ ଏହି ବିଜୟ ପରେ ବିସିସିଆଇ ଝିଅଙ୍କ ଉପରେ ଧନବର୍ଷା କରିଛି । କୋଚ୍, ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ଙ୍କ ପାଇଁ ପୁରସ୍କାର ରାଶି ଘୋଷଣା ହୋଇଛି ।
ପ୍ରଥମ ଆଇସିସି ପରେ ବିସିସିଆଇ ବିଜେତା ଟିମ୍ ଉପରେ ଧନର ପେଡ଼ି ଖୋଲି ଦେଇଛି । ଇଣ୍ଟର ନ୍ୟାସନାଲ କ୍ରିକେଟ୍ କାଉନସିଲ୍ ୱାର୍ଲ୍ଡ କପ୍ ୱିନର ଟିମ୍କୁ ୪୦ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିବା ବେଳେ ଏବେ ବିସିସିଆଇ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ପାଇଁ ୫୧ କୋଟି ଘୋଷଣା କରିଛି । ଏହି ଅର୍ଥ ରାଶି କ୍ରିକେଟ୍ ପ୍ଲେୟାର, କୋଚ୍ ଏବଂ ସପୋର୍ଟ ଷ୍ଟାଫ୍ଙ୍କୁ ମିଳିବ । କ୍ରିକେଟ୍ ଇତିହାସରେ କୌଣସି ବିଜେତା ଟିମ୍କୁ ଏହା ସବୁଠୁ ବଡ଼ ପୁରସ୍କାର ରାଶି । ଅନ୍ୟପଟେ ମହିଳା ୱାର୍ଲ୍ଡ କପ୍ ୨୦୨୫ ପାଇଁ ଆଇସିସି ପକ୍ଷରୁ ପୁରସ୍କାର ରାଶିକୁ ୩ଶହ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏହାକୁ ୨.୮୮ ମିଲିୟନ ଡଲାରରୁ ୧୪ ମିଲିୟନ ଅର୍ଥାତ୍ ପ୍ରାୟ ୧୨୩ କୋଟି ଟଙ୍କା କରାଯାଇଥିଲା । ଯାହା ୨୦୨୨ ସଂସ୍କରଣ ଅପେକ୍ଷା ପାଖାପାଖି ୩ଗୁଣା ଅଧିକ ।
ବିସିସିଆଇ ସଭାପତି ଦେବୋଜିତ୍ ସାଇକିଆ କହିଛନ୍ତି, ୧୯୮୩ରେ ୱାର୍ଲଡ କପ୍ ଜିତାଇ କପିଳ ଦେବ ଭାରତୀୟ କ୍ରିକେଟକୁ ନୂଆ ଶିଖର ଛୁଆଇଁଥିଲେ । ପରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୦୧୧ରେ ଦିନିକିଆରେ ବିଶ୍ୱ ଚାମ୍ପିଅନ ହୋଇଥିଲା । ଏବେ ହର୍ମନପ୍ରୀତ୍ କୌର ଓ ତାଙ୍କ ଟିମ୍, ତୃତୀୟ ଥର ପାଇଁ ସମାନ ଉତ୍ସାହ ଭରିଛନ୍ତି । କେବଳ ଟ୍ରଫି ନୁହେଁ ବରଂ ସାରା ଭାରତବାସୀଙ୍କ ହୃଦୟ ଜିତିଛନ୍ତି । ଏହି ବିଜୟ ଭାରତରେ ମହିଳା କ୍ରିକେଟର ଭବିଷ୍ୟତକୁ ଏକ ନୂଆ ଦିଗ ଦେଖାଇଛି । ଏଥିସହ ଆଗାମୀ ପିଢ଼ିର ଖେଳାଳିଙ୍କୁ ମଧ୍ୟ ପ୍ରେରଣା ଦେଇଛି । ଭାରତୀୟ ମହିଳା ଦଳ ୱାନଡେ’ ୱାର୍ଲ୍ଡକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିଥିଲା । ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ୨୯୯ ରନ୍ ଟାର୍ଗେଟ୍ ଦେଇଥିଲା । ଏହି ଲକ୍ଷ୍ୟକୁ ପିଛା କରି ସାଉଥ୍ ଆଫ୍ରିକା ୪୫.୩ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୪୬ ରନ୍ ସଂଗ୍ରହ କରିପାରିଥିଲେ । ଫଳରେ ଫାଇନାଲ୍ ଫାଇଟରେ ଭାରତ ୫୨ ରନରେ ବିଜୟୀ ହୋଇ ଟାଇଟଲ୍ ନିଜ ନାଁରେ କରିଛି । ୨୫ ବର୍ଷ ପରେ ଦିନିକିଆ କ୍ରିକେଟରେ ବିଶ୍ୱ ବିଜୟୀ ହୋଇଛି ।