ଭୁବନେଶ୍ୱର,୧୭/୦୧: ସାଧାରଣ  ପ୍ରଶାସନକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦେଇଥିବା  ଏକ ମିଛ ଚିଠି ପ୍ରସ୍ତୁତ କରି ହାଇକୋର୍ଟରେ  ଦାଖଲ କଲେ । ହାଇକୋର୍ଟ ସାଧାରଣ ପ୍ରଶାସନକୁ  ଜବାବ ମାଗିବା ପରେ ସତ ଧରାପଡ଼ିଗଲା । ଏହି  ସାଂଘାତିକ କେଳେଙ୍କାରୀର ଗୁମର ଫିଟିବା ପରେ  ହାଇକୋର୍ଟ କ୍ଷୁବ୍ଧ ହେଲେ । ରିହାତଦେଶ ହଟାଇବା  ପରେ ଶୁକ୍ରବାର ଖଣ୍ଡଗିରି ବୈକୁଣ୍ଠ ଧାମରେ ବୁଲ୍‌ଡୋଜର ବୁଲିବ । ଏନେଇ ଗୁରୁବାର ବିଡିଏ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି ।  

ବୈକୁଣ୍ଠ ଧାମ ଉଚ୍ଛେଦରୁ ହାଇକୋର୍ଟ ଶୁକ୍ରବାର  ରିହାତଦେଶ ଉଠାଇବା ପରେ ବିଡିଏ ପକ୍ଷରୁ ଏକ  ବୈଠକ ବସିଥିଲା । ସେଣ୍ଟ୍ରାଲ ଏନ୍‌ଫୋର୍ସମେଣ୍ଟ  ମନିଟରିଂ କମିଟି (ସିଇଏମ୍‌ସି) ପକ୍ଷରୁ ବସିଥିବା  ଏହି ବୈଠକରେ, ସାଧାରଣ ପ୍ରଶାସନ, ବିଏମ୍‌ସି,  ପୁଲିସ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।  ଶୁକ୍ରବାର ସକାଳ ୧୧ଟାରେ ବୈକୁଣ୍ଠ ଧାମ  ଭାଙ୍ଗିବାକୁ ସମୟ ଧାର୍ଯ୍ୟ ହୋଇଛି । ଏଥିପାଇଁ ଆବଶ୍ୟକୀୟ ପୁଲିସ ଫୋର୍ସ ଯୋଗାଇ ଦେବାକୁ  ବିଡିଏ ଭୁବନେଶ୍ୱର ଡିସିପିଙ୍କୁ ଅବଗତ କରାଇଛି ।  

ଗୁରୁବାର ବିଡିଏ ପକ୍ଷରୁ ବୈକୁଣ୍ଠ ଧାମକୁ ଏକ  ନୋଟିସ ଜାରି କରାଯାଇଛି । ନୋଟିସ ମୁତାବକ  ଆଜି ରାତି ସୁଦ୍ଧା ଆଶ୍ରମ ଖାଲି କରିବାକୁ ନିର୍ଦ୍ଦେଶ  ଦିଆଯାଇଛି । ସେପଟେ ନୋଟିସ ପାଇବା ପରେ  ଆଜି ଆଶ୍ରମ ପରିସର ଖାଁ ଖାଁ ରହିଥିଲା । ଆଶ୍ରମ  ଆଗରେ ଭକ୍ତଙ୍କ ଦେଖା ନଥିଲା । ଖଣ୍ଡଗିରି ଠାରେ  ବୈକୁଣ୍ଠନାଥ ଧାମ ପ୍ରାୟ ୧୪୦ ଡିସିମିଲ ସରକାରୀ  ଜାଗାକୁ ଜବରଦଖଲ କରି ରଖିଥିଲା । ଗତ ନଭେମ୍ବର ୧୮ ତାରିଖରେ ସାଧାରଣ ପ୍ରଶାସନ, ବିଡିଏ ଓ  ଭୁବନେଶ୍ୱର ତହସିଲର ମିଳିତ ଟିମ୍‌ ଆଶ୍ରମରେ  ୨ ଘଣ୍ଟା ଧରି ମାପଚୁପ କରିଥିଲା । ପାଖାପାଖି ୮  କୋଟି ଟଙ୍କା ମୂଲ୍ୟର ସରକାରୀ ଜମିରେ ବେଆଇନ  ମଣ୍ଡପ, କୋଠା ଆଉ ରୋଷଶାଳା ନିର୍ମାଣ ହୋଇଥିବା  ଦର୍ଶାଇଥିଲା । ଏହା ପରେ ଭାଙ୍ଗିବାକୁ ଦିନ ସ୍ଥିର  ହୋଇଥିଲା । ଏନେଇ ଆଶ୍ରମ କର୍ତ୍ତୃପକ୍ଷ ତା  ପୂର୍ବଦିନ ତରବରିଆ ଭାବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହେଲେ ଯେଉଁ ଚିଠି ଦେଇଥିଲେ,  ତାହା ସମ୍ପୂର୍ଣ୍ଣ ଭାବେ ଜାଲ୍‌ ବୋଲି ଜଣାପଡ଼ିଥିଲା ।  

ଆଶ୍ଚର୍ଯ୍ୟର ବିଷୟ ହାଇକୋର୍ଟ ୬ ଦିନ ତଳୁ  ଭାଙ୍ଗିବାକୁ ନିର୍ଦ୍ଦେଶ ଦେବା ପରେ ମଧ୍ୟ ବିଡିଏ  ରହସ୍ୟଜନକ ଭାବେ ଚୁପ ବସିଥିଲା । ଏନେଇ ଗଣମାଧ୍ୟମରେ ଘନ ଘନ ଖବର ପ୍ରସାରଣ  ପରେ ଗୁରୁବାର ବିଡିଏ ନୋଟିସ ଜାରି କରିବା  ସହ ଶୁକ୍ରବାର ଭାଙ୍ଗିବାକୁ ଦିନ ସ୍ଥିର କରିଛି।