ଭୁବନେଶ୍ୱର,୧୧/୧୨: ସକାଳୁ ସନ୍ଧ୍ୟା ଖୋଲା ରହିବ ପାର୍କ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ସବୁ ପାର୍କ ଗୁଡ଼ିକ ଶନିବାର ଓ ରବିବାର ଦିନରୁ ରାତି ଯାଏ ଖୋଲା ରହିବ ବୋଲି ଘୋଷଣା କରାଯାଇଛି । ପ୍ରାତଃଭ୍ରମଣକାରୀ, ଫିଟନେସ୍ ପ୍ରେମୀ ଏବଂ ପରିଦର୍ଶକଙ୍କ ବାରମ୍ବାର ଅନୁରୋଧକୁ ଦୃଷ୍ଟିରେ ରଖି, ବିଡିଏ ଏଭଳି ନିଷ୍ପତ୍ତି ନେଇଛି । ଅପରାହ୍ନରେ ସାଧାରଣତଃ ବିଡିଏ ର ଯେଉଁ ପାର୍କ ଗୁଡ଼ିକ ବନ୍ଦ କରାଯାଏ ସେଗୁଡ଼ିକ ଏବେ ବନ୍ଦ ହେବ ନାହିଁ । ସପ୍ତାହାନ୍ତରେ (ଶନିବାର ଓ ରବିବାର) ସବୁ ପାର୍କ ଦିନସାରା ଖୋଲା ରହିବ । ଏହି ନୂଆ ନିୟମ ଆସନ୍ତା ଡିସେମ୍ବର ୧୩ ତାରିଖଠାରୁ ଲାଗୁ ହେବ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।

ସଂଶୋଧିତ ସମୟ ଅନୁଯାୟୀ, ସମସ୍ତ ବିଡିଏ-ପରିଚାଳିତ ପାର୍କ ଶନିବାର ଏବଂ ରବିବାର ସକାଳ ୫ଟା ରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ । ଯାହାଫଳରେ ଯେଉଁମାନେ ସପ୍ତାହାନ୍ତ ପାର୍କରେ ସମୟ ବିତାଇବାକୁ ପସନ୍ଦ କରନ୍ତି ସେମାନଙ୍କ ଏହାର ସୁବିଧା ପାଇ ପାରିବେ । କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଇନ୍ଦିରା ଗାନ୍ଧୀ ପାର୍କ (ଆଇଜି ପାର୍କ) ସପ୍ତାହର ସବୁ ଦିନ ସକାଳ ୫ଟାରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ । ତେଣୁ ସପ୍ତାହାନ୍ତ (ଶନିବାର ଓ ରବିବାର) ସହିତ ଅନ୍ୟ ଦିନଗୁଡ଼ିକରେ ମଧ୍ୟ ଏହି ପାର୍କଟି ସମାନ ସମୟରେ ଖୋଲା ରହିବ । ସେହିପରି ଅବଶିଷ୍ଟ ପାର୍କଗୁଡ଼ିକ ପାଇଁ, ସପ୍ତାହର ସମୟ ପୂର୍ବ ପରି ସକାଳ ୫ଟାରୁ ସକାଳ ୧୧ଟା ୩୦ ଏବଂ ପୁଣି ଅପରାହ୍ନ ୩ଟା ୩୦ ରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ । ପ୍ରତ୍ୟେକ ପାର୍କର ପ୍ରବେଶ ଦ୍ୱାରରେ ଖୁବ୍ ଶୀଘ୍ର ନୂତନ କାର୍ଯ୍ୟସୂଚୀ ସମୟ ବୋର୍ଡରେ ପ୍ରଦର୍ଶିତ ହେବ ।

ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା କହିଛନ୍ତି, ସହରବାସୀଙ୍କ ମନୋରଞ୍ଜନ ଅଭିଜ୍ଞତାକୁ ଆହୁରି ବୃଦ୍ଧି କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ବିଡିଏ ଭୁବନେଶ୍ୱରରେ ଆଇଜି ପାର୍କ, ବିଜୁ ପଟ୍ଟନାୟକ ପାର୍କ, ଏପିଜେ ଅବଦୁଲ କଲାମ ପାର୍କ, ମଧୁସୂଦନ ଦାସ ପାର୍କ, ଗୁରୁ କେଳୁ ଚରଣ ମହାପାତ୍ର ପାର୍କ ଏବଂ ବୁଦ୍ଧ ଜୟନ୍ତୀ ପାର୍କ ସମେତ ୫୦ ଟି ପ୍ରମୁଖ ପାର୍କ ପରିଚାଳନା କରୁଛି । ପ୍ରତିଦିନ ହାରାହାରି ପ୍ରାୟ ୩୫,୦୦୦ ଲୋକ ଏହି ପାର୍କଗୁଡ଼ିକୁ ପରିଦର୍ଶନ କରନ୍ତି ।