ଚା’ ସହ ବିସ୍କୁଟ ହେଉ ଅବା ଅଫିସ୍‌ରେ ହାଲ୍‌କା ଭୋକ ମେଣ୍ଟାଇବା ପାଇଁ ୨ଟି ବିସ୍କୁଟ୍‌ ଖାଦ୍ୟର ଶ୍ରେଷ୍ଠ ବିକଳ୍ପ । କିନ୍ତୁ କେବେ ଭାବିଛନ୍ତି, ବିସ୍କୁଟ୍‌ ଶରୀର ପାଇଁ କେତେ କ୍ଷତିକାରକ? ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ମେଟାବଲିଜିମ୍‌, ଓଜନ ଓ ଶର୍କରା ସ୍ତର ପ୍ରଭାବିତ ହୋଇଥାଏ । ଡାକ୍ତର ନିମଳ ଛାଚରଙ୍କ ମତରେ ବିସ୍କୁଟରେ ବ୍ୟବହୃତ ମଇଦା, ରିଫାଇନ୍‌, ଚିନି ଓ ହାଇଡ୍ରେଜେନେରେଟେଡ୍‌ ତେଲ ଶରୀର ର ମେଟାବଲିଜିମ୍‌କୁ ନଷ୍ଟ କରିଦେଇପାରେ। 

ହଜମ ପ୍ରକ୍ରିୟାକୁ ପ୍ରଭାବିତ 

ବିସ୍କୁଟରେ ମଇଦା, କମ୍‌ ଫାଇବର ଥିବାରୁ ଏହା ସହଜରେ ହଜମ ହୋଇ ନଥାଏ । ଏହାକୁ ଲଗାତାର ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ, ଗ୍ୟାସ୍‌ ଓ ଏସିଡିଟି ପରି ସମସ୍ୟା ଦେଖା ଦେଇଥାଏ । 

ଓଜନ ବଢିବାର ଆଶଙ୍କା 

ବିସ୍କୁଟରେ ରହିଥିବା କ୍ୟାଲୋରୀ ଓ ଚିନି ଶରୀରରେ ଚର୍ବି ଭାବେ ଜମା ହୋଇ ରହିଥାଏ । ତେଣୁ ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ବିସ୍କୁଟ ଖାଇବା ଅନୁଚିତ୍‌ । 

ରକ୍ତ ଶର୍କରା ଉପରେ ପ୍ରଭାବ 

ମଧୁମେହ ରୋଗୀ ବିସ୍କୁଟ ଖାଇବା ଆଦୌ ଉଚିତ୍‌ ନୁହେଁ । କାରଣ ଏହାର ଗ୍ଲାଇସୋମିକ୍‌ ଇଣ୍ଡେକ୍ସ ଅଧିକ ରହିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ଶରୀରର ରକ୍ତରେ ଶର୍କରା ସ୍ତର ତୀବ୍ର ବେଗରେ ବଢିଥାଏ ।

 ହର୍‌ମୋନ୍‌ ଅସନ୍ତୁଳନ 

ଡାକ୍ତରଙ୍କ ମତରେ ବିସ୍କୁଟରେ ଥିବା ଟ୍ରାନ୍ସ ଫ୍ୟାଟ୍‌ ଓ ସଂରକ୍ଷକ ଶରୀରରେ ହର୍‌ମୋନ୍‌ ଅସନ୍ତୁଳନ ସୃଷ୍ଟି କରିପାରେ । ବିଶେଷକରି ଏହା ମହିଳାମାନଙ୍କ କ୍ଷେତ୍ରରେ ଏହା ବ୍ରଣ, ଅନିୟମିତ ମାସିକ ଋତୁସ୍ରାବ ଓ ଥକ୍କାପଣ ସୃଷ୍ଟି କରିପାରେ ।


ପିଲାଙ୍କ ବିକାଶରେ ପ୍ରଭାବ ପ୍ରାୟ ମା’ମାନେ ପିଲାଙ୍କୁ ବିସ୍କୁଟ ଖାଇବାକୁ ଦେଇଥାନ୍ତି । କିନ୍ତୁ ଏଥିରେ ପ୍ରୋଟିନ୍‌, ଭିଟାମିନ୍‌, ଫାଇବର ଓ ଆବଶ୍ୟକ ଭିଟାମିନ୍‌ର ପରିମାଣ ଖୁବ୍‌ କମ୍‌ ରହିଥାଏ, ଯାହା ପିଲାଙ୍କ ବୃଦ୍ଧି ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଏପରିକି ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ କମ୍‌ କରିଦେଇଥାଏ । ତେଣୁ ଯଥାସମ୍ଭବ ବିସ୍କୁଟ ଖାଇବାରୁ ନିଜକୁ ଦୂରେଇ ରଖବା ଉଚିତ୍‌ ହେବ ।