ଭୁବନେଶ୍ୱର,୦୧/୦୮: ଆଜି ପ୍ରକାଶ ପାଇବ ଶିକ୍ଷକ ଶିକ୍ଷା (ବିଏଡ୍, ଏମ୍ଏଡ୍, ହିନ୍ଦୀ ବିଏଡ୍) ନାମଲେଖା ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷାର ଫଳ । ନିଜ ସ୍କୋର ଅନୁଯାୟୀ ଛାତ୍ରଛାତ୍ରୀ ଚଏସ୍ ଲକିଂ କରିବେ । ୪ ତାରିଖ ମଧ୍ୟରେ ଚଏସ୍ ଲକିଂ କରିବାକୁ ସୁଯୋଗ ଦିଆଯିବ । ୮ରେ ପ୍ରୋଭିଜ୍ନାଲ ସିଟ୍ ଆବଣ୍ଟନ ତାଲିକା (ପ୍ରଥମ ରାଉଣ୍ଡ) ପ୍ରକାଶ କରାଯିବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୧ ତାରିଖରୁ ୧୩ ତାରିଖ ମଧ୍ୟରେ ନାମଲେଖାଇବେ ।
୧୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ସିଟ୍ ଆବଣ୍ଟନ କରାଯିବ । ଏଥିରେ ସ୍ଥାନିତ ଛାତ୍ରଛାତ୍ରୀ ୨୦ରୁ ୨୨ ତାରିଖ ମଧ୍ୟରେ ନାମଲେଖାଇବେ । ୨୬ରେ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୨୯ରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ନାମଲେଖାଇବେ । ଚତୁର୍ଥ ପର୍ଯ୍ୟାୟ ତଥା ସ୍ପଟ୍ ନାମଲେଖା ପାଇଁ ସେପ୍ଟେମ୍ବର ୩ରୁ ୫ ତାରିଖ ମଧ୍ୟରେ ଅନ୍ଲାଇନ କମନ୍ ଆପ୍ଲିକେସନ ଫର୍ମ ଆବେଦନ ଆରମ୍ଭ ହେବ । ଏହାର ମେଧା ତାଲିକା ୮ ତାରିଖରେ ଉଚ୍ଚଶିକ୍ଷାନୁଷ୍ଠାନର ଇସ୍ପେସ୍ରେ ଉପଲବ୍ଧ ହେବ ।
୯ରେ ୱେଟିଂ ଲିଷ୍ଟ ନୋଟିସ୍ ବୋର୍ଡ କିମ୍ବା ୱେବ୍ସାଇଟ୍ରେ ଉପଲବ୍ଧ କରାଯିବ । ଏପରିକି ଫୋନ୍ କଲ୍, ଇମେଲ୍ କିମ୍ବା ଏମ୍ଏମ୍ଏସ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଖକୁ ସୂଚନା ଦିଆଯିବ । ୧୦ରୁ ୧୧ ତାରିଖ ମଧ୍ୟରେ ନାମଲେଖା ହେବ । ୧୩ ତାରିଖ ମଧ୍ୟରେ ସମସ୍ତ ନାମଲେଖା ପ୍ରକ୍ରିୟା ଶେଷ କରାଯିବ । ସେପ୍ଟେମ୍ବର ୨ ତାରିଖରୁ ପାଠପଢ଼ା ଆରମ୍ଭ ହେବ ।