କଟକ,୦୫/୦୮: ପୂଜା ପାର୍ବଣ ପୂର୍ବରୁ କଟକରେ ଅପରାଧୀ ଗୋଷ୍ଠୀ ସକ୍ରିୟ ହୋଇ ଉଠିଛନ୍ତି । ନୂଆବଜାର ପୋଲ ଉପରେ  ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ମଧୁପାଟଣା ଥାନା ଖପୁରିଆ ଅଞ୍ଚଳର ସଞ୍ଜୟ କୁମାର ତରାଇ (୨୦) ଗୁରୁତର ଆହତ ହୋଇଛନ୍ତି ।  ଗୁଳିଟି ତାଙ୍କ ଡାହାଣ ଗୋଡ଼ରେ ବାଜି ହାଡଭାଙ୍ଗି ଜଙ୍ଘରେ ପଶିଯାଇଛି । ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଏସ୍‌ସିବି ଟ୍ରମା କାଜୁଆଲଟିରେ ଭର୍ତ୍ତି କରିଛନ୍ତି । 

ସୂଚନା ଅନୁଯାୟୀ, ଖପୁରିଆ ଅଞ୍ଚଳର ସଞ୍ଜୟ ବିଳମ୍ବିତ ରାତିରେ ନୂଆବଜାର ଫ୍ଲାଏ ଓଭରବ୍ରିଜ୍‌ ଉପରେ ଜଣେ ବନ୍ଧୁଙ୍କ ସହିତ ସାଇକେଲରେ ଘରକୁ ଫେରୁଥିଲେ । ଏହି ସମୟରେ କେତେ ଜଣ  ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଦୁର୍ବୃତ୍ତମାନେ ତାଙ୍କ ଗୋଡ଼କୁ ଗୁଳିମାଡ଼ କରିଥିଲେ । ଗୁଳିମାଡ଼ର କାରଣ ଜଣାପଡ଼ି ନଥିଲେ ମଧ୍ୟ କୌଣସି  ପୂର୍ବ ଶତ୍ରୁତାକୁ ନେଇ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଘଟଣା ଘଟିବାର ୨ ଘଣ୍ଟା  ବିତି ଯାଇଥିଲେ ମଧ୍ୟ ପୁଲିସ ଘଟଣା ସଂପର୍କରେ ଅବଗତ ନଥିଲା କିମ୍ବା  ଘଟଣାସ୍ଥଳରେ ପହଞ୍ଚିପାରି ନଥିଲା । ମେଡ଼ିକାଲ ସୂତ୍ରରୁ ଖବର ପାଇ ପୁଲିସ ଏସ୍‌ସିବିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।