ଭୁବନେଶ୍ୱର,୦୫/୧୦: ରାଜଧାନୀରେ ଏମିତି କୌଣସି ଛକ ନାହିଁ, ଯେଉଁଠି ଭିକାରୀ  ନାହାନ୍ତି । ଏମାନେ ମନ୍ଦିର, ମସଜିଦ୍‌ ସାମ୍ନାରେ ବସୁଥିବା ଭିକାରୀଙ୍କ ପରି ନୁହନ୍ତି । ଛିଣ୍ଡା, ଫଟା  ପୋଷାକ, ଲୁଗା ପିନ୍ଧି ନଥାନ୍ତି କିମ୍ବା ହାତରେ  ଧରି ନଥାନ୍ତି ଫଟା ବେଲା କି ଥାଳି । ସ୍ମାର୍ଟ ସିଟି ଭୁବନେଶ୍ୱରର ସ୍ମାର୍ଟ ଭିକାରୀଙ୍କ ବେଶଭୂଷା ଟିକେ ଅଲଗା । ଏମାନଙ୍କ ଭିତରୁ କେତେକ ନକଲି କିନ୍ନର ବେଶରେ, କଲମ ଆଦି କିଛି ଜିନିଷ  ବିକ୍ରି କରିବା ଆଳରେ ପାଖକୁ ଆସନ୍ତି । ଆଉ ହାତ ପତାଇ ଟଙ୍କା ମାଗନ୍ତି ।  କିନ୍ତୁ ସରକାର କହୁଛନ୍ତି ଖୋର୍ଦ୍ଧା ଜିଲ୍ଲାରେ ମାତ୍ର ୧୫୦ ଭିକାରୀ ଥିବା ବେଳେ ସାରା ରାଜ୍ୟରେ ଅଛନ୍ତି ୩ ହଜାର ୯ ଜଣ ଭିକାରୀ । ମନ୍ଦିର ସାମ୍ନାରେ ଜରି ଅଖା ଉପରେ ବସି କମ୍ବଳ ଘୋଡ଼ାଇ  ହାତରେ କଂସା ଧରି ଭିକ ମାଗୁଥିଲେ ଖାଲି ଭିକାରୀ  ବୋଲି ହିସାବ କରନ୍ତି ସରକାର । ବେଶ ବଦଳାଇ  ସହର ସାରା ବୁଲି ବୁଲି ଲୋକଙ୍କୁ ଟଙ୍କା ମାଗୁଥିବା  ଲୋକ ଯେ ଭିକାରୀ ଭିତରେ ଗଣାଯାଇ ପାରିବ  ସେ ହିସାବ ସରକାରଙ୍କ ପାଖରେ ନାହିଁ । 

ନାଲକୋ ଛକ ହେଉ କି ମ୍ୟାଗନେଟିକ୍‌  ଛକ, ଜୟଦେବ ବିହାର ହେଉ କି ସିଆରପି  ଛକ, ରସୁଲଗଡ ଆଦି ସହରର ଅଧିକାଂଶ  ଛକରେ ଟ୍ରାଫିକ୍‌ ଅଟକିଥିବା ସମୟରେ ଏଭଳି  ଭିକାରୀମାନେ ଆସି ପହଞ୍ଚି ଯାଆନ୍ତି । ମୁହଁରେ  ଅସହାୟ ଭାବ ନେଇ ଟ୍ରାଫିକ୍‌ ସବୁଜ ସଂକେତକୁ ଅପେକ୍ଷା କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏମାନେ  ହାତ ପତାଇ ମାଗନ୍ତି ଟଙ୍କା । ଏଭଳି ବିଭିନ୍ନ  ବର୍ଗର ବ୍ୟକ୍ତି ଟଙ୍କା ମାଗୁଥିବା ଦେଖିବାକୁ ମିଳୁଛି ଭିକାରୀ ମୁକ୍ତ ସହର ଭୁବନେଶ୍ୱରରେ ।  ବିଏମ୍‌ସି ଜରିଆରେ ଅନେକ କିନ୍ନର ସ୍ୱାବଲମ୍ବୀ  ହୋଇଥିଲେ ମଧ୍ୟ ଅନେକ ଏବେବି ଛକରେ  ଭିକ୍ଷାବୃତ୍ତି କରୁଛନ୍ତି। ତେବେ ଏମାନେ କିନ୍ନର  ବେଶଧାରୀ ନା ପ୍ରକୃତରେ କିନ୍ନର ତାହା ସ୍ପଷ୍ଟ  ହେଉନି । 

ଦ୍ୱିତୀୟ ବର୍ଗ ହେଲେ ଯାଯାବର ।  ସହରର ଛକରେ କେତେକ ଅଣଓଡିଆ  ନାବାଳକ ନାବାଳିକା, କିଶୋର କିଶୋରୀ,  ମହିଳା ହାତରେ ଗଣ୍ଡାଏ ପେନ୍‌ କିମ୍ବା ଘର ସଜ୍ଜା  ଜିନିଷ ବିକ୍ରି ପାଇଁ ଧରିଥାନ୍ତି, କିନ୍ତୁ ଉଦ୍ଦେଶ୍ୟ  ଥାଏ ଭିକ୍ଷାବୃତ୍ତି । ଟଙ୍କା ମାଗିଲା ବେଳେ ମଧ୍ୟ  ସେମାନେ ନିଜର ଅସହାୟତା ପ୍ରକାଶ କରୁଥାନ୍ତି  ଏବଂ କିଛି ସାମଗ୍ରୀ କିଣିବାକୁ ବାଧ୍ୟ କରୁଥାନ୍ତି ।  କିନ୍ତୁ ଅଧିକାଂଶ ଲୋକେ ଅନାବଶ୍ୟକ ପେନ୍‌,  ଖେଳନା ଚଢ଼େଇ ନ କିଣି ଖାଲିରେ ସେମାନଙ୍କୁ  କିଛି ଟଙ୍କା ଧରେଇ ଦିଅନ୍ତି । ତାଛଡ଼ା ଟ୍ରାଫିକ୍‌  ଛକରେ ଜବରଦସ୍ତ ଆସି କିଛି ଲୋକ ମଥାରେ  ଚନ୍ଦନ, ସିନ୍ଦୂର ଟୋପା ଲଗାଇ ଦିଅନ୍ତି, ଆଉ ଟଙ୍କା  ମାଗନ୍ତି । ଟଙ୍କେ କି ଦୁଇଟଙ୍କା ଏମାନେ ନିଅନ୍ତି  ନାହିଁ । ସେହିପରି ରାଜଧାନୀ ଉପକଣ୍ଠରୁ କିମ୍ବା  ସହରର ଆଖପାଖ ଅଞ୍ଚଳରୁ ଆସି କିଛି ଦିବ୍ୟାଙ୍ଗ  ମଧ୍ୟ ଭିକ୍ଷାବୃତ୍ତି କରୁଥିବା ଦେଖାଯାଉଛି । 

ତେବେ ସେମାନେ କଣ ଭିକାରୀ ନୁହନ୍ତି! ଏ  ବାବଦରେ ବିଏମସି ଅଧିକାରୀଙ୍କ ସହ ଆଲୋଚନା  ବେଳେ ଜଣାପଡିଛି, ଗତ ୬ ମାସରେ ପ୍ରାୟ  ୩୦ରୁ ୩୫ ଜଣ ଭିକାରୀଙ୍କୁ ଉଦ୍ଧାର କରି ଥଇଥାନ  କରାଯାଇଛି । ରାଜଧାନୀକୁ ଭିକାରୀ ମୁକ୍ତ ସହର  କରିବା ଉଦ୍ଦେଶ୍ୟରେ ବିଏମସି, କମିଶନରେଟ୍‌  ପୋଲିସ ଏବଂ ୪ଟି ଏଜେନ୍ସି ମିଳିତ ଭାବରେ  କାମ କରୁଛନ୍ତି । ବର୍ତ୍ତମାନ ସହରରେ ୫ଟି  ପୁନର୍ବାସ କେନ୍ଦ୍ର ରହିଛି। ଯେଉଁଥିରୁ ଗୋଟିଏ  କେନ୍ଦ୍ର କେବଳ ମହିଳା ଓ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ।  ପ୍ରତ୍ୟେକ କେନ୍ଦ୍ରରେ ସର୍ବାଧିକ ୧୦୦ ଭିକ୍ଷୁକଙ୍କ  ଲାଗି ରହିବା ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ  ପ୍ରତ୍ୟେକ ପୁନର୍ବାସ କେନ୍ଦ୍ରରେ ପ୍ରାୟ ୯୦ରୁ ଅଧିକ  ଅନ୍ତେବାସୀ ରହୁଛନ୍ତି । ଅର୍ଥାତ୍‌ ପ୍ରାୟ ୪୫୦ରୁ  ଅଧିକ ଭିକ୍ଷୁକ ରହୁଛନ୍ତି । ତେବେ ଆଗକୁ ଭିକ୍ଷାବୃତ୍ତି  କରୁଥିବା କିନ୍ନରଙ୍କ ଲାଗି ମଧ୍ୟ ଏକ ସ୍ୱତନ୍ତ୍ର  ପୁନର୍ବାସ କେନ୍ଦ୍ର ଖୋଲିବାକୁ ଆଲୋଚନା ଚାଲିଛି ।  କିନ୍ତୁ ଯାଯାବର ଭିକ୍ଷୁକଙ୍କ ଲାଗି କୌଣସି ସମାଧାନ  ବାହାରିପାରି ନାହିଁ । ସେମାନେ ପୁନର୍ବାସ କେନ୍ଦ୍ରରେ  ସମସ୍ତଙ୍କ ସହ ନ ରହି ପରିବାର ଭଳି ଅଲଗା  ରହିବାକୁ ଦାବି କରୁଛନ୍ତି । ଏଣୁ ସେମାନଙ୍କୁ ଉଦ୍ଧାର  କରି ସ୍ୱାବଲମ୍ବୀ କରିବା ସମ୍ଭବ ହୋଇପାରୁନି  ବୋଲି ବିଏମସି ଅଧିକାରୀ କହିଛନ୍ତି ।