ନୂଆଦିଲ୍ଲୀ ୦୩/୧୨: ବିଶ୍ୱରେ ପ୍ରଥମ । ଯୌନ କର୍ମୀଙ୍କୁ ମାତୃତ୍ୱ ଛୁଟି, ଭତ୍ତା, ସ୍ୱାସ୍ଥ୍ୟ ବୀମା ଓ ଅସୁସ୍ଥତା ଜନିତ  ଛୁଟି ସମେତ ଅନେକ ଅଧିକାର ପ୍ରଦାନ  ଲାଗି ଘୋଷଣା କରିଛି ବେଲ୍‌ଜିୟମ୍‌ । ଏହି  ନିୟମ ଜରିଆରେ ଯୌନ କର୍ମୀଙ୍କୁ ଅନ୍ୟ  କର୍ମଚାରୀଙ୍କ ଭଳି ରୋଜଗାର ଓ ସୁରକ୍ଷା  ପ୍ରଦାନ ପାଇଁ ଚେଷ୍ଟା କରାଯାଇଛି । ଗତ ୧ ତାରିଖ ଅର୍ଥାତ୍‌ ରବିବାରଠୁ ଦେଶରେ ଏହି  ନିୟମ ଲାଗୁ ହୋଇଛି ।

୨୦୨୨ ମସିହାରେ ବେଲ୍‌ଜିୟମ୍‌ରେ  ଯୌନ କାର୍ଯ୍ୟକୁ ଅପରାଧମୁକ୍ତ ଘୋଷଣା  କରାଯାଇଥିଲା । ତା’ପରଠୁ ଦେଶରେ ଯୌନ  କର୍ମୀଙ୍କୁ ସୁରକ୍ଷା, ରୋଜଗାର, ସ୍ୱାସ୍ଥ୍ୟ ସମେତ  ଆହୁରି ଅନେକ ଅଧିକାର ପ୍ରଦାନର ଦାବି  ଉଠିଲା । ସଦ୍ୟ ନିୟମ ଲାଗୁ ହେବା ପରେ ବେଲ୍‌ଜିୟମ୍‌ରେ ଏଣିକି ଯୌନକାର୍ଯ୍ୟକୁ ମନା  କଲେ କିମ୍ବା ଛୁଟି ନେଲେ, ଯୌନ କର୍ମୀଙ୍କୁ  ଚାକିରିରୁ ବାହାର କରାଯାଇ ପାରିବ ନାହିଁ । କୌଣସି ନୋଟିସ୍‌ ବିନା ସେମାନେ ଚାକିରିରୁ  ଇସ୍ତଫା ମଧ୍ୟ ଦେଇପାରିବେ । ବେଲ୍‌ଜିୟମ ୟୁନିୟନ୍‌ ଅଫ୍‌ ସେକ୍ସ ୱର୍କର୍ସର  ଅଧ୍ୟକ୍ଷ ଭିକ୍ଟୋରିଆ କହିଛନ୍ତି ‘ଯଦି କୌଣସି  ନିୟମ ନାହିଁ ଏବଂ ଆପଣଙ୍କ ଚାକିରି  ଅବୈଧ, ତେବେ ଆପଣଙ୍କ ସାହାଯ୍ୟ ପାଇଁ  କୌଣସି ପ୍ରୋଟୋକଲ ନଥାଏ । ଏଣିକି  ନୂଆ ନିୟମ ଦ୍ୱାରା ଯୌନ କର୍ମୀଙ୍କୁ ସୁରକ୍ଷା  ମିଳିବ ।’ ମାନବାଧିକାର କାର୍ଯ୍ୟକର୍ତ୍ତା ଏହି  ନିୟମକୁ ପ୍ରଶଂସା କରି ଯୁଗାନ୍ତକାରୀ ପ୍ରୟାସ  ବୋଲି କହିଛନ୍ତି । 

ନୂଆ ନିୟମ ଅନୁସାରେ, ଯୌନ କର୍ମୀଙ୍କୁ  ରୋଜଗାରର କଣ୍ଟ୍ରାକ୍ଟ ମିଳିବ । ଏଥିସହ  କାମର ସମୟ ଓ କାର୍ଯ୍ୟସ୍ଥଳୀର ସୁରକ୍ଷା  ସମ୍ବନ୍ଧୀୟ ନିୟମ ମଧ୍ୟ ପାଳନ କରାଯିବ । ଯୌନ କାର୍ଯ୍ୟ ହେଉଥିବା ପ୍ରତ୍ୟେକ ସ୍ଥାନ ପରିଷ୍କାର ରହିବା ଉଚିତ୍‌ । ସେଠାରେ ଏକ ଆଲାର୍ମ ଲଗାଇବାକୁ ପଡ଼ିବ, ଯାହା ଯୌନ କର୍ମୀଙ୍କୁ ପଠାଇଥିବା ବ୍ୟକ୍ତିଙ୍କ ସହ ସଂଶ୍ଳିଷ୍ଟ  ହେବ । 

ନୂଆ ନିୟମରେ ଯୌନ ବ୍ୟବସାୟକୁ ନିୟନ୍ତ୍ରଣ କରୁଥିବା ଦଲାଲଙ୍କୁ ଆଇନ ଅନୁସାରେ କାମ କରିବାକୁ ଅନୁମତି ମିଳିବ । କିନ୍ତୁ ସେମାନଙ୍କୁ କଠୋର ନିୟମ ପାଳନ କରିବାକୁ ହେବ । ମାନବ ଚୋରା ଚାଲାଣ, ଯୌନ ଉତ୍ପୀଡ଼ନ, ଠକେଇ ଭଳି ମାମଲାରେ ଦୋଷୀ ପ୍ରମାଣିତ ହେଲେ ବ୍ୟକ୍ତିଙ୍କୁ ଯୌନ କର୍ମୀ ରଖିବାକୁ ଅନୁମତି ମିଳିବ ନାହିଁ ।