ନୂଆଦିଲ୍ଲୀ, ୧୦।୬: ଇଂଲଣ୍ଡ କ୍ରିକେଟ୍ ଦଳର ଟେଷ୍ଟ ଅଧିନାୟକ ବେନ୍ ଷ୍ଟୋକ୍ସ ଏକ ବଡ଼ ବିବାଦ ଘେରକୁ ଚାଲିଆସିଛନ୍ତି । ରବିବାର ବିଳମ୍ବିତ ରାତିରେ ଏକ ନାଇଟ୍ କ୍ଲବ୍ ବାହାରେ ଘଟିଥିବା ଏକ ମାରପିଟ୍ ଘଟଣାକୁ ନେଇ ଏବେ ସୋସିଆଲ ମିଡିଆ ସମେତ ସାରା କ୍ରିକେଟ୍ ଜଗତରେ ହଲଚଲ ସୃଷ୍ଟି ହୋଇଛି । ସ୍ଥିତି ଏପରି ହୋଇଛି ଯେ, ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ECB) ଷ୍ଟୋକ୍ସଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ, କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଷ୍ଟୋକ୍ସ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା ମଧ୍ୟ କରିପାରନ୍ତି ।
ସାମ୍ନାକୁ ଆସିଲା ମାରପିଟ୍ର ଭିଡିଓ:
ସୋମବାର ସକାଳୁ ସୋସିଆଲ ମିଡିଆରେ ଏକ ଭିଡିଓ ନିଆଁ ଭଳି ବ୍ୟାପିବାରେ ଲାଗିଛି, ଯେଉଁଥିରେ ବେନ୍ ଷ୍ଟୋକ୍ସ ଏବଂ ରଗ୍ବୀ ଖେଳାଳି ଟୋଟୋଆ ଅଉବାଙ୍କ ମଧ୍ୟରେ ପ୍ରବଳ ମାରପିଟ୍ ହେଉଥିବା ଦେଖିବାକୁ ମିଳୁଛି । ଇଂଲଣ୍ଡ ଅଧିନାୟକ ସମ୍ପୂର୍ଣ୍ଣ ନିଶାଗ୍ରସ୍ତ ଅବସ୍ଥାରେ ଥିବା ପରି ମନେହେଉଛନ୍ତି । ଏହି ଭିଡିଓରେ ଷ୍ଟୋକ୍ସ ଏବଂ ତାଙ୍କ ସାଥୀ ଖେଳାଳି ଗସ୍ ଆଟକିନ୍ସନ ନାଇଟ୍ କ୍ଲବ୍ ବାହାରେ ରାସ୍ତା ଉପରେ ଗଣ୍ଡଗୋଷ କରୁଥିବାର ଦେଖାଯାଉଛି । ରାଗ ଜର୍ଜରିତ ଷ୍ଟୋକ୍ସ ମାତ୍ର ଏକ ମିନିଟ୍ ଭିତରେ ଟୋଟୋଆ ଅଉବା ଏବଂ ତାଙ୍କ ସହଯୋଗୀଙ୍କ ଉପରକୁ ଦଶ-ବାରଟା ଶକ୍ତ ମୁକ୍କା ମାରୁଛନ୍ତି । ଷ୍ଟୋକ୍ସଙ୍କର ଏକ ଶକ୍ତ ପ୍ରହାର ସାମ୍ନା ଲୋକଟିର ମୁହଁରେ ଏପରି ବାଜିଥିଲା ଯେ, ସେ ସାଙ୍ଗେ ସାଙ୍ଗେ ସିଧା ରାସ୍ତା ଉପରେ କଚାଡ଼ି ହୋଇ ପଡ଼ିଯାଇଥିଲେ ।
ମ୍ୟାଚ୍ ଜିତିବା ଖୁସି ପାଲଟିଗଲା ଅଭିଶାପ:
ବଡ଼ କଥା ହେଉଛି, ଏହି ଘଟଣାର ମାତ୍ର କିଛି ଘଣ୍ଟା ପୂର୍ବରୁ ଲର୍ଡସ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ଦଳ ନ୍ୟୁଜିଲ୍ୟାଣ୍ଡକୁ ୧୧୫ ରନ୍ରେ ପରାସ୍ତ କରି ଏକ ଚମତ୍କାର ବିଜୟ ହାସଲ କରିଥିଲା । ବିଜୟର ଉତ୍ସବ ମନାଇବା ପାଇଁ ଖେଳାଳିମାନେ ରାତିରେ ନାଇଟ୍ କ୍ଲବ୍ ଯାଇଥିଲେ, କିନ୍ତୁ ସେଠାରେ ଟିମ୍ ପ୍ରୋଟୋକଲ୍ର ଧଜିଆ ଉଡ଼ାଇ ଷ୍ଟୋକ୍ସ ଏହି କାଣ୍ଡ ଭିଆଇଛନ୍ତି । ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିବା ପରେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ତୁରନ୍ତ ଆକ୍ସନ ମୋଡ୍କୁ ଆସିଛି । ବୋର୍ଡ ପକ୍ଷରୁ ଏକ ଆଧିକାରିକ ବୟାନ ଜାରି କରି କୁହାଯାଇଛି ଯେ, "ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଶେଷ ହେବା ପରେ ଦଳର ନିୟମ ଓ ପ୍ରୋଟୋକଲ୍ ଉଲ୍ଲଂଘନ ହୋଇଥିବା ଅଭିଯୋଗର ତଦନ୍ତ ଚାଲିଛି । ସୋମବାର ସକାଳେ ଷ୍ଟୋକ୍ସ ଏବଂ ଆଟକିନ୍ସନ ସେହି ନାଇଟ୍ କ୍ଲବ୍ରେ ଉପସ୍ଥିତ ଥିଲେ । ଆମେ ବର୍ତ୍ତମାନ ଏ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରୁଛୁ ।" ବୋର୍ଡ ଆହୁରି ମଧ୍ୟ ସ୍ପଷ୍ଟ କରିଛି ଯେ, ଦ୍ୱିତୀୟ ଟେଷ୍ଟ ପାଇଁ ଦଳ ଘୋଷଣା ସଠିକ୍ ସମୟରେ କରାଯିବ ଏବଂ ସମଗ୍ର ମାମଲାକୁ 'କ୍ରିକେଟ୍ ରେଗୁଲେଟର' କୁ ହସ୍ତାନ୍ତର କରାଯାଇଛି ।
ଷ୍ଟୋକ୍ସଙ୍କ ସପକ୍ଷରେ ବାହାରିଲେ ଷ୍ଟିଭ୍ ହାର୍ମିସନ୍:
ସାରା ବିଶ୍ୱରେ ଷ୍ଟୋକ୍ସଙ୍କର ଏଭଳି ଆଚରଣକୁ ନିନ୍ଦା କରାଯାଉଥିବା ବେଳେ ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର ଷ୍ଟିଭ୍ ହାର୍ମିସନ୍ କିନ୍ତୁ ତାଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରିଛନ୍ତି । 'ଟକ୍ସ୍ପୋର୍ଟ' ସହ କଥା ହେବା ବେଳେ ହାର୍ମିସନ୍ କହିଛନ୍ତି, "ଯେପର୍ଯ୍ୟନ୍ତ ଏହି ମାମଲାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ସାମ୍ନାକୁ ଆସିନାହିଁ, ସେପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେବା ଉଚିତ୍ ନୁହେଁ । ବେନ୍ ଜଣେ ଚମତ୍କାର ଖେଳାଳି ଏବଂ ଅତ୍ୟନ୍ତ ସ୍ପଷ୍ଟବାଦୀ ମଣିଷ । ସେ ନିଜେ ଭଲ ଭାବେ ଜାଣିଛନ୍ତି ଯେ ସେ ନିଜ ସୀମା ପାର୍ କରିଛନ୍ତି କି ନାହିଁ ।" ତାଙ୍କ ପିଲାଦିନର ସ୍ମୃତିକୁ ମନେ ପକାଇ ହାର୍ମିସନ୍ ଆହୁରି କହିଛନ୍ତି, "ମୁଁ ବେନ୍କୁ ସେତେବେଳୁ ଜାଣିଛି ଯେତେବେଳେ ସେ ମାତ୍ର ୧୫ ବର୍ଷର ଥିଲେ । ମୁଁ ସମ୍ପୂର୍ଣ୍ଣ ତାଙ୍କ ସହିତ ଅଛି । ତଥ୍ୟ ପ୍ରମାଣ ସାମ୍ନାକୁ ଆସିବା ପରେ ସେ ସେହି ନିଷ୍ପତ୍ତି ନେବେ ଯାହା ପରିସ୍ଥିତି ଅନୁଯାୟୀ ଠିକ୍ ହେବ ।"
ପୂର୍ବ ରେକର୍ଡ ମଧ୍ୟ ବିବାଦୀୟ:
କହିରଖୁଛୁ ଯେ, ବେନ୍ ଷ୍ଟୋକ୍ସଙ୍କ ପାଇଁ ନାଇଟ୍ କ୍ଲବ୍ ବିବାଦ ନୂଆ ନୁହେଁ । ଏହାପୂର୍ବରୁ ୨୦୧୭ ମସିହାରେ ବ୍ରିଷ୍ଟଲ୍ ନାଇଟ୍ କ୍ଲବ୍ ବାହାରେ ମଧ୍ୟ ସେ ଏଭଳି ଏକ ମାରପିଟ୍ ମାମଲାରେ ଛନ୍ଦି ହୋଇ ଜେଲ୍ ଯିବାରୁ ଅଳ୍ପକେ ବର୍ତ୍ତିଥିଲେ । ଏବେ ପୁଣି ଥରେ ସମାନ ଘଟଣାର ପୁନରାବୃତ୍ତି ତାଙ୍କ କ୍ରିକେଟ୍ କ୍ୟାରିୟର ସେସ କରିଦେବାର ଆଶଙ୍କା ସୃଷ୍ଟି କରିଛି । କ୍ରିକେଟ୍ ପ୍ରେମୀମାନେ ଏବେ ECBର ଚୂଡ଼ାନ୍ତ ନିଷ୍ପତ୍ତିକୁ ଚାହିଁ ରହିଛନ୍ତି ।
ଆହୁରି ପଢ଼ନ୍ତୁ... ICC କ୍ରିକେଟ ବିଶ୍ବକପ୍ ନା ଫିଫା ବିଶ୍ବକପ୍, କେଉଁ ଟୁର୍ଣ୍ଣାମେଣ୍ଟର ଟ୍ରଫି ଅଧିକ ମହଙ୍ଗା ?