ମାଲକାନଗିରି, ୨୨/୧୨(ଆପ୍ର ): ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକସ୍ଥ ମାରିୱାଡ଼ା ଗ୍ରାମବାସୀଙ୍କ ଗୁହାରୀ ଶୁଣିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ଦୀର୍ଘ ୨୨ ବର୍ଷ ପରେ ମାରିୱାଡ଼ା ଗ୍ରାମର ୩୯ ଜଣଙ୍କୁ ମିଳିଛି ଜମି ଦଖଲ ।

ଗତ ୧୫ ଡ଼ିସେମ୍ବର ରେ ଜିଲ୍ଲାପାଳ ଶ୍ରୀ ଉପଧ୍ୟାୟ,ଏସପି ବିନୋଦ ପାଟିଲ ଏଚ, ରାଖାଲଗୁଡ଼ା, ମାରିୱାଡ଼ା, ନିଲିଗୁଡା ଓ ଏମଭି ୧୮ ଗ୍ରାମ ଗସ୍ତ କରିଥିଲେ। ଗସ୍ତ ସମୟରେ ମାରିୱାଡ଼ା ଗ୍ରାମବାସୀ ସେମାନଙ୍କର ଦୁଃଖ ଜଣାଇଥିଲେ ଜିଲ୍ଲାପାଳଙ୍କୁ। ୨୨ ବର୍ଷ ପୂର୍ବେ ଜମି ପଟ୍ଟା ପାଇଥିଲେ ସୁଦ୍ଧା ଜମି ଦଖଲ ମିଳିନଥିଲା ବୋଲି ଜିଲ୍ଲାପାଳ ଜାଣିବାକୁ ପାଇଥିଲେ। ତୁରନ୍ତ ମାଲକାନଗିରି ତହସିଲଦାରଙ୍କୁ ଅଗ୍ରାଧିକାର ଭିତ୍ତିରେ ମାରିୱାଡ଼ା ଗ୍ରାମର ଉକ୍ତ ହିତାଧିକାରୀଙ୍କ ଜମି ଦଖଲ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ ଉପସ୍ଥିତ ରହି ୩୯ ଜଣ ହିତାଧିକାରୀଙ୍କୁ ଜମି ଦଖଲ ଦେଇଛନ୍ତି । ଜମି ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ରହିଛି ବୋଲି ସୂଚନା ଦେଇଛନ୍ତି। ସମସ୍ତ ଗ୍ରାମବାସୀ ଦୀର୍ଘ ଦିନ ପରେ ଜମି ଦଖଲ ପାଇ ଥିବା ଯୋଗୁଁ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି। ମାଲକାନଗିରି ତହସିଲଦାର ବିଶ୍ଵରଞ୍ଜନ ବିଶ୍ୱାସ ମାଲକାନଗିରି ତହସିଲ ମାରିୱାଡ଼ା ଗାଁର ଘରଡିହ ଜମି ପଟ୍ଟା ପାଇଥିବା ହିତାଧିକାରୀଙ୍କୁ ଜମି ଚିହ୍ନଟ କରାଇ ଦଖଲ ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସୁପରଭାଇଜର, ରାଜସ୍ୱ ନିରୀକ୍ଷକ ଓ ଅନ୍ୟ ତହସିଲ କର୍ମଚାରୀ ମାରିୱାଡ଼ା ଗ୍ରାମରେ ଉପସ୍ଥିତ ଥିଲେ ।