ନୂଆଦିଲ୍ଲୀ, ୨୯।୪: ପ୍ରାୟତଃ ଧନିଆ ପତ୍ରକୁ ତରକାରୀ ଆଦିରେ ବ୍ୟବହାର କରାଯାଏ । ଧନିଆ ପତ୍ର କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ତା’ ନୁହଁ, ଏହା ଶରୀର ଅନେକ ରୋଗ ଭଲ କରେ । ଧନିଆରେ ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ଓ ଭିଟାମିନ୍ ରହିଛି । ଧନିଆ ପତ୍ରର କେଉଁ କେଉଁ ଉପକାରିତା ରହିଛି ଆସନ୍ତୁ ଜାଣିବା ।
ଥାଇରଏଡ୍ ସମସ୍ୟା
ଆଜିକାଲି ବହୁ ଲୋକଙ୍କଠାରେ ଥାଇରଏଡ୍ ସମସ୍ୟା ଦେଖିବାକୁ ମିଳିଛି । ଖାସ୍ କରି ମହିଳାଙ୍କ ମଧ୍ୟରେ । ଧନିଆ ପତ୍ରରେ ଆୟୋଡିନ୍, ଜିଙ୍କ୍ ଓ ସେଲେନିୟମ ଭଳି ତତ୍ତ୍ୱ ରହିଛି, ଯାହାକି ଥାଇରଏଡ୍ ଗ୍ରନ୍ଥିକୁ ସକ୍ରିୟ କରିଥାଏ । ତେବେ ଥାଇରଏଡ୍ ହର୍ମୋନ ଉତ୍ପାଦନ ଲାଗି ଆୟୋଡିନ୍ର ଖୁବ୍ ଆବଶ୍ୟକତା ରହିଛି । ଏହା ଶରୀରରେ ଶକ୍ତି ଓ ମେଟାବଲିଜିମ୍କୁ ବୃଦ୍ଧି ପାଏ । ଏଣୁ ଥାଇରଏଡଡ୍ ସମସ୍ୟା ଥିବା ବ୍ୟକ୍ତି ଦୈନିକ ଖାଦ୍ୟରେ ଧନିଆ ପତ୍ର ବ୍ୟବହାର କଲେ ଉପକାର ମିଳିଥାଏ ।
ବ୍ଲଡ୍ ପ୍ରେସର ନିୟନ୍ତ୍ରଣ କରେ
ଧନିଆ ପତ୍ର ବ୍ଲଡ୍ ପ୍ରେସର ସମସ୍ୟା ମଧ୍ୟ ଦୂର କରିଥାଏ । ଏହି ପତ୍ରରେ ପୋଟାସିୟମ୍, କ୍ୟାଲସିୟମ୍ ଓ ମାଗ୍ନେସିୟମ୍ ଭଳି ତତ୍ତ୍ୱ ରହିଥାଏ ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟତା କରେ । ଏହା ରକ୍ତ ବାହିକାକୁ ଆରାମ ପ୍ରଦାନ କରିଥାଏ । ଏହା ମଧ୍ୟ ହୃଦୟ ରୋଗର ଆଶଙ୍କା କମ୍ କରିଥାଏ ।
ପାଚନ କ୍ରିୟାରେ ସୁଧାର
ଧନିଆ ପତ୍ର ପାଚନ କ୍ରିୟା ଲାଗି ବିଶେଷ ଲାଭଦାୟକ । ଏହା ବାୟୁ କୋଷ୍ଠକାଠିନ୍ୟ ଆଦି ସମସ୍ୟାକୁ ଦୂର କରେ । ଯଦି ଆପଣ ନିୟମିତ ଭାବେ ଧନିଆପତ୍ର ଖାଉଛନ୍ତି, ତେବେ ପାଚନ କ୍ରିୟା ସୁଧୁରିଯାଏ ।
ରୋଗପ୍ରତିରୋଧକ ଶକ୍ତି ବଢ଼ାଏ
ଧନିଆରେ ଭିଟାମିନ୍ ସି ଓ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ପ୍ରଚୁର ମାତ୍ରାରେ ରହିଛି, ଯାହାକି ଇମ୍ୟୁନ୍ ସିଷ୍ଟମକୁ ମଜବୁତ୍ କରିଥାଏ । ଏହା ଶରୀରର ବାହ୍ୟ ସଂକ୍ରମଣକୁ ରକ୍ଷା କରିଥାଏ । ସବୁଜ ଧନିଆ ଖାଇବା ଦ୍ୱାରା ଥଣ୍ଡା, ଛିଙ୍କ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।
ଓଜନ କମ୍ କରେ
ଧନିଆ ପତ୍ର ଓଜନ କମ୍ କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଧନିଆ ପତ୍ର ଖାଇବା ଦ୍ୱାରା ଟକ୍ସିନ୍ ବାହାରକୁ ବାହାରିବାରେ ସହାୟତା ପ୍ରଦାନ କରିଥାଏ, ଯାହାଦ୍ୱାରା ସହଜରେ ଓଜନ ହ୍ରାସ ହୁଏ ।
ଧନିଆ ପତ୍ର ଜୁସ୍ ପିଅନ୍ତୁ
ଧନିଆ ପତ୍ର ଜୁସ୍ ବନାଇ ଏଥିରେ ସୈନ୍ଧବ ଲୁଣ ମିଶାଇ ଖାଲି ପେଟରେ ପିଅନ୍ତୁ । ଏହା ଶରୀରକୁ ଶକ୍ତି ଦେବା ସହ ସ୍ୱାସ୍ଥ୍ୟ ଲାଗି ମଧ୍ୟ ଉତ୍ତମ ।