ନୂଆଦିଲ୍ଲୀ,୧୨।୫: ଆର୍ଜେଣ୍ଟିନାର ଲିଜେଣ୍ଡ ଫୁଟବଲର ଲିଓନେଲ୍ ମେସି ଗତ ବର୍ଷ ଡିସେମ୍ବର ୧୩ ରେ ତାଙ୍କର ‘GOAT Tour to India’ ରେ କୋଲକାତା ଆସିଥିଲେ। ମେସିଙ୍କ କାର୍ଯ୍ୟକ୍ରମ ସମୟରେ ‘ସଲ୍ଟ ଲେକ୍ ଷ୍ଟାଡିୟମ’ (ବିବେକାନନ୍ଦ ଯୁବ ଭାରତୀ କ୍ରୀଡାଙ୍ଗନ)ରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ମେସି କେବଳ ୧୦ ମିନିଟ୍ ପାଇଁ ଷ୍ଟାଡିୟମରେ ରହିଥିଲେ ଏବଂ ଷ୍ଟାଡିୟମ ଚାରିପଟେ ବୁଲିନଥିଲେ ଥିଲେ।
ମେସିଙ୍କୁ ଦେଖିବା ପାଇଁ ଫ୍ୟାନ ମହଙ୍ଗା ଟିକେଟ୍ କିଣିଥିଲେ। ତେଣୁ ସେମାନେ ରାଗିଯାଇ ହଙ୍ଗାମା କରିଥିଲେ। ବୋତଲ ଫିଙ୍ଗିଥିଲେ, ସିଟ୍ ଭାଙ୍ଗି ଦେଇଥିଲେ ଏବଂ ଷ୍ଟାଡିୟମରେ ଥିବା ବିଲବୋର୍ଡଗୁଡ଼ିକୁ ଚିରି ଦେଇଥିଲେ। ଏହି ଘଟଣାରେ ଆୟୋଜକ ସତଦ୍ରୁ ଦତ୍ତଙ୍କୁ ଗିରଫ କରାଯାଇଥିଲା। ବିରୋଧୀ ଦଳଗୁଡ଼ିକ ପଶ୍ଚିମବଙ୍ଗର ତତ୍କାଳୀନ ମମତା ବାନାର୍ଜୀ ସରକାରଙ୍କୁ ସମାଲୋଚନା କରିଥିଲେ। ମେସିଙ୍କ କାର୍ଯ୍ୟକ୍ରମରେ ହୋଇଥିବା ବିଶୃଙ୍ଖଳା ଆନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିଛବିକୁ କ୍ଷତି ପହଞ୍ଚାଇଥିଲା।
ଏବେ, ପଶ୍ଚିମବଙ୍ଗରେ ବିଜେପି ସରକାର ଥିବାରୁ, ସମଗ୍ର ମାମଲା ସହିତ ଜଡିତ ଫାଇଲକୁ ପୁଣି ଥରେ ଖୋଲାଯିବ। ପଶ୍ଚିମବଙ୍ଗର କ୍ରୀଡା ମନ୍ତ୍ରୀ ନିସିଥ ପ୍ରାମାଣିକ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏତେ ବଡ଼ ତ୍ରୁଟି କିପରି ଘଟିଲା ତାହା ଜାଣିବା ପାଇଁ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରାଯିବ। ସେ କହିଛନ୍ତି, ‘ମୁଁ ଫାଇଲଗୁଡ଼ିକ ମଗାଇଛି, କାରଣ ଏହା ଏକ ବଡ଼ ବିଫଳତା ଥିଲା। ତଦନ୍ତ ପରେ ଜଣାପଡିବ କ'ଣ ଭୁଲ ହୋଇଛି ତାହା ନିଷ୍ପତ୍ତି ନିଆଯିବ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’
ନିସିଥ ପ୍ରମାଣିକ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ ଅନେକ କ୍ରୀଡା ଇଭେଣ୍ଟ ବିରୋଧରେ ପଶ୍ଚିମବଙ୍ଗ ସରକାର ଷଡଯନ୍ତ୍ର କରିଥିଲେ। ସେ ଦାବି କରିଛନ୍ତି ଯେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ସେତେବେଳେ ଅନେକ କେନ୍ଦ୍ରୀୟ କ୍ରୀଡା ଯୋଜନା ଏବଂ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଲଗାତାର ବାଧା ସୃଷ୍ଟି କରିଥିଲେ।