ସମ୍ବଲପୁର, ୨୫/୧୨:ଆଧାରକାର୍ଡ ମାଗିଲେ । ନ ଦେବାରୁ ବଙ୍ଗୀୟ ଶ୍ରମିକଙ୍କୁ ପିଟିପିଟି ମାରିଦେଲେ । ସମ୍ବଲପୁର ଅଇଁଠାପାଲି ଥାନା ଦାନିପାଲିରେ ବୁଧବାର ରାତି ପ୍ରାୟ ୮ଟାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଜୁଏଲ୍ ଶେଖ । ଆକ୍ରମଣରେ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଅକୁର ରେହମାନ (୨୪) ଓ ସୋନୱର ହୁସେନ୍ (୨୨) ଗୁରୁତର ହୋଇଛନ୍ତି । ଘଟଣାକୁ ଗୁରୁତ୍ୱର ସହ ନେଇଛି ପୁଲିସ୍ । ଜିଲ୍ଲାର ବରିଷ୍ଠ ପୁଲିସ୍ ଅଧିକାରୀ ଅଇଁଠାପାଲି ଥାନାରେ ଏକାଠି ହୋଇଛନ୍ତି ।

ଖବର ଲେଖାଯିବା ସୁଦ୍ଧା ୩ ଜଣ ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖାଯାଇଛି । ସମ୍ବଲପୁର ଏସ୍‌ଡିପିଓ ତୋଫାନ ବାଗ୍‌ଙ୍କ  ସୂଚନାନୁସାରେ, ଦାନୀପାଲି ନିକଟରେ ଏକ ଘର ନିର୍ମାଣ କାର୍ଯ୍ୟରେ ବଙ୍ଗୀୟ ଶ୍ରମିକମାନେ ନିୟୋଜିତ ଥିଲେ । ଦୈନିକ ସନ୍ଧ୍ୟାରେ ସେମାନେ ରହୁଥିବା ଘର ପାଖ ରାସ୍ତାରେ ବସି ବିଡ଼ି ଟାଣିଥାନ୍ତି । ବୁଧବାର ରାତିରେ ସ୍ଥାନୀୟ କେତେଜଣ ଯୁବକ ପହଞ୍ଚି ସେମାନଙ୍କୁ ବିଡ଼ି ମାଗିଥିଲେ । ବିଡି ଦେବାକୁ ମନା କରିବାରୁ ଅଭିଯୁକ୍ତମାନେ ଆଧାରକାର୍ଡ ଦେଖାଇବାକୁ କହିଥିଲେ । ଏହାକୁ ନେଇ ଯୁକ୍ତିତର୍କରୁ ଉତ୍ତେଜନା ସୃଷ୍ଟି ହୋଇଥିଲା । ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ବାଉଁଶ ଓ କାଠ ଫାଳିଆରେ ଶ୍ରମିକଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଜୁଏଲ୍‌ଙ୍କ ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ଦୁଇଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଚିକିତ୍ସାଧୀନ ଆହତ ଦ୍ୱୟ କହିଛନ୍ତି, ସେମାନେ ୬ ବର୍ଷ ହେଲା ପଶ୍ଚିମବଙ୍ଗରୁ ଆସି ସମ୍ବଲପୁରରେ ମିସ୍ତ୍ରି ଭାବରେ କାମ କରୁଛନ୍ତି । ଅଦ୍ୟାବଧି କୌଣସି ଅଘଟଣ ଘଟି ନ ଥିଲା। ସେମାନେ ଭାଲୁପାଲିରୁ କାମ ସାରି ଶାନ୍ତିନଗର ରାସ୍ତାରେ ଯାଉଥିବାବେଳେ ୫ ଜଣ ଯୁବକ ଅଟକାଇ ଟଙ୍କା ମାଗିଥିଲେ । ଟଙ୍କା ନ ଦେବାରୁ ଆକ୍ରମଣ କରିଥିଲେ । ଅନ୍ୟପଟେ ଘଟଣାକୁ ନେଇ ଅଇଁଠାପାଲି ଥାନାରେ ବହୁ ବରିଷ୍ଠ ପୁଲିସ୍ ଅଧିକାରୀ ଏକାଠି ହୋଇଛନ୍ତି । ଘଟଣାରେ ସମ୍ପୃକ୍ତ ସନ୍ଦେହରେ ୩ ଜଣଙ୍କୁ ଅଟକ ରଖାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍ ଉଦ୍ୟମ କରୁଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଘଟଣାକୁ ନେଇ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି । ଗୁରୁବାର ଶବ ବ୍ୟବଚ୍ଛେଦ କରାଯିବ। ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିବେ ବୋଲି ଏସ୍ଡିପିଓ କହିଛନ୍ତି ।