ବେଙ୍ଗାଲୁରୁ, ୧୬।୧୦: ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀକୁ ଗିରଫ କଲା ବେଙ୍ଗାଲୁରୁ ପୁଲିସ । ବେଙ୍ଗାଲୁରୁରେ ଜଣେ ଡାକ୍ତର ନିଜ ସ୍ତ୍ରୀଙ୍କୁ ଏଭଳି ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି, ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ପ୍ରଥମେ ସମସ୍ତଙ୍କ ଧାରଣା ଥିଲା ଯେ, ଡାକ୍ତରବାବୁଙ୍କ ସ୍ତ୍ରୀଙ୍କ ମୃତ୍ୟୁ ସାଧାରଣ ଥିଲା । କିନ୍ତୁ, ଏବେ ଏହି ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିଛି । ସ୍ୱାମୀ-ସ୍ତ୍ରୀ ଉଭୟେ ଡାକ୍ତର ଥିଲେ । ମହେନ୍ଦ୍ର ରେଡ୍ଡୀ ଏକ ନାମୀଦାମୀ ଡାକ୍ତରଖାନାରେ ଜେନେରାଲ ସର୍ଜନ ଥିଲେ । ଅନ୍ୟପଟେ କ୍ରିତିକା ମଧ୍ୟ ଜଣେ ଡରମାଟୋଲୋଜିଷ୍ଟ ଅର୍ଥାତ୍ ଚର୍ମ ବିଶେଷଜ୍ଞ ଥିଲେ । ୨୬ ମେ ୨୦୨୪ରେ ଖୁବ୍ ଧୁମଧାମରେ ଉଭୟଙ୍କ ବିବାହ ହୋଇଥିଲା । କିନ୍ତୁ, ବିବାହର ବର୍ଷକ ଭିତରେ ୨୩ ଏପ୍ରିଲରେ କ୍ରିତିକାଙ୍କର ରହସ୍ୟମୟ ଭାବେ ମୃତ୍ୟୁ ହୋଇଥିଲା । କ୍ରିତିକାଙ୍କର ମୃତ୍ୟୁ ବେଳେ ତାଙ୍କ ଶରୀର ଅସୁସ୍ଥ ଥିଲା । ସେ ତାଙ୍କ ବାପ ଘରେ ରହୁଥିଲେ ।  

ଘଟଣା ବାବଦରେ ପୁଲିସ ଯାଞ୍ଚ ପରେ ସାମନାକୁ ଆସିଲା ଏକ ଚାଞ୍ଚଲ୍ୟକର ତଥ୍ୟ । ଯାଞ୍ଚରୁ ଜଣାପଡ଼ିଥିଲା ଯେ, ମହେନ୍ଦ୍ର ୨ ଦିନ ଧରି କ୍ରିତିକାଙ୍କୁ ଭେଟିବାକୁ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ ଏବଂ ସେ ଏକାଧିକ ଥର ଏଣ୍ଟ୍ରାଭେନସ୍ ଅର୍ଥାତ୍ ଆନା​‌ସ୍ଥେସିଆ  ଇଞ୍ଜେକସନ ଲଗାଇଥିଲେ ।  ଯାହାର କିଛି ଘଣ୍ଟା ପରେ କ୍ରିତିକାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁର ପାଖାପାଖି ୬ ମାସ ପରେ ଫରେନସିକ୍ ସାଇନ୍ସ ଲାବୋରେଟାରୀ ରିପୋର୍ଟରେ କ୍ରିତିକାଙ୍କର ଶରୀରର କିଛି ଅଙ୍ଗରେ ପ୍ରୋପୋଫୋଲ ଥିବାର ଜଣାପଡ଼ିଥିଲା । ଯେଉଁଥିରୁ ସ୍ପଷ୍ଟ ହୋଇଥିଲା ଯେ, ତାଙ୍କ ମୃତ୍ୟୁ ଆସଥେଟିକ୍ ଔଷଧ କାରଣରୁ ହୋଇଥିଲା, ଯାହାର ଇଞ୍ଜେକସନ ମହେନ୍ଦ୍ର ତାଙ୍କୁ ଦେଉଥିଲେ । ପ୍ରଥମରେ ପୁଲିସ ଏହାକୁ ସାଧାରଣ ମୃତ୍ୟୁ ଭାବେ ବିବେଚନା କରୁଥିଲା । କିନ୍ତୁ, ପରେ କ୍ରିତିକାଙ୍କ ଭଉଣୀ ଯାଞ୍ଚ ପାଇଁ ଦାବି କରିବାରୁ ହତ୍ୟାକାଣ୍ଡରେ ମହେନ୍ଦ୍ର ରଚିଥିବା ଏଭଳି ଯୋଜନାର ପର୍ଦ୍ଦାଫାସ ହୋଇଥିଲା । କହିରଖୁଛୁ ଯେ, ବିବାହ ପୂର୍ବରୁ କ୍ରିତିକାଙ୍କର ଶାରୀରିକ ଅସୁସ୍ଥ ଥିଲେ । ପୁଲିସର କହିବାନୁସାରେ, ମହେନ୍ଦ୍ରଙ୍କର ଅନ୍ୟ ଜଣେ ମହିଳାଙ୍କର ସହ ମଧ୍ୟ ସମ୍ପର୍କ ଥିଲା । ଏପରିକି ବିବାହ ପରଠୁ ଡ. ମଦେନ୍ଦ୍ର ରେଡ୍ଡୀ ନିଜ ସ୍ତ୍ରୀଙ୍କୁ ଅଣଦେଖା କରିଆସୁଥିଲେ ବୋଲି ଅଭିଯୋଗ ରହିଛି । ମହେନ୍ଦ୍ର ଏକ ଡାକ୍ତରଖାନା ନିର୍ମାଣ କରିବାକୁ ଚାହୁଁଥିଲେ ଏବଂ ଏଥିପାଇଁ ଶ୍ୱଶୁର ଘର ଲୋକଙ୍କୁ ଟଙ୍କା ଦେବା ଲାଗି ଚାପ ପକାଉଥିଲେ ।