ନୂଆଦିଲ୍ଲୀ ୨୧/୦୩: ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ବେଙ୍ଗାଲୁରୁର ଜଣେ ସଫ୍ଟୱେର ଇଞ୍ଜିନିୟର ନିଜ ପତ୍ନୀଙ୍କ ବିରୋଧରେ ଥାନାରେ ପହଞ୍ଚିଛନ୍ତି । ଅଭିଯୋଗ କରିଛନ୍ତି ଯେ ପତ୍ନୀ ତାଙ୍କ ସହିତ ରହିବା ପାଇଁ ଦିନକୁ ୫ ହଜାର ଟଙ୍କା ଦାବି କରୁଛନ୍ତି ।  ଘଟଣାଟି ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଶ୍ରୀକାନ୍ତ ନାମକ ଏହି ବ୍ୟକ୍ତି  ଅଜବ ଦାବି କରୁଥିବା ପତ୍ନୀଙ୍କର ଏକ ଭିଡିଓ ପୋଷ୍ଟ୍‌  କରିଛନ୍ତି । ଏଥିରେ ଶ୍ରୀକାନ୍ତଙ୍କ ପତ୍ନୀ ଖୋଲାଖୋଲି ତାଙ୍କୁ  ଦୈନିକ ଦେୟ ପାଇଁ ଦାବି କରୁଥିବା ନଜର ଆସିଛନ୍ତି ।  

ଶ୍ରୀକାନ୍ତ ଆହୁରି ଦାବି କରିଛନ୍ତି ଯେ ପତ୍ନୀଙ୍କର ଦାବି କେବଳ ଟଙ୍କା ନୁହେଁ । ସନ୍ତାନ ଜନ୍ମ କରିବାକୁ ମଧ୍ୟ ସେ ମନା କରିଛନ୍ତି । ଏହା ତାଙ୍କ ଶରୀର ଓ ରୂପ ଉପରେ ପ୍ରଭାବ ପକାଇବ ବୋଲି ସେ କାରଣ ଦର୍ଶାଇଛନ୍ତି । ଏହା ବଦଳରେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ସେ ପ୍ରସ୍ତାବ ଦେଇଥିଲେ, ଯାହାକୁ ଶ୍ରୀକାନ୍ତ ପ୍ରତ୍ୟାଖ୍ୟାନ କରିଦେଲେ । ଏହି ଅସହମତି ଉଭୟଙ୍କ ମଧ୍ୟରେ ବିବାଦକୁ ବଢ଼ାଇଲା ।  ୨୦୨୨ ମସିହାରେ ଉଭୟଙ୍କ ବିବାହ ପରଠୁ ପତ୍ନୀଙ୍କ ସହ  ରହିବା କଷ୍ଟକର ହୋଇଛି ବୋଲି ଶ୍ରୀକାନ୍ତ କହିଛନ୍ତି । ତାଙ୍କୁ  ସମର୍ଥନ କରିବା ବଦଳରେ ନିଜ ପରିବାରର ସମର୍ଥନରେ ପତ୍ନୀ ତାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ସେ ଅଭିଯୋଗ କରିଛନ୍ତି । ଉଭୟଙ୍କ ସମସ୍ୟାବହୁଳ ସମ୍ପର୍କ ଶ୍ରୀକାନ୍ତଙ୍କ ଚାକିରି ଉପରେ ମଧ୍ୟ ପ୍ରଭାବ ପକାଇଲା । ଶ୍ରୀକାନ୍ତ ଘରେ ରହି ଅଫିସ୍‌ କାମ କରିବା ସମୟରେ ପତ୍ନୀ ଜାଣିଶୁଣି ତାଙ୍କ କାମରେ ବ୍ୟାଘାତ  ସୃଷ୍ଟି କଲେ । ଅନ୍‌ଲାଇନ୍‌ ମିଟିଂ ସମୟରେ ପତ୍ନୀ ଉଚ୍ଚ ସ୍ୱରରେ ଗୀତ ବଜାଇ ନୃତ୍ୟ କରନ୍ତି ବୋଲି ଶ୍ରୀକାନ୍ତ  ଅଭିଯୋଗ କରିଛନ୍ତି। 

ଅତିଷ୍ଠ ହୋଇ ଶ୍ରୀକାନ୍ତ ଯେତେବେଳେ ଛାଡ଼ପତ୍ର କଥା ଉଠାଇଲେ, ସ୍ଥିତି ଆହୁରି ଖରାପ ହେଲା । ୪୫ ଲକ୍ଷ  ଟଙ୍କା ଦେଲେ ବିଚ୍ଛେଦ ପାଇଁ ରାଜି ହେବେ ବୋଲି ପତ୍ନୀ  ଦାବି କଲେ । ଏଭଳି ନ କଲେ, ନିଜର କ୍ଷତି କରିବାକୁ  ସେ ଶ୍ରୀକାନ୍ତଙ୍କୁ ଧମକ ଦେଲେ । ଏପରିକି ବିଭିନ୍ନ ସମୟରେ ଶ୍ରୀକାନ୍ତଙ୍କୁ ଶାରୀରିକ ନିର୍ଯାତନା ମଧ୍ୟ ଦେଲେ ।  ଭିଡିଓରେ ଶ୍ରୀକାନ୍ତ ଓ ପତ୍ନୀଙ୍କ ମଧ୍ୟରେ ହେଉଥିବା  ଯୁକ୍ତିତର୍କ ଦେଖିବାକୁ ମିଳିଛି। ତେବେ ଶ୍ରୀକାନ୍ତଙ୍କ ପତ୍ନୀ  ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ମିଛ ଅଭିଯୋଗ  ଆଣି ତାଙ୍କୁ ବଦ୍‌ନାମ କରିବାକୁ ଚେଷ୍ଟା କରାଯାଉଛି  ବୋଲି ସେ କହିଛନ୍ତି ।