ବେଙ୍ଗାଲୁରୁ: ଜୁନ ୪ ତାରିଖରେ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ଆଇପିଏଲ ୨୦୨୫ ବିଜୟ ଉତ୍ସବ ସମୟରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଓ ୫୬ ଜଣ ଆହତ ହେବା ପରେ ବେଙ୍ଗାଲୁରୁ ପୋଲିସ କମିଶନର ବି ଦୟାନନ୍ଦଙ୍କୁ ନିଲମ୍ବନ କରାଯାଇଛି। ଏହି ନିଲମ୍ବନକୁ ନେଇ ଅନଲାଇନରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି, ଯେଉଁଥିରେ ସାଧାରଣ ଲୋକ, ପୂର୍ବତନ ପୋଲିସ ଅଧିକାରୀ ଓ ରାଜନୈତିକ ଦଳମାନେ କର୍ଣ୍ଣାଟକ ସରକାରଙ୍କ ଏହି ନିଷ୍ପତ୍ତିକୁ ଅନୁଚିତ ଓ ଅସାମ୍ୱଧାନିକ ବୋଲି କହି ସମାଲୋଚନା କରିଛନ୍ତି।

ସୂଚନା ମୁତାବକା, ଗତ ଜୁନ ୪ ତାରିଖରେ ଆରସିବିର ଆଇପିଏଲ ବିଜୟ ଉତ୍ସବ ପାଇଁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ (କେଏସସିଏ) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅପ୍ରତ୍ୟାଶିତ ଭାବେ ପ୍ରାୟ ୨.୫ ଲକ୍ଷ ଲୋକ ଏକତ୍ରିତ ହୋଇଥିଲେ। ଷ୍ଟାଡିୟମର ୩୫,୦୦୦ ଲୋକ ଧାରଣ କ୍ଷମତା ରହିଥିବା ବେଳେ ହଠାତ୍ ଏତେ ବଡ଼ ଭିଡ଼ ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଏହାସହ ସମାନ ସମୟରେ ଷ୍ଟାଡିୟମ ସାମ୍ନାରେ ଥିବା ଏକ ଅସ୍ଥାୟୀ ସ୍ଲାବ ଭୁଶୁଡ଼ି ପଡ଼ିଥିଲା। ଯାହା ସେଠାରେ ଜମା ହୋଇଥିବା ଲୋକମାନଙ୍କ ମଧ୍ୟରେ  ଆତଙ୍କ ସୃଷ୍ଟି କରିଥିଲା। ଯାହାଫଳରେ ଲୋକମାନେ ଇତସ୍ତତ ଭାବେ ଏଣେତେଣେ ଧାଇଁବାକୁ ଲାଗିଥିଲେ, ଯାହା ଏହି ଦୁର୍ଘଟଣାକୁ ଜନ୍ମ ଦେଇଥିଲା। ଏହି ଘଟଣାରେ ୧୩ ରୁ ୩୫ ବର୍ଷ ବୟସର ଯୁବକ ଓ ଯୁବତୀ ମିଶାଇ ମୋଟ 11 ଜଣ ପ୍ରାଣ ହରାଇଛନ୍ତି।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୟା ଜୁନ ୫ ତାରିଖରେ ବି ଦୟାନନ୍ଦ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନିଲମ୍ବନ କରିଥିଲେ ଏବଂ ଘଟଣାର ତଦନ୍ତ ପାଇଁ ପୂର୍ବତନ ହାଇକୋର୍ଟ ବିଚାରପତି ମାଇକେଲ ଡି’କୁନ୍ହାଙ୍କ ନେତୃତ୍ୱରେ ଏକ କମିଶନ ଗଠନ କରାଯାଇଥିଲା। ତେବେ, ଏହି ନିଲମ୍ବନକୁ ନେଇ ସାମାଜିକ ଗଣମାଧ୍ୟମରେ #IStandWithBDayananda ହ୍ୟାଶଟ୍ୟାଗ ସହ ଦୟାନନ୍ଦଙ୍କ ପାଇଁ ସମର୍ଥନ ବଢ଼ିଚାଲିଛି। ପୂର୍ବତନ ବେଙ୍ଗାଲୁରୁ ପୋଲିସ କମିଶନର ଭାସ୍କର ରାଓ ଏହି ନିଷ୍ପତ୍ତିକୁ “କର୍ଣ୍ଣାଟକ ପୋଲିସର ଇତିହାସରେ ଅନ୍ଧକାର ଦିନ” ବୋଲି ଅଭିହିତ କରି ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଦୟାନନ୍ଦ ଏହି କାର୍ଯ୍ୟକ୍ରମ ରବିବାର ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ସରକାର ତାଙ୍କ ପରାମର୍ଶକୁ ଅଣଦେଖା କରିଥିଲେ।

ବିଜେପି ଓ ଜେଡି(ଏସ) ପରି ବିରୋଧୀ ଦଳମାନେ ସରକାରଙ୍କ ଏହି ପଦକ୍ଷେପକୁ “ଦୋଷୀଙ୍କୁ ବଞ୍ଚାଇବାର ଚେଷ୍ଟା” ବୋଲି ଅଭିଯୋଗ କରିଛନ୍ତି। ବିଜେପିର କର୍ଣ୍ଣାଟକ ଶାଖା ଏକ୍ସରେ ପୋଷ୍ଟ କରି କହିଛି, “କର୍ଣ୍ଣାଟକ ଇତିହାସରେ ପ୍ରଥମ ଥର ପାଇଁ ନିରୀହ ପୋଲିସ ଅଧିକାରୀଙ୍କୁ ଶାସ୍ତି ଦିଆଯାଉଛି।” ଜେଡି(ଏସ) ଉପ-ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ଏହି ଦୁର୍ଘଟଣା ପାଇଁ ଦାୟୀ କରି ତାଙ୍କ ଇସ୍ତଫା ଦାବି କରିଛି। #ArrestDCM ଓ #ResignDCM ପରି ହ୍ୟାଶଟ୍ୟାଗ ମଧ୍ୟ ଅନଲାଇନରେ ଟ୍ରେଣ୍ଡ କରୁଛି।

ଏହି ଘଟଣା ପରେ କବ୍ବନ ପାର୍କ ପୋଲିସ ଆରସିବି, କେଏସସିଏ ଓ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଡିଏନଏ ନେଟୱାର୍କସ ବିରୁଦ୍ଧରେ ଏକ ଏଫଆଇଆର ଦାୟର କରିଛି। ଆରସିବିର ମାର୍କେଟିଂ ମୁଖ୍ୟ ନିଖିଲ ସୋସାଲେ ଓ ଡିଏନଏ ନେଟୱାର୍କସର ତିନି ଅଧିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହା ସହ କର୍ଣ୍ଣାଟକ ସରକାର ଏହି ଘଟଣାର ତଦନ୍ତ କ୍ରାଇମ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟ (ସିଆଇଡି)କୁ ହସ୍ତାନ୍ତର କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଓ କେଏସସିଏ ପକ୍ଷରୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରାଯାଇଛି।

ସୂତ୍ର ଅନୁଯାୟୀ, ବେଙ୍ଗାଲୁରୁ ପୋଲିସ ଏହି କାର୍ଯ୍ୟକ୍ରମକୁ ରବିବାର ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ସରକାର ଏହାକୁ ଅଗ୍ରାହ୍ୟ କରି ଜୁନ ୪ରେ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହାକୁ ନେଇ ସାଧାରଣ ଲୋକ ଓ ରାଜନୈତିକ ଦଳମାନେ ସରକାରଙ୍କୁ “ଅବହେଳା” ଓ “ଅପାରଗତା” ପାଇଁ ଦାୟୀ କରିଛନ୍ତି। କର୍ଣ୍ଣାଟକ ହାଇକୋର୍ଟ ମଧ୍ୟ ସରକାରଙ୍କୁ ଜୁନ ୧୦ ସୁଦ୍ଧା ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଦୁର୍ଘଟଣା ପ୍ରତିଟି ରାଜ୍ୟ ପାଇଁ ଏକ ବଡ଼ ଶିକ୍ଷା ଭାବେ ଉଭା ହୋଇଛି। ଯେଉଁଥିରେ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ ପୂର୍ବରୁ ସଠିକ ଯୋଜନା ଓ ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ଉପରେ ଜୋର ଦିଆଯାଇଛି। ଦୟାନନ୍ଦଙ୍କ ନିଲମ୍ବନକୁ ନେଇ ଜାରି ରହିଥିବା ବିବାଦ ସରକାର ଓ ପୋଲିସ ବିଭାଗ ମଧ୍ୟରେ ସମନ୍ୱୟର ଅଭାବକୁ ସାମ୍ନାକୁ ଆଣିଛି।