ନୂଆଦିଲ୍ଲୀ, ୨୪/୦୬ : ବେଙ୍ଗାଲୁରୁର ଜଣେ ଯୁବକଙ୍କ ନାଁରେ ୧୦୦ ଟ୍ରାଫିକ୍ ଚାଲାଣ। ଏ ସମସ୍ତ ଚାଲାଣର ମୋଟ୍ ରାଶି ୫୫ ହଜାର ଟଙ୍କା ଥିଲା । କିନ୍ତୁ କର୍ଣ୍ଣାଟକ ସରକାରଙ୍କ ସ୍ୱତନ୍ତ୍ର ରିଆତି ଯୋଜନାର ଲାଭ ମିଳିବା ପରେ ବ୍ୟକ୍ତି କେବଳ ୨୭,୫୦୦ ଟଙ୍କା ଜମା କରି ସମସ୍ତ ଚାଲାଣର ବକେୟା ପୈଠ କରିଛନ୍ତି। ରାଜାଜୀନଗର ଟ୍ରାଫିକ୍ ପୁଲିସ ଏହି ଚାଳକଙ୍କ ଫଟୋ ଓ ଲମ୍ବା ଚାଲାଣ ରସିଦକୁ ନିଜର ଔପଚାରିକ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛି। ପୋଷ୍ଟ ଅନୁସାରେ, ବ୍ୟକ୍ତିଙ୍କର ଅଧିକାଂଶ ଚାଲାଣ ହେଲମେଟ୍ ବିନା ଗାଡ଼ି ଚଲାଇବା ପାଇଁ କଟାଯାଇଥିଲା । ବ୍ୟକ୍ତିଙ୍କ ଫଟୋ ସାମ୍ନାକୁ ଆସିବା ପରେ ମାମଲା ଇଣ୍ଟରନେଟରେ ଭାଇରାଲ ହୋଇଛି ।

କର୍ଣ୍ଣାଟକ ସରକାର ଚଳିତ ୨୧ ଜୁନ୍ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ଲମ୍ବିଥିବା ଟ୍ରାଫିକ୍ ଚାଲାଣ ଉପରେ ୫୦ ପ୍ରତିଶତ ରିହାତି ଯୋଜନା ଆରମ୍ଭ କରିଛନ୍ତି । ଲୋକଙ୍କୁ ପୁରୁଣା ଚାଲାଣ ଅର୍ଥ ଜମା କରିବାକୁ ପ୍ରୋତ୍ସାହିତ କରିବା ଏହି ଅଭିଯାନର ଉଦ୍ଦେଶ୍ୟ । ରାଜ୍ୟରେ ହଜାର ହଜାର ଗାଡ଼ି ଚାଳକ ଏହି ଯୋଜନାର ଲାଭ ଉଠାଉଛନ୍ତି । କିନ୍ତୁ ୧୦୦ ଚାଲାଣର ଏହି ମାମଲା ସବୁରି ଧ୍ୟାନ ଆକର୍ଷଣ କରିଛି । ଚାଲାଣ ଅର୍ଥ ଜମା କରିବା ସମୟରେ ବ୍ୟକ୍ତି ଟ୍ରାଫିକ୍ ନିୟମ ପାଳନ କରିବାକୁ କଥା ଦେଇଥିବା ପୁଲିସ ସ୍ପଷ୍ଟ କରିଛି । ତେବେ ଏଭଳି ଯୋଜନା ଦ୍ୱାରା ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ପ୍ରୋତ୍ସାହନ ମିଳିବ ବୋଲି ଅନେକ ପ୍ରତିକ୍ରିୟା ଦେଇଛନ୍ତି। ଏହି ଦୁଇଚକିଆ ଯାନ ଚାଳକଙ୍କ ମାମଲା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି ।

ଆହୁରି ପଢନ୍ତୁ- AI and jobs : ମର୍ସର୍ ସର୍ଭେ ରିପୋର୍ଟ, ଦୁଇ ବର୍ଷରେ ୨୨-୨୭ ବର୍ଷୀୟଙ୍କ ଚାକିରି ଖାଇବ ଏଆଇ

କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗରେ ଏମିତି କହିଲେ କେନ୍ଦ୍ରମନ୍ତ୍ରୀ..