ନୂଆଦିଲ୍ଲୀ ୧୯/୦୩: କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ପରିବାର ବୃଦ୍ଧଙ୍କୁ ବସ୍ତାରେ ବାନ୍ଧି କୋରିଅର୍‌ରେ ପାର୍ସଲ କରିଛନ୍ତି । ବସ୍ ଭଡ଼ା ବଢ଼ିବା ବିରୋଧରେ ସେମାନେ ଏହି ପଦକ୍ଷେପ ନେଇଛନ୍ତି । ଘଟଣା ଗତ ମଙ୍ଗଳବାର ସନ୍ଧ୍ୟାର । କୋରିଅର ସେଣ୍ଟର୍‌ର କର୍ମଚାରୀ ବସ୍ତାରେ ହଲ୍‌ଚଲ୍‌ ଦେଖି ଖୋଲିଲେ । ଭିତରୁ ଜଣେ ବୟସ୍କ ବ୍ୟକ୍ତି ବାହାରିଲେ । ଏହା ପରେ କର୍ମଚାରୀ ପୁଲିସକୁ ସୂଚନା ଦେଲେ ।

ପୁଲିସ ଅନୁସାରେ, ପରିବାର ଏକ ଘରୋଇ କୋରିଅର ସେଣ୍ଟର୍ ପହଞ୍ଚି କହିଲେ ଯେ ସେମାନେ ଜଣେ ବୃଦ୍ଧଙ୍କୁ ପାର୍ସଲ କରିବାକୁ ଚାହାନ୍ତି । ବସ୍ତାରେ ବନ୍ଦ ହେବା ଯୋଗୁ ବୃଦ୍ଧଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା ହେବାକୁ ଲାଗିଲା, ଫଳରେ ସ୍ଥିତି ଆହୁରି ଗମ୍ଭୀର ହେଲା । ପୁଲିସ ପଚରାଉଚରାରୁ ବୃଦ୍ଧଙ୍କ ଝିଅ ସତ କଥା କହିଲେ । ସୋସିଆଲ ମିଡିଆ ରିଲ୍ ପ୍ରସ୍ତୁତି ଲାଗି ଏଭଳି କରିଥିବା ସେ ପୁଲିସ ଆଗରେ ମାନିଲେ । ଏ ପ୍ରକାର ଷ୍ଟଣ୍ଟ୍ ଜୀବନକୁ ବିପଦରେ ପକାଇପାରେ ଏବଂ ଏହାର ପରିଣାମ ଗମ୍ଭୀର ହୋଇପାରେ ବୋଲି ପୁଲିସ ସେମାନଙ୍କୁ ଚେତାବନୀ ଦେଲା । ଏଥିସହିତ ଭିଡିଓ ଜରିଆରେ ବୃଦ୍ଧଙ୍କୁ ଓ ଲୋକଙ୍କୁ କ୍ଷମା ପ୍ରାର୍ଥନା ଲାଗି ନିର୍ଦ୍ଦେଶ ଦେଲା । ପୁଲିସ ମାମଲା ରୁଜୁ ନ କରି ଭିଡିଓ ଜରିଆରେ କ୍ଷମା ପ୍ରାର୍ଥନା କରାଇଲା ଏବଂ ଚେତାବନୀ ଦେଇ ସେମାନଙ୍କୁ ଛାଡ଼ିଦେଲା ।

ଆହୁରି ପଢ଼ନ୍ତୁ...ଥିଏଟର୍‌ରେ ‘ଧୁରନ୍ଧର୍: ଦ ରିଭେଞ୍ଜ’: ପ୍ରଶଂସାରେ ପୋତିଲେ, ଦର୍ଶକଙ୍କୁ ଫିଲ୍ମ ଦେଖିବାକୁ ଅପିଲ କଲେ ପ୍ରଶଂସକ