ନୂଆଦିଲ୍ଲୀ,୧୯/୧୦: ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ୟରେ ଯୁଦ୍ଧ । ପୁଣିଥରେ ଇସ୍ରାଏଲ୍ ଉପରେ ଆକ୍ରମଣ କରିଛି ହେଜବୁଲ୍ଲା। ଲେବନାନରୁ ଇସ୍ରାଏଲ୍ର ଏକ ବିଲ୍ଡିଂ ଉପରେ ହିଜବୁଲ୍ଲା ଡ୍ରୋନ୍ ମାଡ଼ କରିଛି । ଏହି ହମ୍ଲା ଜରିଆରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଟାର୍ଗେଟ୍ କରିବାକୁ କରାଯାଇଛି ଚେଷ୍ଟା । ତେବେ ଇସ୍ରାଏଲ୍ର ହାଇଫା କେସରିୟା ଅଞ୍ଚଳରେ ଏହି ଆକ୍ରମଣ ହୋଇଛି।
ରିପୋର୍ଟ ଅନୁଯାୟୀ, ଇସ୍ରାଏଲ୍ ସୁରକ୍ଷା ବାହିନୀ ଏହି ଆକ୍ରମଣକୁ ନେଇ ସ୍ପଷ୍ଟ କରିଛି । ଦକ୍ଷିଣ ହାଇଫାର କେସରିଆରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବାସଭବନ ନିକଟରେ ଡ୍ରୋନ୍ ହମ୍ଲା ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇନ ଥିବା ବେଳେ ଲେବନାନ ପଟୁ ରକେଟ୍ ମାଡ଼ ହେବା ପରେ ସକାଳେ ହାଇଫା ଅଞ୍ଚଳରେ ଓ୍ୱାର୍ଣ୍ଣିଂ ସାଇରନ୍ ବାଜି ଉଠିଥିଲା ବୋଲି ଆଇଡିଏଫ କହିଛି। ସୂଚନା ଅନୁସାରେ, ଡ୍ରୋନ୍ ସିଧାସଳଖ ଟାର୍ଗେଟକୁ ମାରିବାରେ ସକ୍ଷମ ଥିଲା। ଇସ୍ରାଏଲର ସୁରକ୍ଷା ବାହିନୀ ସ୍ୱୀକାର କରିଛି ଯେ ଡ୍ରୋନ୍ ଆକ୍ରମଣକୁ ରୋକିବାରେ ଏହାର ଏୟାର ଡିଫେନ୍ସ ସିଷ୍ଟମ୍ ବିଫଳ ହୋଇଛି। ଇସ୍ରାଏଲ୍ ସେନା କହିବା ମୁତାବକ ତିନୋଟି ଡ୍ରୋନ୍ ଲେବନାନରୁ ହାଇଫା ଆଡକୁ ଆସିଥିଲା । ସେଥିମଧ୍ୟରୁ କେବଳ ଦୁଇଟି ଚିହ୍ନଟ ହୋଇଥିଲା ଏବଂ ତାକୁ ଅଟକାଯାଇଥିଲା। ତୃତୀୟ ଡ୍ରୋନଟି କେସରିୟାରେ ଥିବା ଏକ କୋଠା ଉପରେ ମାଡ଼ ହୋଇଥିଲା। ଯାହା ବିସ୍ଫୋରଣ ବେଶ୍ ଶକ୍ତିଶାଳୀ ଥିଲା। ସେପଟେ ଇସ୍ରାଏଲ ସେନା ଡ୍ରୋନ ମାଡ଼ ସମୟରେ ନେତାନ୍ୟାହୁ କେସରିୟାରେ ଥିବା ତାଙ୍କ ବ୍ୟକ୍ତିଗତ ବାସଭବନରେ ଥିଲେ ନା ନାହିଁ ତାହା ସ୍ପଷ୍ଟ କରି ନାହିଁ।