ନୂଆଦିଲ୍ଲୀ,୧୬।୧୨:  ବରମୁଡା ଟ୍ରାଇଙ୍ଗେଲର ରହସ୍ୟମୟ କାହାଣୀ ସମସ୍ତେ ଜାଣନ୍ତି। ଯେଉଁଠାରୁ ଜାହାଜ ଏବଂ ବିମାନ ଅଦୃଶ୍ୟ ହୋଇଯାଏ। କିନ୍ତୁ ଏବେ ବୈଜ୍ଞାନିକମାନେ ବରମୁଡା ଟ୍ରାଏଙ୍ଗେଲର  ତଳେ ଥିବା ପ୍ରକୃତ ରହସ୍ୟକୁ ଆବିଷ୍କାର କରିଛନ୍ତି। ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ଦ୍ୱୀପର ଭୂପୃଷ୍ଠରେ ୨୦ କିଲୋମିଟର ପର୍ଯ୍ୟନ୍ତ ମୋଟା ଚଟାଣର ଏକ ସ୍ତର ରହିଛି ଯାହା ଚାରିପାଖରେ ଥିବା ପଥରଠାରୁ ଅପେକ୍ଷାକୃତ କମ୍ ଘନତ୍ବ ରହିଛି। ଏହି ଆସ୍ତରଣ ଦ୍ୱୀପକୁ ଉପରକୁ ଧରି ରଖିଛି। ପୃଥିବୀରେ ଆଉ କୌଣସିଠାରେ ଏପରି ସ୍ତର ଦେଖିବାକୁ ମିଳେନି।

କାର୍ନେଗି ସାଇନ୍ସର ୱିଲିୟମ୍ ଫ୍ରେଜର ଏବଂ ୟେଲ ବିଶ୍ୱବିଦ୍ୟାଳୟର ଜେଫ୍ରି ପାର୍କ ୩୯୬ଟି ଭୂମିକମ୍ପରୁ ଆସିଥିବା ସିସ୍କମିକ୍ ଓ୍ବେଭ ବା ଭୂକମ୍ପୀୟ ତରଙ୍ଗର ଅଧ୍ୟୟନ କରିଥିଲେ। ଏହି ତରଙ୍ଗଗୁଡ଼ିକ ପୃଥିବୀର ଭିତର ଦେଇ ଯାତ୍ରା କରିଥାଏ। ବିଭିନ୍ନ ଘନତ୍ୱର ସ୍ତରଗୁଡ଼ିକରେ ଅଟକି ରହିଥାନ୍ତି କିମ୍ବା ମୋଡି ହୋଇ ରହିଥାଏ। ବରମୁଡାରେ ଥିବା  ଭୂକମ୍ପୀୟ ଷ୍ଟେସନର ଡାଟା ବ୍ୟବହାର କରି, ସେମାନେ ଦ୍ୱୀପ ତଳେ ୫୦ କିଲୋମିଟର ପର୍ଯ୍ୟନ୍ତ ଏକ ଚିତ୍ର ତିଆରି କରିଥିଲେ।

ସ୍ବାଭାବିକ ରୂପରେ ସମୁଦ୍ର କ୍ରଷ୍ଟର ତଳେ ମାଣ୍ଟେଲ (ପୃଥିବୀର ଗରମ ଆଭ୍ୟନ୍ତରୀଣ ଆସ୍ତରଣ) ଆରମ୍ଭ ହୋଇଯାଇଥାଏ। ବରମୁଡାରେ କ୍ରଷ୍ଟ ଓ ମାଣ୍ଟେଲ ଭିତରେ ଏକ ଅତିରିକ୍ତ ଆସ୍ତରଣ ରହିଛି। ଏହି ଆସ୍ତରଣ ଆଖପାଖରେ ପ୍ରାୟ ୧.୫% କମ୍ ଘନ ରହିଛି। ତେଣୁ ଏହା ହାଲକା ଓ ଦ୍ବୀପକୁ ଉପରକୁ ଉଠାଇ ରଖିଥାଏ। ବରମୁଡା ଏକ ଜ୍ବାଳାମୁଖୀ ଦ୍ବୀପ, କିନ୍ତୁ ୩ କୋଟି ବର୍ଷରୁ ଅଧିକ ସମୟ ଧରି ଜ୍ବାଳାମୁଖୀ ସକ୍ରିୟ ନଥିଲା। ସ୍ବାଭାବିକ ରୂପରେ ଜ୍ବାଳାମୁଖୀ ବନ୍ଦ ହେବାପରେ କ୍ରଷ୍ଟ ଥଣ୍ଡା ହୋଇ ତଳେ ଧସି ଯାଇଥିଲା। କିନ୍ତୁ ବରମୁଡା ଧସି ନଥିଲା। ଏହା ସମୁଦ୍ରର ୫୦୦ ମିଟର ଉପରେ ରହିଛି। ବୈଜ୍ଞାନିକଙ୍କ ମତରେ ଏହି ଆସ୍ତରଣ ଆଗ୍ନେୟଗିରି ଉଦ୍‌ଗୀରଣ ସମୟରେ ତିଆରି ହୋଇଥିଲା। ମାଣ୍ଟେଲର ଗରମ ଚଟାଣ କ୍ରଷ୍ଟରେ ପଶି ଯାଇଥିଲା ଓ ସେଠାରେ ଜମି ଯାଇଥିଲା। ଏହା ‘ଅଣ୍ଡର ପ୍ଲେଟିଂ’ କୁହାଯାଏ।ଏହି ଆସ୍ତରଣ କମ୍ ଘନ ହେବା ସହ ଦ୍ବୀପକୁ ଭାସମାନ ଅବସ୍ଥାରେ ରଖିଥାଏ। ‘ଜିଓଫିଜିକାଲ ରିସର୍ଚ୍ଚ ଲେଟର’ ରେ ପ୍ରକାଶିତ ଷ୍ଟଡିରୁ ଏହା ଜଣାପଡିଛି। ଫ୍ରେଜର  କୁହନ୍ତି ଯେ, ଏହା ପୃଥିବୀରେ ସମ୍ପୂର୍ଣ୍ଣ ଅଦ୍ଭୁତ ଜିନିଷ। ଏବେ ଆମେ ଅନ୍ୟ ଦ୍ବୀପରେ ଏହାର ଯାଞ୍ଚ କରିବୁ, ଏଭଳି ସେଠାରେ ରହିଛି କି ନାହିଁ ?

​​​​​​​

ବରମୁଡା ଟ୍ରାଏଙ୍ଗେଲ (ଫ୍ଲୋରିଡା, ବରମୁଡା ଏବଂ ପୁଏର୍ଟୋ ରିକୋ ମଧ୍ୟରେ ଥିବା ଅଞ୍ଚଳ) କୁ ‘ଡେଭିଲ ଟ୍ରାଏଙ୍ଗେଲ’ ମଧ୍ୟ କୁହାଯାଏ। ଏଠାରେ ରହସ୍ୟମୟ ଭାବରେ ଜାହାଜ ଏବଂ ବିମାନ ନିଖୋଜ ହେବାର କାହାଣୀ ସମସ୍ତେ ଜାଣନ୍ତି। ୫୦ ରୁ ଅଧିକ ଜାହାଜ ଏବଂ ୨୦ ଟି ବିମାନ ନିଖୋଜ ହୋଇଗଲାଣି। ସବୁଠାରୁ ବଡ଼ କଥା ହେଉଛି ୧୯୪୫ରେ ଫ୍ଲାଇଟ୍ ୧୯ ପାଞ୍ଚଟି ଆମେରିକୀୟ ନୌସେନା ବୋମାବର୍ଷୀ ବିମାନ ଯେଉଁଥିରେ ୧୪ ଜଣ ଲୋକ ଥିଲେ - ନିଖୋଜ ହୋଇଯାଇଥିଲେ। ଏହାକୁ ସନ୍ଦାନ କରିବାକୁ ବାହାରିଥିବା ବିମାନ ବି ନିଖୋଜ ହୋଇଯାଇଥିଲା। କିନ୍ତୁ ବୈଜ୍ଞାନିକମାନେ କୁହନ୍ତି ଯେ ଏହି ଅଞ୍ଚଳ ବହୁତ ବ୍ୟସ୍ତବହୁଳ, ଯେଉଁଠାରେ ଅନେକ ଜାହାଜ ଏବଂ ବିମାନ ଯାତାୟାତ କରନ୍ତି। ନିଖୋଜ ହେବାର ହାର ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳ ପରି ସମାନ।

କାରଣ : ଖରାପ ପାଗ, ପ୍ରବଳ ସ୍ରୋତ, ତ୍ରୁଟିପୂର୍ଣ୍ଣ ଚୁମ୍ବକୀୟ କମ୍ପାସ ଏବଂ ମାନବ ତ୍ରୁଟି। କୌଣସି ଅଲୌକିକ ରହସ୍ୟ ନାହିଁ। ପ୍ରକୃତ ରହସ୍ୟ ବରମୁଡା ତଳେ ଅଛି, ତା' ଉପରେ ନୁହେଁ - ପଥରର ସେହି ଅଦ୍ଭୁତ ସ୍ତର। ଏହି ଆବିଷ୍କାର ପୃଥିବୀର ଭୂବିଜ୍ଞାନ ବିଷୟରେ ଏକ ନୂତନ ତଥ୍ୟା ପ୍ରଦାନ କରୁଛି।

ଆହୁରି ପଢନ୍ତୁ :ବଣ୍ଡି ବିଚ୍ ଫାୟାରିଂ: ପାକିସ୍ତାନୀ ବଂଶୋଦ୍ଭବ ଥିଲେ ଆତଙ୍କୀ, ବାପ-ପୁଅଙ୍କ ଗାଡିରୁ ମିଳିଲା ISIS ପତାକା