କଟକ,୦୨/୧୨: ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଗଲାଣି। ବଣଭୋଜି ସାଙ୍ଗକୁ ବୁଲାବୁଲି କରିବାକୁ ପ୍ଲାନିଂ ଆରମ୍ଭ ହେଲାଣି । କେଉଁଠିକୁ ଯିବା, କେଉଁଠି ରହିବା , କଣ ଦେଖିବା ଓ କେଉଁଥିରେ ବୁଲିବା ସବୁକିଛି କୁ ନେଇ ଆଲୋଚନା ଚାଲିଛି। ଆଉ ଏହାରି ମଧ୍ୟରେ ରାଜ୍ୟର ସର୍ବାଧିକ ପର୍ଯ୍ୟଟନସ୍ଥଳୀ ଥିବା କଟକ ଜିଲ୍ଲାରେ ଏଥର ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହେବ ବୋଲି ଅନୁମାନ କରାଯାଉଛି ।
କଟକରେ ୨୮ଟି ପର୍ଯ୍ୟଟନସ୍ଥଳୀ ରହିଛି । ସେଥିରେ ଅଂଶୁପା, ଭଟ୍ଟାରିକା, ଧବଳେଶ୍ୱର, ଲଳିତଗିରି, ନରାଜ, ନେମାଳ, ନିଆଳି ମାଧବ, ପରମହଂସ, ସାତକୋଣିଆ, ସିଂହନାଥ, ଦେଓଝର, ପ୍ରଗଳାପୀଠ, ପ୍ରସନ୍ନପୁରୁଷୋତ୍ତମ ଦେବ, ସତ୍ୟଭାମାପୁର ମଧୁବାବୁଙ୍କ ଜନ୍ମପୀଠ, ନେତାଜୀ ଜନ୍ମପୀଠ ସଂଗ୍ରହାଳୟ, ନୌବାଣିଜ୍ୟ ସଂଗ୍ରହାଳୟ ଆଦି ପ୍ରମୁଖ । ପର୍ଯ୍ୟଟକ କଟକ ଆସିଲେ କେବଳ ବୁଲାବୁଲି, ଭୋଜିଭାତ ନୁହେଁ, ମନୋରଞ୍ଜନର ଖୋରାକ୍ ପାଇବେ । ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ୱାଟର୍ ସ୍ପୋର୍ଟସ୍ ବା ଜଳକ୍ରୀଡ଼ା କରିବାର ସୁଯୋଗ ରହିଛି । କଟକ ସହର ସ୍ଥିତ ହାଡ଼ିଆ ପଠା ନିକଟରେ ସିଲଭର୍ ସିଟି ବୋଟ୍ କ୍ଲବ୍ରେ ସୁବିଧା ଉପଲବ୍ଧ ରହିଛି ।
ପର୍ଯ୍ୟଟକଙ୍କ ମନୋରଞ୍ଜନ ଲାଗି ଏଠାରେ ପ୍ରାୟ ୩୦ରୁ ଅଧିକ ବୋଟ୍ ରହିଛି । ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଏବଂ ସୁରକ୍ଷା କିଟ୍ ସହ ମହାନଦୀରେ ବୋଟିଂ ମଜା ଉଠାଇପାରିବେ । ଶହେ ଟଙ୍କାରୁ ଆରମ୍ଭ କରି ୧୨ ଶହ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ ଟିକେଟ୍ ମୂଲ୍ୟ ଦେଇ ବୋଟିଂ କରିପାରିବେ । ବାଙ୍କୀ ବୈଦ୍ୟେଶ୍ୱରଠୁ ବଡ଼ମ୍ବା ଗୋପୀନାଥପୁର ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ୪ ଶହ ମିଟର ଲମ୍ବ ମହାନଦୀର ସବୁଠୁ ଦୀର୍ଘ ସେତୁ କଟକ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେଇଛି । ସେତୁ ମଝିରୁ ସିଂହନାଥ ପୀଠକୁ ଯୋଡ଼ିବାକୁ ଯାଇ ଆଉ ଏକ ସଂଯୋଗୀକରଣ ସେତୁ ନିର୍ମାଣ କରାଯାଇଛି । ପ୍ରାୟ ୨୪୦ ମିଟର ଲମ୍ବ ଏହି ସଂଯୋଗୀକରଣ ସେତୁ ପର୍ଯ୍ୟଟନକ୍ଷେତ୍ର ସିଂହନାଥପୀଠକୁ ଆହୁରି ସମୃଦ୍ଧ କରିଛି । ଏହାଦ୍ୱାରା ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ବ୍ରହ୍ମପୁର, ଢେଙ୍କାନାଳ ମଧ୍ୟରେ ଦୂରତା କମିଛି । ବଡ଼ମ୍ୱା, ନରସିଂହପୁର, ବାଙ୍କୀ ଅଞ୍ଚଳର ଚର୍ଚ୍ଚିକା, ମା’ ପ୍ରଗଳାପୀଠ, ଶ୍ରୀ ଚମ୍ପାନାଥ, ମା’ ଭଟ୍ଟାରିକା, ସାତକୋଶିଆ ପରିବେଶ ପର୍ଯ୍ୟଟନ ତଥା ତ୍ରିକୁଟାଧାମ କୁହାଯାଉଥିବା ରାମନାଥ-ବୈଦ୍ୟନାଥ- ସିଂହନାଥ ପୀଠରେ ଏଥର ପର୍ଯ୍ୟଟକଙ୍କ ଗହଳି ଲାଗିବ ।
ଆଠଗଡ଼ ଅଂଶୁପା ହ୍ରଦ କଟକର ଏକ ପ୍ରମୁଖ ଆକର୍ଷଣ । ଏଠି ଭୋଜି କରିବାକୁ ପିଣ୍ଡି ରହିଛି । ଭିତରେ ଏକ ସୁନ୍ଦର ପାର୍କ ଓ ରିଫ୍ରେସ୍ ଷ୍ଟେସନ୍ ରହିଛି । ଖିଆପିଆ ସହିତ ଲୋକେ ପ୍ରାକୃତିକ ପରିବେଶର ଆନନ୍ଦ ଉଠାଇପାରିବେ । ଅଂଶୁପାର ମୁଖ୍ୟ ଆକର୍ଷଣ ସାଜିଥାଏ ବାମ୍ବୋ ବା ବାଉଁଶ କଟେଜ୍ । ୱାଚ୍ ଟାୱାର୍ରେ ପ୍ରାକୃତିକ ଶୋଭାରାଜିର ଉପଭୋଗ କରିପାରିବେ । ନରସିଂହପୁର ଅଧୀନ ଦେଓଝର ଅନ୍ୟତମ ଆକର୍ଷଣ । ବଣଜଙ୍ଗଲ ଓ ଝରଣା ଘେରା ପରିବେଶ ବେଶ୍ ସ୍ୱତନ୍ତ୍ର । ପ୍ରାୟ ୧୦ ବର୍ଷ ଭିତରେ ଏହାର ଆଦୃତି ଯଥେଷ୍ଟ ଅଧିକ ବୃଦ୍ଧି ପାଇଛି । ପର୍ଯ୍ୟଟକଙ୍କ ଲାଗି ଏଠାରେ ବିଶ୍ରାମସ୍ଥଳୀ ରହିଛି ।
ଆସୁଛନ୍ତି, ବୁଲୁଛନ୍ତି ରହୁନାହାଁନ୍ତି
ପର୍ଯ୍ୟଟକ କିଭଳି ଆସିବେ ଏବଂ କେଉଁଠୁ ଜିଲ୍ଲା ସମ୍ବନ୍ଧୀୟ ସୂଚନା ପାଇବେ ସେ ଦିଗରେ କଟକ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ପ୍ରୟାସ ନାହିଁ । ବିମାନ ଯୋଗେ ଭୁବନେଶ୍ୱରକୁ ଆସୁଥିବା ପର୍ଯ୍ୟଟକ କଟକ ବୁଲିବାକୁ ଚାହିଲେ ରାଜଧାନୀରେ ଥିବା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଯୋଗେ ଏଠାକୁ ଆସୁଛନ୍ତି ।
କିନ୍ତୁ କଟକ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା କମ୍। ପର୍ଯ୍ୟଟକ ବସ୍ ଓ ଟ୍ରେନ୍ ଯୋଗେ ସିଧାସଳଖ କଟକ ଆସିଥାନ୍ତି । ଦୀର୍ଘ ବର୍ଷ ଧରି କଟକ ରେଲୱେ ଷ୍ଟେସନ୍ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗୋଟିଏ ସୂଚନା କେନ୍ଦ୍ର ବ୍ୟବସ୍ଥା କରାଯାଇଥିଲା । ପର୍ଯ୍ୟଟନ ସମ୍ପର୍କରେ ସୂଚନା ମିଳୁଥିଲା । ପର୍ଯ୍ୟଟକମାନଙ୍କୁ କଟକ ଜିଲ୍ଲା ପର୍ଯ୍ୟଟନ ସମ୍ବନ୍ଧୀୟ ଲିଫ୍ଲେଟ୍ ପ୍ରଦାନ କରାଯାଉଥିଲା । ଏହାଦ୍ୱାରା ନିର୍ଦ୍ଦିଷ୍ଟ ପର୍ଯ୍ୟଟନସ୍ଥଳୀ କେତେ ଦୂର, ଏହାର ଗୁରୁତ୍ୱ କ’ଣ ଏବଂ ଯୋଗାଯୋଗର ମାଧ୍ୟମ ସମ୍ପର୍କରେ ସ୍ପଷ୍ଟ ହୋଇପାରୁଥିଲେ ପର୍ଯ୍ୟଟକ । କିନ୍ତୁ ଏବେ ଏହି ସୂଚନା କେନ୍ଦ୍ରକୁ ଉଠାଇଦିଆଯାଇଛି । ଗାଇଡ୍ ବ୍ୟବସ୍ଥା ଏବେ ବନ୍ଦ କରିଦିଆଯାଇଛି । ଏହା ପର୍ଯ୍ୟଟକଙ୍କୁ ଅଡ଼ୁଆରେ ପକାଉଛି । ସହରରେ ତାରକା ହୋଟେଲର ଅଭାବ ରହିଛି । ୫ବର୍ଷ ମଧ୍ୟରେ କଟକରେ ସେମିତି ହୋଟେଲ୍ ସଂଖ୍ୟା ବି ବୃଦ୍ଧି ପାଇନାହିଁ । କଟକରେ ୮୬ଟି ହୋଟେଲ୍ ରହିଛି । ସେଥିରୁ କଟକ ସହରରେ ୮୧ଟି ଥିବା ବେଳେ ଧବଳେଶ୍ୱର, ଭିତରକନିକା, ସାତକୋଶିଆ, ଅଂଶୁପା ଓ ଆଠଗଡ଼ରେ ଗୋଟିଏ ଲେଖାଏଁ ହୋଟେଲ୍ ଅଛି ।