ମୁମ୍ବାଇ ୨୪/୦୩: ଆମାଜନ୍‌ ପ୍ରତିଷ୍ଠାତା ତଥା ବିଶ୍ୱର ଦ୍ୱିତୀୟ ସବୁଠୁ ଧନୀ ବ୍ୟକ୍ତି ଜେଫ୍‌ ବେଜୋସ୍‌ ଚଳିତ ବର୍ଷ ଗ୍ରୀଷ୍ମରେ ତାଙ୍କ ପ୍ରେମିକା ଲରେନ୍‌ ସାଞ୍ଚେଜ୍‌ଙ୍କୁ ବିବାହ କରିବାକୁ ଯାଉଛନ୍ତି । ଇଟାଲିର ଭେନ୍ସରେ ଧୁମ୍‌ଧାମ୍‌ରେ ବିବାହ କାର୍ଯ୍ୟକ୍ରମ ଲାଗି ସେ ଯୋଜନା କରିଥିବା ରିପୋର୍ଟ ପ୍ରକାଶ ପାଇଛି । ୨୦୨୩ ମେ’ରେ ୬୧ ବର୍ଷୀୟ ବେଜୋସ୍‌ ୫୫ ବର୍ଷୀୟା ସାଞ୍ଚେଜଙ୍କ ସହ ନିର୍ବନ୍ଧ କରିଥିଲେ । ରିପୋର୍ଟ ଅନୁସାରେ, ବେଜୋସ୍‌ ଏବଂ ସାଞ୍ଚେଜ୍‌ ଔପଚାରିକ ଭାବେ ସେମାନଙ୍କ ବିବାହର ନିମନ୍ତ୍ରଣ ନିଜ ନିଜ ଅତିଥିଙ୍କୁ ପଠାଇଲେଣି । ଉଭୟଙ୍କ ବିବାହର ତାରିଖ ଗୋପନ ରଖାଯାଇଛି । ତେବେ ଜୁନ୍‌ ସୁଦ୍ଧା ବେଜୋସ୍‌-ସାଞ୍ଚେଜ୍‌ ବିବାହ କରିପାରନ୍ତି ବୋଲି କୁହାଯାଉଛି । 

ଟେକ୍‌ ଅରବପତି ବେଜୋସ୍‌ ୨୦୧୯ରେ ୨୫ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପକାଇ ମ୍ୟାକେଞ୍ଜିଙ୍କୁ ଛାଡ଼ପତ୍ର ଦେଇଥିଲେ । ସାଞ୍ଚେଜଙ୍କର ମଧ୍ୟ ୨୦୨୩ରେ ଛାଡ଼ପତ୍ର ହୋଇଥିଲା । ପେଜ୍‌ ସିକ୍ସ ରିପୋର୍ଟ ଅନୁଯାୟୀ, ବେଜୋସ୍‌ ଏବଂ ସାଞ୍ଚେଜ୍‌ଙ୍କ ବିବାହ ଇଟାଲୀ ସମୁଦ୍ରରେ ବିଳାସପୂର୍ଣ୍ଣ ବୋଟ୍‌ ୫୦୦ ନିୟୁତ ଡଲାରର କୋରୁ ସୁପରୟାଟ୍‌ରେ ହେବ । କୋରକୁ ପାଣିରେ ଝୁଲନ୍ତା ମହଲ ବି କୁହଯାଏ । ଏହି ୟାଟ୍‌କୁ ୨୦୨୩ରେ ନେଦରଲ୍ୟାଣ୍ଡର କମ୍ପାନୀ ଓସିଆନ୍‌କୋ ବନାଇଥିଲା । ଏହା ଦୁନିଆର ସବୁଠୁ ବଡ଼ ସେଲିଂ ୟାଟ୍‌ ମଧ୍ୟରୁ ଅନ୍ୟତମ । ଏହାର ନାମ କୋରୁ ମାଓରି ଭାଷା ଅନୁସାରେ ଦିଆଯାଇଛି, ଯାହାର ଅର୍ଥ ନୂଆ ଆରମ୍ଭ । 

ସୂଚନା ଅନୁସାରେ, ବେଜୋସ୍‌ଙ୍କ ବିବାହ ଉତ୍ସବରେ ଓପ୍ରାହ ୱିନ୍‌ଫ୍ରେ, କ୍ରିସ୍‌ ଜେନର, ସଲମା ହାୟେକ୍‌, ବାର୍‌ବ୍ରା ଷ୍ଟ୍ରେସାଣ୍ଡ୍‌, ମିରାଣ୍ଡା କେର୍‌, ସୁକି ୱାଟର ହାଉସ୍‌, ରବର୍ଟ ପାଟିନ୍‌ସନ୍‌ଙ୍କ ସମେତ ବହୁ ହାଇପ୍ରୋଫାଇଲ ଅତିଥି ଯୋଗଦେବେ । ପ୍ରକାଶଥାଉ କି, ପୂର୍ବତନ ବ୍ରୋଡ୍‌କାଷ୍ଟ ଜର୍ନାଲିଷ୍ଟ ସାଞ୍ଚେଜ୍‌ ୨୦୧୮ରୁ ବେଜୋସ୍‌ଙ୍କୁ ଡେଟ୍‌ କରୁଥିଲେ । ୨୦୧୯ରେ ଉଭୟେ ପରସ୍ପର ସହ ସମ୍ପର୍କରେ ଥିବା ସାର୍ବଜନିନ କରିଥିଲେ ।