ତିହିଡ଼ି, ୦୧/୦୯ : ସ୍କୁଲରେ ସାର୍ ନାହାନ୍ତି, ପାଠ ପଢ଼ିବୁ କେମିତି ? ବିଦ୍ୟାଳୟରେ ଶିକ୍ଷକ ଅଭାବ ଏବଂ ବଦଳିକୁ ନେଇ ଧାରଣାରେ ଛାତ୍ରଛାତ୍ରୀ । କେବଳ ପିଲା ନୁହଁନ୍ତି ଅଭିଭାବକ ମଧ୍ୟ ଧାରଣରେ ସାମିଲ୍ ହୋଇଛନ୍ତି । ଏଭଳି କିଛି ଦୃଶ୍ୟ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ କାଁପଡ଼ା ବାସୁଳି ହାଇସ୍କୁଲରେ ଦେଖିବାକୁ ମିଳିଛି । ଠାଏ ଠାଏ ଖାରାକୁ ଖାତିର ନକରି ସ୍କୁଲ୍ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି ପିଲା ।
ସୂଚନା ମୁତାବକ, କାଁପଡ଼ା ବାସୁଳି ହାଇସ୍କୁଲରେ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ୪୪୩ ଛାତ୍ରଛାତ୍ରୀ ଏବଂ ନବମ ଏବଂ ଦଶମରେ ୩୪୫ଜଣ ପିଲା ପାଠ ପଢ଼ୁଛନ୍ତି । ମାତ୍ର ବିଦ୍ୟାଳୟରେ ଶିକ୍ଷକ-ଛାତ୍ରଛାତ୍ରୀଙ୍କ ଅନୁପାତ କମ୍ ରହିଛି । ଷଷ୍ଠରୁ ଅଷ୍ଟମ ପାଇଁ ୪୪୩ ପିଲାଙ୍କୁ ୧୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିବା କଥା, ହେଲେ ବର୍ତ୍ତମାନ ୭ଜଣ ସାର୍ଙ୍କୁ ନେଇ ପାଠପଢ଼ା ଚାଲିଛି । ସେହିପରି ନବମ ଏବଂ ଦଶମ ଶ୍ରେଣୀରେ ୩୪୫ ପିଲାଙ୍କୁ ୫ଜଣ ଶିକ୍ଷକ ରହିଛନ୍ତି । ରେସିଓକୁ ହିସାବ କଲେ ବିଦ୍ୟାଳୟରେ ୮ଜଣ ଶିକ୍ଷକଙ୍କ ଅଭାବ ରହିଛି । ବର୍ତ୍ତମାନ ଯେଉଁ ଶିକ୍ଷକ-ଶିକ୍ଷୟିତ୍ରୀ ଅଛନ୍ତି, ସେଥିରୁ ଜଣଙ୍କୁ ବଦଳି କରିବା ପରେ ସ୍ଥାନୀୟ ଗ୍ରାମବାସୀ ପ୍ରତିବାଦ କରିଛନ୍ତି । ଅଭିଭାବକମାନେ ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ସହ ଧାରଣାରେ ବସିଛନ୍ତି । ଏନେଇ ଖବର ପାଇ ବ୍ଲକ୍ ଶିକ୍ଷାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।....