ଭଦ୍ରକ, ୨୦/୦୪: ୨୧ ଲୋକସଭା ଆସନରୁ ଭଦ୍ରକ ଏବେ ତୃତୀୟ ବୃହତ୍ତ ଆସନ ଭାବେ ଓଡ଼ିଶାରେ ଗଣାଯାଉଛି । ଭୋଟର ଦୃଷ୍ଟିରୁ ବଲାଙ୍ଗିର ପରେ କେନ୍ଦ୍ରାପଡ଼ା ରହିଛି । ତା ପରେ ଭଦ୍ରକ ଲୋକସଭା ୩ ନମ୍ବରରେ ଥିବା ୨୦୨୪ ସାଧାରଣ ନିର୍ବାଚନ ବେଳର ଭୋଟର ଲିଷ୍ଟ ହିଁ ସୂଚାଉଛି ।

ଲୋକସଭାର ସିଟ୍ ବଢିବା ନେଇ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅଧିବେଶନ ପାର୍ଲାମେଣ୍ଟରେ ଆରମ୍ଭ କରିଛନ୍ତି । ଏଭଳି ଚର୍ଚ୍ଚାବେଳେ ଭଦ୍ରକ ଲୋକସଭା ଆସନ ନିଶ୍ଚିତ ଭାଗ ଭାଗ ହୋଇ ଭାଙ୍ଗୁଛି । ଏଥିରେ ସନ୍ଦେହ ନାହିଁ । ଭଦ୍ରକ ଜିଲ୍ଲାର ୫ ବିଧାନସଭା ଆସନ ସମେତ ବାଲେଶ୍ୱର ଜିଲ୍ଲାର ସୋର ଓ ସିମୁଳିଆ ନିର୍ବାଚନ ମଣ୍ଡଳୀକୁ ନେଇ ଭଦ୍ରକ ଲୋକସଭା ଏବେ ଥିବାବେଳେ ଆଗକୁ ଏହାର ଭୌଗୋଳିକ ପରିସୀମା ସଙ୍କୁଚିତ ସହ ଏପାଖ ସେପାଖ ହେବାକୁ ଯାଉଛି । ୨୦୨୪ ଭୋଟର ସଂଖ୍ୟା ଦୃଷ୍ଟିରୁ ବଲାଙ୍ଗୀର ଆସନରେ ଭୋଟର ସଂଖ୍ୟା ୧୮ ଲକ୍ଷ ୩ ହଜାର ୫୪୪ ରହିଛି । ତା ପଛକୁ ଅଛି କେନ୍ଦ୍ରାପଡ଼ାରେ ୧୭ ଲକ୍ଷ ୯୫ ହଜାର ୭୨୫ ଭୋଟର ଥିବାବେଳେ ଭଦ୍ରକ ଲୋକସଭା ଆସନ ତୃତୀୟରେ ରହିଛି । ଏହି ଆସନରେ ଭୋଟର ସଂଖ୍ୟା ୧୭ ଲକ୍ଷ ୭୩ ହଜାର ୯୨୫ ଅଛି ।

ରାଜ୍ୟରେ ଲୋକସଭା ଆସନ ସଂଖ୍ୟ ଏବେ ୨୧ ଥିବାବେଳେ ଆଗକୁ ବଢି ୩୨ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି । ସେହିଭଳି ବିଧାନସଭା ଆସନ ସଂଖ୍ୟା ୨୧୦ ଛୁଇଁପାରେ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି । ବର୍ଦ୍ଧିତ ବିଧାନସଭା ତାଲିକାରେ ଭଦ୍ରକ ଜିଲ୍ଲାରୁ ଆହୁରି ଦୁଇଟିରୁ ଅଧିକ ଆସନ ବଢିବାରେ ସମ୍ଭାବନା ରହିଛି । ତିହିଡ଼ି ଅଞ୍ଚଳକୁ ନେଇ ଗୋଟିଏ ନିର୍ବାଚନ ମଣ୍ଡଳୀ ନିଶ୍ଚିତ ହେଉଥିବାବେଳେ ଆଉ ଗୋଟିଏ ବନ୍ତ କିମ୍ବା ଭଦ୍ରକ ସଦର ନିର୍ବାଚନ ମଣ୍ଡଳୀ ଗଠିତ ହେବା ନେଇ ତର୍ଜମା ଚାଲିଛି । ଏଣୁ ଭଦ୍ରକ ଲୋକସଭା ଆସନରୁ ସୋର ଓ ସିମୁଳିଆ ସମେତ ନୂତନ ଆସନ ବନ୍ତ କିମ୍ବା ବାସୁଦେବପୁର ଭଳି ନିର୍ବାଚନ ମଣ୍ଡଳୀ ଭିନ୍ନ ଲୋକସଭାକୁ ଯାଉଛି । ନୂଆ ଲୋକସଭା ଭାବେ ସୋର କିମ୍ବା ନୀଳଗିରିକୁ ନେଇ ପରିକଳ୍ପନା କରାଯାଉଛି । ସେ ଦୃଷ୍ଟିରୁ ଭଦ୍ରକର ସୀମାରୁ କିଛି ଅଂଶ ଛିଡ଼ି ନୂଆ ଲୋକସଭାରେ ଯୋଡ଼ିବା ବିଚିତ୍ର ନୁହଁ । ଭଦ୍ରକ ଲୋକସଭା କେବଳ ଜିଲ୍ଲା ଭିତର ଭୋଟରଙ୍କୁ ନେଇ ଗଢାଗଲେ ବି ଭୋଟର ହାର ଦୃଷ୍ଟିରୁ ଅନ୍ୟ ଲୋକସଭା ଅପେକ୍ଷା ଏହା ଅଧିକ ରହୁଛି ।

ଅଧିକ ପଢ଼ନ୍ତୁ :-  ଭୋଟର ଲିଷ୍ଟରୁ କଟିଲେ ୯ ଲକ୍ଷ ୮୦ ହଜାର ଭୋଟର: ସିଇଓଙ୍କ ସୂଚନା ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ କମ୍ କଟିଛି

୨୦୨୪ ନିର୍ବାଚନ ତାଲିକା ଅନୁସାରେ ଭଦ୍ରକ ଜିଲ୍ଲାର ଭୋଟର ୧୩ ଲକ୍ଷ ୪ ହଜାର ଥିବାବେଳେ ଏବେ ଏହି ସଂଖ୍ୟା ଆହୁରି ବଢିଛି । ଭଦ୍ରକ ଜିଲ୍ଲାରେ ଭୋଟର ସଂଖ୍ୟା ୧୩ ଲକ୍ଷ ୪ ହଜାର ୮୯ ରହିଛି । ଏବେ ଏସଆଇଆର ଓ ଭୋଟର ଲିଷ୍ଟ ମାପିଂ ଚାଲୁଛି । କିଛି ହ୍ରାସ ପାଇଥିଲେ ବି ନୂତନ ଭୋଟର ଯୋଡ଼ି ହୋଇ ଏହା ବଢୁଛି । ଭଦ୍ରକ ବିଧାନସଭାରେ ସର୍ବାଧିକ ଭୋଟର ୨ ଲକ୍ଷ ୭୮ ହଜାର ୧୫୮ ଅଛନ୍ତି । ବାସୁଦେବପୁର ୨ ଲକ୍ଷ ୭୫ ହଜାର ୧୧୦ ଜଣ ଭୋଟର ଅଛନ୍ତି । ଏହା ପଛକୁ ଚାନ୍ଦବାଲି ୨ ଲକ୍ଷ ୫୬ ହଜାର ୨୮୮ ଭୋଟର ରହିଥିବା ବେଳେ ଧାମନଗରରେ ୨ ଲକ୍ଷ ୫୦ ହଜାର ୯୭୬ ରହିଥିବା ବେଳେ ଭଣ୍ଡାରିପୋଖରୀ ୨ ଲକ୍ଷ ୪୩ ହଜାର ୫୫୭ ଜଣ ଭୋଟର ଅଛନ୍ତି । ଜିଲ୍ଲା ଭିତରେ ସମୁଦାୟ ୧୩ ଲକ୍ଷ ୪୦ ହଜାର ଭୋଟର ଥିବାବେଳେ ସିମୁଳିଆ ଓ ସୋର ଦୁଇ ବିଧାନସଭାରୁ ବର୍ତ୍ତମାନ ୪ ଲକ୍ଷ୬୯ ହଜାର ୮୬୬ ଭୋଟର ଭଦ୍ରକ ଲୋକସଭାରେ ସାମିଲ ହୋଇଛନ୍ତି । ଭଦ୍ରକରୁ ବାଲେଶ୍ୱର ଜିଲ୍ଲାର ଦୁଇ ବିଧାନ ସଭା ଆସନ ଖସି ଗଲେ ତଥାପି ଏକ ବର୍ଦ୍ଧିତ ଭୋଟର ବିଶିଷ୍ଟ ବଡ଼ ଲୋକସଭା ଆସନ ଭାବେ ଗଣନା କରାଯିବ । କାହିଁକି ନା ଏବେ ବି ଭଦ୍ରକ ଜିଲ୍ଲାର ନୂତନ ଭୋଟର ଯୋଡ଼ି ହେଲେ ଭୋଟର ସଂଖ୍ୟା ୧୪ ଲକ୍ଷ ଟପିବ ।

ରାଜ୍ୟରେ ଲୋକସଭା ୨୧ରୁ ବଢିଲେ ବଡ଼ ୭ ଲୋକସଭା ଭାଙ୍ଗିବ । ସେ ଦୃଷ୍ଟିରୁ ଭଦ୍ରକ ଜିଲ୍ଲାକୁ ନେଇ ଗଠିତ ଲୋକସଭା ଅନ୍ୟ ଏକ ବଡ଼ ଆସନ ହେବା ଅପେକ୍ଷା ଆଉ ଗୋଟିଏ ନିର୍ବାଚନ ମଣ୍ଡଳୀ ନୂତନ ଗଠିତ ଲୋକସଭାକୁ ଯିବାର ଆଶଙ୍କା କରାଯାଉଛି । ନୂତନ ଭାବେ ତିହିଡ଼ି ନିର୍ବାଚନ ମଣ୍ଡଳି ହେଲେ ବାସୁଦେବପୁର, ଚାନ୍ଦବାଲି ଓ ଧାମନଗରକୁ ଯାଇଥିବା ତିହିଡ଼ି ବ୍ଲକର ୩୧ ପଞ୍ଚାୟତକୁ ନେଇ ନୂଆ ବିଧାକ ସଭା ଗଠିତ ହେବ । ଏଣୁ ସବୁ ଆସନରେ ଭୋଟର ତାଲିକା ହ୍ରାସ ପାଉଥିବାବେଳେ ଭଦ୍ରକ ଆସନ ୨.୭୮ ଲକ୍ଷରୁ ଆହରି ବଢିବ । ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକ ମିଶାଇ ୨.୪୩ ଲକ୍ଷ ଭୋଟରରୁ ନୂଆ ବିଧାନସଭା ଜନ୍ମ ନେବା ଅପେକ୍ଷା ଭଦ୍ରକ ନିର୍ବାଚନ ମଣ୍ଡଲୀକୁ ଭାଗ ଭାଗ କରି ଭଦ୍ରକ ସଦର ନିର୍ବାଚନ ମଣ୍ଡଳୀ ଗଢିହେବାର ଭିତିରିଆ ବିଚାର ବିମର୍ଷ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି ।