କଟକ,୦୭/୦୯:  କେଉଁଠି ଚାଳିଆଟିଏ  ଛିଡ଼ା ହୋଇଛି, ଆଉ କେଉଁଠି ମାଟିରେ ମୁହଁ ମାଡ଼ି  ପଡ଼ିଛି । କେଉଁଠି ଗାଁ ଲୋକେ ମିଶି ପୁନରୁଦ୍ଧାର  କରିବାକୁ ଉଦ୍ୟମ କରୁଛନ୍ତି । ଆଉ କେଉଁଠି ସମ୍ବଳ ଅଭାବରୁ ତାହା ସମ୍ଭବ ହୋଇପାରି ନାହିଁ । କଟକ  ଜିଲ୍ଲା ସମେତ ରାଜ୍ୟର କୋଣ ଅନୁକୋଣରେ ଭାଗବତ ଟୁଙ୍ଗିର ଏବେ ଏଭଳି ଅବସ୍ଥା । ଯେଉଁ ଭାଗବତ ଟୁଙ୍ଗିରୁ ଦିନେ ଭାଗବତ କଥା ଭାସି ଆସୁଥିଲା ଆଜି ସେହି ଭାଗବତ ଟୁଙ୍ଗିଗୁଡ଼ିକ ମୁହଁ ମାଡ଼ି ପଡ଼ିଛନ୍ତି । କିଛି ବର୍ଷ ରାଜ୍ୟ ସରକାରଙ୍କ  ଆର୍ଥିକ ସହାୟତା ଟୁଙ୍ଗି ପରମ୍ପରାକୁ ଉଜ୍ଜୀବିତ  କରିଥିଲା । କିନ୍ତୁ ଗତ ଚାରି ବର୍ଷ ହେଲା ସହାୟତାକୁ  ବନ୍ଦ କରି ଦିଆଯାଇଛି । ଫଳରେ ଅନେକ ଭାଗବତ ଟୁଙ୍ଗି ଏବେ ଦୟନୀୟ ଅବସ୍ଥାରେ, ଏଠାରୁ ଆଉ ଭାଗବତ କଥା ଭାସିଆସୁନି ।  

ଓଡ଼ିଶାରେ ହଜି ଯାଉଥିବା ଭାଗବତ ଟୁଙ୍ଗି ପରମ୍ପରାକୁ ପୁନରୁଜ୍ଜୀବିତ କରିବା ଲାଗି ରାଜ୍ୟ ସରକାର ଟୁଙ୍ଗି ଖୋଜିବା ଆରମ୍ଭ କରିଥିଲେ ।  ୨୦୨୪-୧୫ ମସିହାରୁ ଟୁଙ୍ଗିଗୁଡ଼ିକୁ ଆର୍ଥିକ  ସହାୟତା ଯୋଗାଇ ଦେବାକୁ ଯୋଜନା ଆରମ୍ଭ  ହୋଇଥିଲା । ଏଥିପାଇଁ ପ୍ରତି ଜିଲ୍ଲା ପ୍ରଶାସନକୁ ଟୁଙ୍ଗି ଖୋଜିବାକୁ କୁହାଯାଇଥିଲା । ପ୍ରତିବର୍ଷ  ଟୁଙ୍ଗି ପୁନରୁଦ୍ଧାର ପାଇଁ କିଛି ଆର୍ଥିକ ସହାୟତା  ପ୍ରଶାସନକୁ ଯୋଗାଇ ଦିଆଯାଉଥିଲା । ଯେଉଁମାନେ ଟୁଙ୍ଗି ପୁନରୁଦ୍ଧାର ପାଇଁ ପ୍ରଶାସନ ନିକଟରେ  ଆବେଦନ କରିଥାନ୍ତି ସେମାନଙ୍କୁ ଏହି ଆର୍ଥିକ  ସହାୟତା ପ୍ରଦାନ କରାଯାଉଥିଲା । ପ୍ରତି ଟୁଙ୍ଗି  ପିଛା ୫୦ ହଜାର ଟଙ୍କା ଦିଆଯାଉଥିଲା । ଯୋଜନା  ହୋଇଥିଲା, ୫୦ ହଜାର ଟଙ୍କାରୁ ୪୦ ହଜାର  ଟଙ୍କା ଏକ ଜାତୀୟକରଣ ବ୍ୟାଙ୍କ୍‌ରେ ଦୀର୍ଘମିଆଦି  ଜମା(ଫିକ୍ସଡ୍‌ ଡିପୋଜିଟ୍‌) କରାଯିବ । ଏଥିପାଇଁ ଏକ  ଯୁଗ୍ମ ଆକାଉଣ୍ଟ୍‌ ଖୋଲାଯିବ । ସମ୍ପୃକ୍ତ ଟୁଙ୍ଗିର ମୁଖ୍ୟ, ସ୍ଥାନୀୟ ବିଡିଓ, ପଞ୍ଚାୟତ ଏକ୍‌ଜିକ୍ୟୁଟିଭ୍‌ ଅଫିସର  କିମ୍ବା ମ୍ୟୁନିସ୍‌ପାଲିଟିର ବିଭାଗୀୟ ଅଧିକାରୀଙ୍କ  ନାମରେ ଏହି ଯୁଗ୍ମ ଆକାଉଣ୍ଟ୍‌ ଖୋଲାଯିବ । ଏହି  ୪୦ ହଜାର ଟଙ୍କାରୁ ଯେଉଁ ସୁଧ ମିଳିବ ସେହି  ଅର୍ଥରେ ଟୁଙ୍ଗିର ବିଭିନ୍ନ ପୂଜା, ପାର୍ବଣ ପାଇଁ  ଆବଶ୍ୟକ ଅର୍ଥ ଖର୍ଚ୍ଚ କରାଯିବ । ବାକି ୧୦ ହଜାର  ଟଙ୍କା ମାଇକ୍‌ କିଣାଯିବାରେ ଖର୍ଚ୍ଚ କରାଯିବ । କଟକ  ଜିଲ୍ଲାରେ ୨୦୨୪-୧୫ରୁ ୨୦୧୯-୨୦ ମଧ୍ୟରେ ପ୍ରାୟ  ୬ ଶହରୁ ଅଧିକ ଭାଗବତ ଟୁଙ୍ଗି ପାଇଁ ଆର୍ଥିକ  ସହାୟତା ଯୋଗାଇ ଦିଆଯାଇଛି । କିନ୍ତୁ ଭାଗବତ  ଟୁଙ୍ଗି ପୁନରୁଦ୍ଧାର ପାଇଁ ଆହୁରି ପ୍ରାୟ ହଜାରେରୁ  ଅଧିକ ଆବେଦନପତ୍ର କଟକ ଜିଲ୍ଲା ସଂସ୍କୃତି  ବିଭାଗକୁ ଆସି ପଡି ରହିଥିଲା । ହଠାତ୍‌ ୨୦୨୦  ପରଠୁ ରାଜ୍ୟ ସରକାର ଭାଗବତ ଟୁଙ୍ଗି ପୁନରୁଦ୍ଧାର  ପାଇଁ ଆର୍ଥିକ ସହାୟତା ବନ୍ଦ କରିଦେଲେ ।

 ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀଙ୍କ କହିବା  ଅନୁଯାୟୀ, ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ ରାଜ୍ୟ  ସରକାରଙ୍କ ଏହି ସ୍ପଳ୍ପ ସହାୟତା ଅମ୍ଳଜାନ ଭଳି କାର୍ଯ୍ୟ  କରିଥିଲା । ଏହି ସହାୟତାରେ ପୁଣିଥରେ ଭାଗବତ  ଟୁଙ୍ଗି ନୂଆ ରୂପ ପାଇଥିଲା । ଗାଁ ପରିବେଶରୁ ହଜି  ଯାଉଥିବା ଟୁଙ୍ଗିରୁ ଭାଗବତ କଥା ଭାସି ଆସିଥିଲା ।  ଯେତିକି ଭାଗବତ ଟୁଙ୍ଗି ଅନୁଦାନ ପାଇଥିଲେ  ସେମାନେ ତ’ ନିଜକୁ ଟିକେ ଛିଡ଼ା କରିପାରିଥିଲେ ।  ହେଲେ ଯେତିକି ପାଇଛନ୍ତି ତାଠାରୁ ବହୁ ଅଧିକ  ଟୁଙ୍ଗି ଆର୍ଥିକ ଅନୁଦାନ ପାଇନପାରି ମୁହଁ ମାଡ଼ି ପଡ଼ି ରହିଛନ୍ତି । ସରକାର ଯଦି ପୁଣି ଟୁଙ୍ଗି ପୁନରୁଦ୍ଧାର ପାଇଁ  ସହାୟତା ଯୋଗାଇ ଦିଅନ୍ତେ ତେବେ ଗାଁ ପରିବେଶ  ଭାଗବତ ଟୁଙ୍ଗିକୁ ନେଇ ପୁଣିଥରେ ହସି ଉଠନ୍ତା ।