ନୂଆଦିଲ୍ଲୀ ୦୩/୦୮: ଗତ ଜୁଲାଇ ୩୧ରେ ମୁକ୍ତିଲାଭ କରିଛି ବିଜୟ ଦେବରକୋଣ୍ଡା ଷ୍ଟାରର୍‌ ‘କିଙ୍ଗ୍‌ଡମ୍‌’ । ଫିଲ୍ମରେ ତାଙ୍କର ଅନ୍‌ସ୍କ୍ରିନ୍‌ ପ୍ରେମିକା ଭୂମିକାରେ ଅଭିନୟ କରିଛନ୍ତି ଭାଗ୍ୟଶ୍ରୀ ବୋର୍ସେ । ଭାଗ୍ୟଶ୍ରୀଙ୍କ ଚରିତ୍ର ଫିଲ୍ମର କାହାଣୀକୁ ଆଗକୁ ନେଇଥିବା ଚର୍ଚ୍ଚା ହେଉଛି । ଫ୍ୟାନ୍‌ କହୁଛନ୍ତି, ଅଭିନୟ ଦକ୍ଷତାର ପ୍ରମାଣ ଦେବାକୁ ଫିଲ୍ମ ଭାଗ୍ୟଶ୍ରୀଙ୍କୁ ଭରପୂର ସୁଯୋଗ ଦେଇଛି । ‘କିଙ୍ଗ୍‌ଡମ୍‌’ର ନିର୍ଦ୍ଦେଶନା ଦେଇଛନ୍ତି ଗୌତମ ଟିନ୍ନାନୁରୀ। 

ଫିଲ୍ମଟି ଭାଗ୍ୟଶ୍ରୀଙ୍କର ପ୍ରଥମ ବଡ଼ ପ୍ରୋଜେକ୍ଟ । ଏହା ପୂର୍ବରୁ କିଛି ପ୍ରୋଜେକ୍ଟରେ ସେ ଅଭିନୟ କରିଛନ୍ତି । ରବି ତେଜାଙ୍କ ‘ମିଷ୍ଟର୍‌ ବଚ୍ଚନ’ (୨୦୨୪) ଜରିଆରେ ସେ ଅଭିନୟ ଜଗତରେ ଏଣ୍ଟ୍ରି କରିଥିଲେ । ଫିଲ୍ମରେ ତାଙ୍କୁ ଅଭିନୟର ପର୍ଯ୍ୟାପ୍ତ ସୁଯୋଗ ମିଳିନଥିଲା । ଫିଲ୍ମକୁ ଦର୍ଶକ ଖାସ୍‌ ପସନ୍ଦ ନ କରିବାରୁ ଭାଗ୍ୟଶ୍ରୀଙ୍କ ପାଇଁ ତାହା ଖାସ୍‌ ଫଳପ୍ରଦ ହୋଇନଥିଲା । କାର୍ତ୍ତିକ ଆର‌୍ୟନଙ୍କ ଅଭିନୀତ ‘ଚନ୍ଦୁ ଚାମ୍ପିଅନ୍‌’ ଏବଂ ‘ୟାରିୟାଁ-୨’ରେ ଛୋଟ ଭୂମିକାରେ ସେ ପରଦାକୁ ଆସିଥିଲେ । କିନ୍ତୁ ‘କିଙ୍ଗ୍‌ଡମ୍‌’ ତାଙ୍କୁ ଅଭିନୟ ଦକ୍ଷତା ପ୍ରଦର୍ଶନର ବଡ଼ ସୁଯୋଗ ଦେଲା । ମହିଳାଙ୍କ ପାଇଁ ସଶକ୍ତ ଚରିତ୍ର ପ୍ରସ୍ତୁତ କରିବା ପାଇଁ ଗୌତମ ପରିଚିତ । ସେହି ଦୃଷ୍ଟିରୁ ଫିଲ୍ମରେ ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କରିବା ବଡ଼ ସର୍‌ପ୍ରାଇଜ୍‌ ନୁହେଁ ।

ଭାଗ୍ୟଶ୍ରୀଙ୍କ ଅପ୍‌କମିଙ୍ଗ ଫିଲ୍ମରେ ଅଛି ଆଟ୍‌ଲିଙ୍କ ‘ଏଏ୨୨ଙ୍ଘଏ୬’ । ଫିଲ୍ମ ‘କାନ୍ଥା’ରେ ଦୁଲକର ସଲମାନଙ୍କ ସହ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ । ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ରାଣା ଦଗୁବାତି । ଆସନ୍ତା ସେପ୍ଟେମ୍ବର ୧୨ରେ ଏହା ମୁକ୍ତିଲାଭ କରିପାରେ । ରାମ ପୋଥିନେନିଙ୍କ ଅପ୍‌କମିଙ୍ଗ ଫିଲ୍ମରେ ମଧ୍ୟ ତାଙ୍କୁ କାଷ୍ଟ୍‌ କରାଯାଇଛି, ଯେଉଁଥିରେ ସେ ମହାଲକ୍ଷ୍ମୀ ଭୂମିକାରେ ଅଭିନୟ କରିବେ।